କୋଲକାତା: ସାରା ଦେଶରେ ଏବେ ବଢୁଛି ମାରାତ୍ମକ ମହାମାରୀ କୋରୋନା ଭୟ । ଅନେକ ସହରରେ ପ୍ରତିବନ୍ଧକ, ବିଦ୍ୟାଳୟ ଠାରୁ ଆରମ୍ଭ କରି ସର୍ବୋଚ୍ଚ ନ୍ୟାୟାଳୟ ସବୁଠାରେ କୋରୋନା ଆତଙ୍କ କାରଣରୁ କଡା କଟକଣା । କୋରୋନା ସଂକ୍ରମଣ ଭୟ କାରଣରୁ ଏବେ କୋଲକାତା ସହରର ତିନୋଟି ପ୍ରମୁଖ ଓ ପ୍ରସିଦ୍ଧ ପର୍ୟ୍ୟଟନସ୍ଥଳୀକୁ ୩୧ ମାର୍ଚ୍ଚ ପର୍ଯ୍ୟନ୍ତ ବନ୍ଦ କରି ଦିଆଯାଇଛି ।
ଇଣ୍ଡିଆନ୍ ମ୍ୟୁଜିୟମ୍, ସାଇନ୍ସ ସିଟି ଓ ବିର୍ଲା ଇଣ୍ଡଷ୍ଟ୍ରିଆଲ୍ ଆଣ୍ଡ ଟେକ୍ନୋଲୋଜି ସଂଗ୍ରହାଳୟ କୋରୋନା ସଂକ୍ରମଣକୁ ରୋକିବା ପାଇଁ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ । ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ରବିବାର ଠାରୁ ମାର୍ଚ୍ଚ ୩୧ ପର୍ୟ୍ୟନ୍ତ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରଖାଯିବା ନେଇ ଅଧିକାରୀ ସୂଚନା ଦେଇଛନ୍ତି ।
ଏକ ବୈଠକରେ ଭାରତୀୟ ସଂଗ୍ରହାଳୟର ଟ୍ରଷ୍ଟି ବୋର୍ଡ ଆଇକନିକ୍ କୋଠା ଏବଂ ଏହାର ପରିସରରେ ଭ୍ରମଣ ପାଇଁ ପର୍ଯ୍ୟଟକଙ୍କ ପାଇଁ ବନ୍ଦ କରାଯାଇଛି । ଏହି ସମସ୍ତ ସ୍ଥାନରୁ ଦେଶ ବିଦେଶରୁ ବହୁ ସଂଖ୍ୟକ ପର୍ଯ୍ୟଟକ ଆସୁଥିବାରୁ ଏହି ନିଷ୍ପତି ନିଆଯାଇଛି ବୋଲି କୁହାଯାଉଛି ।ଏଠାରେ ସୂଚନାଯୋଗ୍ୟଯେ, ସାରା ବିଶ୍ୱରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା ୧ ଲକ୍ଷ ୫୪ ହଜାର ୭୬୦ରେ ପହଞ୍ଚିଛି ।
ଏଥିସହ କୋରୋନାରେ ୫୭୬୪ଜଣଙ୍କ ପ୍ରାଣହାନୀ ହୋଇଥିବା ସୂଚନା ରହିଥିବା ବେଳେ ୭୨ ହଜାରରୁ ଊର୍ଦ୍ଧ୍ୱ ଲୋକ ଏଥିରୁ ଚିକିତ୍ସା ହୋଇ ବର୍ତିଛନ୍ତି । ଅନ୍ୟପଟେ କୋରୋନା ଦେଶରେ ୨ଜଣଙ୍କ ପ୍ରାଣ ନେଇଥିବା ବେଳେ ୧୦୧ରୁ ଊର୍ଦ୍ଧ୍ୱ ସଂକ୍ରମଣ ରିପୋର୍ଟ ସାମ୍ନାକୁ ଆସିଛି ।