ଖୋର୍ଦ୍ଧା କ୍ଲିନିକ୍ ରେ ଡାକ୍ତର ଓ ତାଙ୍କ ସହଯୋଗୀଙ୍କୁ ଗୁଳିମାଡ ଘଟଣା: ପୋଲିସକୁ ମିଳିଲା ଅପରାଧୀଙ୍କ ସୁରାକ

ଭୁବନେଶ୍ୱର: ଖୋର୍ଦ୍ଧାର ଏକ କ୍ଲିନିକ୍ ରେ ପଶି ଡାକ୍ତର ଏବଂ ତାଙ୍କ ସହଯୋଗୀଙ୍କୁ ଗୁଳିମାଡ କରିବା ଘଟଣାରେ ଅପରାଧୀଙ୍କ ସମ୍ପର୍କରେ ସୂଚନା ମିଳିଥିବା ନେଇ ସୂଚନା ଦେଇଛନ୍ତି ଖୋର୍ଦ୍ଧା ପୋଲିସ ଅଧୀକ୍ଷକ । ସେ କହିଛନ୍ତି ଯେ, ଶିଶୁରୋଗ ବିଶେଷଜ୍ଞ ଡାକ୍ତର ମାନସ ଦାସଙ୍କ ହତ୍ୟା ପାଇଁ ସୁପାରି କିଲର ଦିଆଯାଇଥିଲା । ତେବେ ଖୁବ୍ ଶୀଘ୍ର ଉକ୍ତ ଅପରାଧୀଙ୍କୁ ଗିରଫ କରାଯିବ ବୋଲି କହିଛନ୍ତି ପୋଲିସ ଅଧୀକ୍ଷକ ।

ପ୍ରକାଶ ଯେ, ରବିବାର ସନ୍ଧ୍ୟା ପ୍ରାୟ ସାଢେ଼ ୬ଟା ବେଳେ କ୍ଲିନିକ୍ ଭିତରେ ଶିଶୁ ରୋଗ ବିଶେଷଜ୍ଞ ଡା. ମାନସ ଦାସ ଓ ତାଙ୍କ ପତ୍ନୀ ବସିଥିବା ବେଳେ ଜଣେ ବ୍ୟକ୍ତି ମୁହଁରେ ମଂକିକ୍ୟାପ୍ ଘୋଡ଼ାଇ ସାଧାରଣ ରୋଗୀଙ୍କ ଭଳି ଜୋତା ଖୋଲି କ୍ଲିନିକରେ ପ୍ରବେଶ କରିଥିଲା। ଦୁର୍ବୃତ ଜଣକ ସିଧାସଳଖ ଡାକ୍ତରଙ୍କ କ୍ୟାବିନ୍ ଭିତରେ ପଶି ଡାକ୍ତର ଦାସଙ୍କୁ ଗାଳି ଗୁଲଜ କରିବା ସହିତ ତାଙ୍କ ଉପରକୁ ଦୁଇ ରାଉଣ୍ତ ଗୁଳି କରିଥିଲା। ଗୋଟିଏ ଗୁଳି ଡାକ୍ତରଙ୍କ ବାମପଟ ଛାତି ତଳେ ବାଜିଥିବା ବେଳେ ଅନ୍ୟ ଗୁଳିଟି ତଳିପେଟରେ ବାଜିଥିଲା।

ଗୁଳି ଶବ୍ଦ ଓ ଲୋକଙ୍କ ପାଟି ଶୁଣି ତଳେ କୋଠାରେ ଥିବା ଏକ ଔଷଧ ଦୋକାନର ମାଲିକ କୃଷ୍ଣଚନ୍ଦ୍ର ସାହୁ ଓରଫ ସନ୍ତୁ ଡାକ୍ତରଙ୍କ ପାଖକୁ ଦୌଡ଼ି ଆସିଥିଲେ। ଦୁର୍ବୃତକୁ ଅଟକାଇବାକୁ ଚେଷ୍ଟା କରିବା ବେଳେ ତାଙ୍କ ଉପରକୁ ମଧ୍ୟ ଗୁଳିମାଡ଼ ହୋଇଥିଲା। ଗୁଳିଟି କୃଷ୍ଣଚନ୍ଦ୍ରଙ୍କ ଡାହଣ ପଟ ତଳିପେଟରେ ବାଜିଥିଲା। ଏହାପରେ ଦୁର୍ବୃତ୍ତ ଜଣକ ସେଠାରୁ ଚାଲିଯାଇଥିଲା।

ଆଖପାଖର ଲୋକ ଓ ସେଠାରେ ଅପେକ୍ଷା କରିଥିବା ରୋଗୀଙ୍କ ସମ୍ପର୍କୀୟମାନେ ଡାକ୍ତର ଦାସ ଓ କୃଷ୍ଣଚନ୍ଦ୍ରଙ୍କୁ ନେଇ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। ସେଠାରୁ ତାଙ୍କୁ ଭୁବନେଶ୍ୱରର ଆମ୍ରି ହସ୍ପିଟାଲ୍ ସ୍ଥାନାନ୍ତର କରାଯାଇଥିଲା।ସେଠାରେ କୃଷ୍ଣଚନ୍ଦ୍ର ସାହୁଙ୍କର ମୃତ୍ୟୁ ହୋଇଥିଲା।