ଏସ୍‌ସି-ଏସ୍‌ଟି ଆକ୍ଟ ଉପରେ ନିଷ୍ପତ୍ତି ବଦଳାଇଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଏସସି-ଏସଟି ଆକ୍ଟ ମାମଲାରେ କେନ୍ଦ୍ର ସରକାରଙ୍କ ପୁନର୍ବିଚାର ଯାଚିକାକୁ ସ୍ୱୀକାର କରି ସୁପ୍ରିମକୋର୍ଟ ନିଜର ପୁରୁଣା ନିଷ୍ପତ୍ତିକୁ ବଦଳାଇଛନ୍ତି । ସୂଚନାଯୋଗ୍ୟ ଯେ, ୨୦୧୮ ମସିହା ମାର୍ଚ୍ଚ ୨୦ ତାରିଖରେ ନିଜ ନିଷ୍ପତ୍ତିରେ କୋର୍ଟ ଅଗ୍ରୀମ ଜାମିନର ପ୍ରାବଧାନ କରିଥିଲେ ଏବଂ ଗିରଫଦାରୀ ଉପରେ ଗାଇଡ ଲାଇନ ଜାରି କରିଥିଲେ । କୋର୍ଟଙ୍କ ଏହି ନିଷ୍ପତ୍ତିକୁ ଗିରଫଦାରୀର ପ୍ରାବଧାନକୁ କୋହଳ କରିବା ଧରାଯାଇଥିଲା । ଏହାପରେ ଦଳିତ ସଂଗଠନମାନଙ୍କ ବିରୋଧକୁ ଦେଖି କେନ୍ଦ୍ର ସରକାର ନିଷ୍ପତ୍ତିର ପୁନର୍ବିଚାର ପାଇଁ ଯାଚିକା ଦାଖଲ କରିଥିଲେ ।

ସୁପ୍ରିମକୋର୍ଟଙ୍କ ତିନି ଜଣିଆ ଖଣ୍ଡପୀଠ ଜଷ୍ଟିସ ଅରୁଣ ମିଶ୍ର, ଏମଆର ଶାହା ଏବଂ ୱିଆର ଗବଇ ମଙ୍ଗଳବାର ଦିନ ଶୁଣାଣି କରି କହିଛନ୍ତି ଅନୁସୂଚିତ ଜାତି ଏବଂ ଅନୁସୂଚିତ ଜନଜାତିର ସଂଘର୍ଷ ଆଜି ପର‌୍ୟ୍ୟନ୍ତ ଶେଷ ହୋଇ ନାହିଁ । କୋର୍ଟ କହିଛନ୍ତି ଏସସି-ଏସଟି ଗୋଷ୍ଠୀର ଲୋକଙ୍କୁ ଏବେ ମଧ୍ୟ ଛୁଆଁଛୁଇଁ, ଦୁର୍ବ୍ୟବହାର ଏବଂ ସାମାଜିକ ବହିଷ୍କାରର ସାମ୍ମୁଖୀନ ହେବାକୁ ପଡୁଛି ।

ସୂଚନାଯୋଗ୍ୟ ଯେ କେନ୍ଦ୍ର ସରକାର ପୂର୍ବରୁ ସୁପ୍ରିମକୋର୍ଟଙ୍କ ପୂର୍ବ ଆଦେଶ ପରେ ସଂସଦରେ ଆଇନ ପ୍ରଣୟନ କରି ଅଗ୍ରୀମ ଜାମିନ ପାଇଁ ଥିବା ନିୟମକୁ ଶେଷ କରିଥିଲେ । ଉଲ୍ଲେଖଯୋଗ୍ୟ ଯେ ସୁପ୍ରିମକୋର୍ଟଙ୍କ ପୂର୍ବ ରାୟକୁ ଦଳିତ ସଂଗଠନମାନେ ବିରୋଧ କରିଥିଲେ ଯାହା ପରେ ମୋଦୀ ସରକାର ଅଗଷ୍ଟ ୨୦୧୮ ମସିହାରେ ସଂସଦରେ ନିୟମ ପ୍ରଣୟନ କରି ନିଷ୍ପତ୍ତିକୁ ବଦଳାଇଥିଲେ । ଏସସି-ଏସଟି ଆକ୍ଟ ସୋଂଶଧନ ବିଧେୟକ ୨୦୧୮ର ମୂଳ ଆଇନରେ ଧାରା ୧୮ଏକୁ ଯୋଡି ପୁରୁଣା ଆଇନକୁ ପୁଣି ଥିରେ ଲାଗୁ କରିଥିଲେ ।

ଏହାପୂର୍ବରୁ ସୁପ୍ରିମକୋର୍ଟ ଏସସି-ଏସଟି ଆକ୍ଟ ଅନୁସାରେ ତତ୍କାଳ ଗିରଫଦାରୀ ଉପରେ ରୋକ ଏବଂ ଅଗ୍ରୀମ ଜାମିନକୁ ମଞ୍ଜୁରୀ ପ୍ରଦାନ କରିଥିଲେ । ସାରା ଦେଶରେ କୋର୍ଟଙ୍କ ନିଷ୍ପତ୍ତି ବିରୋଧରେ ପ୍ରଦର୍ଶନ ହୋଇଥିଲା ।