କମଲେଶ ତିୱାରୀଙ୍କ ପତ୍ନୀ କିରଣ ତିୱାରୀ ହେବେ ହିନ୍ଦୁ ସମାଜ ପାର୍ଟିର ସଭାପତି

ଲଖନଉ: ବହୁ ଚର୍ଚ୍ଚିତ ଉତ୍ତର ପ୍ରଦେଶର ରାଜଧାନୀ ଲଖନଉରେ ହିନ୍ଦୁ ସମାଜ ପାର୍ଟିର ଅଧ୍ୟକ୍ଷ କମଲେଶ ତିୱାରୀଙ୍କୁ ହତ୍ୟା କରାଯିବା ପରେ ପାର୍ଟି ପାଇଁ ନୂତନ ସଭାପତି ଘୋଷଣା ହୋଇଛି । ଜାତୀୟ ଗଣମାଧ୍ୟମ ସଂସ୍ଥାର ରିପୋର୍ଟ ଅନୁସାରେ କମଲେଶ ତିୱାରୀଙ୍କ ପତ୍ନୀ କିରଣ ତିୱାରୀ ହିନ୍ଦୁ ସମାଜର ସଭାପତି ହେବେ । ସୂଚନାଯୋଗ୍ୟ ହିନ୍ଦୁ ସମାଜର ପୂର୍ବତନ ସଭାପତି କମଲେଶ ତିୱାରୀଙ୍କୁ ଚଳିତ ମାସ ୧୮ ତାରିଖରେ ହତ୍ୟା କରାଯାଇଥିଲା । ପାର୍ଟି ୭ ଦିନ ମଧ୍ୟରେ କମଲେଶ ତିୱାରୀଙ୍କ ପତ୍ନୀ କିରଣଙ୍କୁ  ନୂତନ ସଭାପତି ପଦରେ ନିଯୁକ୍ତି ଦେଇଛି ।

ହିନ୍ଦୁ ସମାଜ ପାର୍ଟିର ପୂର୍ବତନ ଅଧ୍ୟକ୍ଷ କମଳେଶ ତିୱାରୀ ହତ୍ୟା ଘଟଣାର ୫ ଦିନ ପରେ ଗତ ୨୨ ତାରିଖରେ ମୁଖ୍ୟ ଅଭିଯୁକ୍ତ ଅଶଫାକ ପଠାଣ ଓ ମୋଇନୁଦ୍ଦିନ ପଠାନକୁ ଗୁଜୁରାଟ ଏଟିଏସ ଗିରଫ ହୋଇଛନ୍ତି । ଉଭୟ ଅଭିଯୁକ୍ତକୁ ଗୁଜୁରାଟ-ରାଜସ୍ଥାନ ସୀମାରୁ ଗିରଫ କରାଯାଇଛି । ଅଭିଯୁକ୍ତମାନେ ନିଜର ଭୁଲ ସ୍ୱୀକାର କରିଛନ୍ତି । ଏହା ପୂର୍ବରୁ ଗୁଜୁରାଟରୁ ଧରାପଡ଼ିଥିବା ଅନ୍ୟ ୩ ଅଭିଯୁକ୍ତଙ୍କୁ କୋର୍ଟରେ ହାଜର କରାଯାଇଛି ।  

ଡିଆଇଜି (ଏଟିଏସ, ଗୁଜୁରାଟ) ହିମାଂଶୁ ଶୁକ୍ଲାଙ୍କ ନିର୍ଦେଶରେ ଏସପି ବିପି ରୋଜିୟା, ଏସିପି ବିଏସ ଚାୱଡା ଓ ଅନ୍ୟ ଅଧିକାରୀମାନେ କମଳେଶ ତିୱାରୀ ହତ୍ୟା ମାମଲାରେ କୁଖ୍ୟାତ ଅପରାଧୀ ଅଶଫାକ (୩୪) ଓ ମୋଇନୁଦ୍ଦିନଙ୍କୁ ଗିରଫ କରିଥିଲେ । ଅଶଫାକ ସୁରଟର ଲିମ୍ବାୟତସ୍ଥିତ ଗ୍ରୀନ ଭୁ୍ୟ ଆପାର୍ଟମେଣ୍ଟରେ ରହୁଥିଲା । ମୋଇନୁଦ୍ଦିନ ଖୁର୍ସିଦ ପଠାନ ସୁରଟସ୍ଥିତ ଉମାରୱାଡାସ୍ଥିତ ଲୋ କଷ୍ଟ କଲୋନୀ ନିବାସୀ ଅଟେ । ସୂଚନାଯୋଗ୍ୟ ଅଶଫାକ ପେଶାରେ ଜଣେ ମେଡିକାଲ ରିପ୍ରେଜେଣ୍ଟିଟଭ ଏବଂ ମୋଇନୁଦ୍ଦିନ ଖାଦ୍ୟ ଡେଲିଭରି କରୁଥିବା ଜଣେ ବାଳକ ।