ଦିଶାଙ୍କୁ ଝଟକ୍କା : ବଢୁଛି କିଆରାଙ୍କ କ୍ରେଜ

ମୁମ୍ବାଇ : ଫିଲ୍ମ ‘ଏମ୍ଏସ୍ ଧୋନି-ଦି ଅନ୍ଟୋଲ୍ଡ ଷ୍ଟୋରୀ’ରେ ଦିଶା ପଟାନିଙ୍କୁ ମିଳିଥିଲା ଏକ ଛୋଟିଆ ଚରିତ୍ର । ଯେଉଁଥିରେ ଧୋନିଙ୍କୁ ପାଇବାକୁ ଆଶାୟୀ ଚରିତ୍ରର ଏକ କାର୍ ଦୁର୍ଘଟଣାରେ ମୃତ୍ୟୁ ହୋଇଯାଉଛି । ଏହି ଦୁର୍ଘଟଣା ପରେ କିଆରା ଆଡ୍ଭାନି ସାକ୍ଷୀ ଚରିତ୍ରରେ ଆସି ଧୋନିଙ୍କୁ ପାଇଥିଲେ । ଭାବୁଥିବେ ଏ କାହାଣୀକୁ ବର୍ତ୍ତମାନ ଉପସ୍ଥାପନ କରିବାର କାରଣ କ’ଣ? କାରଣ ରିୟଲ୍ ଲାଇଫ୍ରେ ବି ଉଭୟଙ୍କ ମଧ୍ୟରେ ଏମିତି ଏକ ଘଟଣା ଘଟିଛି, ଯାହା ଫଳରେ ଦିଶାଙ୍କୁ ଶକ୍ତ ଝଟ୍କା ଦେଇଛନ୍ତି କିଆରା ।

ଏକ ଖାସ୍ ବ୍ରାଣ୍ଡ୍ର ଟଲକମ୍ ପାଉଡର୍ର ପ୍ରମୋଶନ କରୁଥିଲେ ଦିଶା । କିଛି ସମୟ ପରେ ଉକ୍ତ କମ୍ପାନୀର ଫେଶ୍ୱାଶ୍ ବିଜ୍ଞାପନ ପାଇଁ କିଆରାଙ୍କୁ ସାଇନ୍ କରାଗଲା । ବେଶ୍ କିଛି ଦିନ ହେବ ଉଭୟ ନିଜ ନିଜ ଉତ୍ପାଦକୁ ନେଇ ଦର୍ଶକଙ୍କ ସମ୍ମୁଖରେ ବିଜ୍ଞାପନ ଉପସ୍ଥାପନ କଲେ । କିନ୍ତୁ ଏଇ ସମୟ ଭିତରେ ଦିଶାଙ୍କୁ ମିଳିଲା ‘ବାଗି-୨’ର ଅଫର୍ । ଫିଲ୍ମରେ ଟାଇଗର୍ ସ୍ରଫ୍ଙ୍କ ସହ ତାଙ୍କ କେମିଷ୍ଟ୍ରିକୁ ଦର୍ଶକ ବେଶ୍ ପସନ୍ଦ କରିବାରୁ ଦିଶା ନିଜର ଅଧିକାଂଶ ସମୟ ଟାଇଗର୍ଙ୍କ ସହ ଅତିବାହିତ କଲେ । ଏତିକିବେଳେ କରନ୍ ଜୋହାର୍ଙ୍କ ଫିଲ୍ମ ‘ଲଷ୍ଟଷ୍ଟୋରିଜ୍’ରେ ଏକ ଦମ୍ଦାର୍ ସିନ୍ ଦେଇ ତାଙ୍କର ପ୍ରିୟ ହୋଇଗଲେ କିଆରା । ଏଣୁ କରନ୍ ‘କଳଙ୍କ’ ଏବଂ ‘ଗୁଡ୍ ନ୍ୟୁଜ୍’ ପାଇଁ କିଆରାଙ୍କୁ ସାଇନ୍ କରିନେଲେ । କିଆରାଙ୍କ ଲୋକପ୍ରିୟତା ବୃଦ୍ଧି ଦେଖି ଟଲକମ୍ ପାଉଡର୍ କମ୍ପାନୀ ଦିଶାଙ୍କୁ ହଟାଇ କିଆରାଙ୍କୁ ସ୍ଥାନିତ କରିଦେଲା । ଏହି ନିଷ୍ପତ୍ତି ଦିଶାଙ୍କୁ ସ୍ତବ୍ଧ କରିଦେଇଥିବା ବେଳେ କିଆରା ଏବେ ଉଭୟ ଫେଶ୍ୱାଶ୍ ଏବଂ ପାଉଡର୍ ବିଜ୍ଞାପନରେ ଅଭିନୟ କରି ମାଲାମାଲ୍ ହେଉଛନ୍ତି ।