ପୁରୀରୁ ଜବତ ହେଲା ୭ ମଣିଷ ଖପୁରୀ , ଗୁଣିଗାରେଡ଼ି ସନ୍ଦେହ

ପୁରୀ : ପୁରୀରେ ପୁଣି ମଣିଷ ଖପୁରୀ ଜବତ । ପୁରୀ ସରକାରୀ କମଳା ହସପିଟାଲ ପଛ ପଟୁ ମିଳିଛି  ଏକ ବସ୍ତାରେ ଥିବା ୭ ଟି ଖପୁରୀ । ସମୁଦ୍ରକୂଳ ଥାନା ପୋଲିସ ଖପୁରୀ ଜବତ କରି ଫୋରେନେସିକ୍ ଯାଞ୍ଚ ପାଇଁ ନେବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି । ଘଟଣା ପଛରେ ଗୁଣିଗାରେଡ଼ି କିମ୍ବା ଖପୁରୀ ଚାଲାଣ ରାକେଟ୍ ଥାଇପାରେ ବୋଲି ସନ୍ଦେହ କରାଯାଉଛି।

ପୁଣି ମିଳିଲା ମଣିଷ ଖପୁରୀ । ପୁରୀରୁ ଜବତ ହେଲା ୭ ମଣିଷ ଖପୁରୀ । ଘୋଡ଼ବଜାର ସ୍ଥିତ ସରକାରୀ କମଳା ହସ୍ପିଟାଲ ପରିସର ପଛ ପାଖରେ ଜବତ ହୋଇଛି ଏସବୁ ଖପରୀ।  ହସପିଟାଲ ପରିସରରେ ରହୁଥିବା ଜଣେ  କର୍ମଚାରୀ କହିବା କଥା  ଗତ ୭ ତାରିଖରେ ଜଣେ ଯୁବକ ଏକ ବାଇକରେ ଆସି ଏଣେ ତେଣେ ବୁଲିଲେ । ଆଉ ସୁଯୋଗ ଦେଖି   ବସ୍ତା ପକାଇ ପଳାଇଥିଲେ । ଏ ନେଇ ସ୍ଥାନୀୟ ଲୋକେ ଜାଣିବା ପରେ ସମୁଦ୍ରକୂଳ ଥାନା ପୋଲିସକୁ ଖବର ଦେଇଥିଲେ ।  ପୋଲିସ ଘଟଣାସ୍ଥଳରେ ପହଞ୍ଚି ଖପୁରୀ ଜବତ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି।

ସିସିଟିଭି ଲାଗିଛି ହସ୍ପିଟାଲରେ ।  ସୁରକ୍ଷାକର୍ମୀ  ବି ଥିଲେ । ହେଲେ ସଂପୃକ୍ତ ବ୍ୟକ୍ତିର ଟେର ମିଳୁନି?  ପୁଣି ଦୁଇ ଦିନ ଯାଏଁ କାହିଁକି ପଡ଼ିରହିଥିଲା ଖପୁରୀ ବସ୍ତା ?  ହସପିଟାଲର ମେଡ଼ିକାଲ୍ ଅଫିସର କହିଛନ୍ତି ଏ ନେଇ ତାଙ୍କ ପାଖରେ କିଛି ଖବର ନଥିଲା । ତଦନ୍ତରେ ପୋଲିସକୁ ସବୁପ୍ରକାର ସହଯୋଗ କରାଯିବ।

ପୂର୍ବରୁ ମେରାଇନ୍ ଡ୍ରାଇଭ ରୋଡ୍ ଲିଆଖିଆ ବ୍ରିଜ୍, ଶ୍ରୀମନ୍ଦିର ଉତ୍ତର ଦ୍ବାର, ସିଦ୍ଧ ମହାବୀରସ୍ଥିତ ମନୁବାବାଙ୍କ ଆଶ୍ରମରୁ ଖପୁରୀ ଜବତ ହୋଇଛି । ପ୍ରଶ୍ନ ଉଠୁଛି ପୁରୀରୁ ବାରମ୍ବାର କାହିଁକି ଖପରୀ ଜବତ ହେଉଛି। କଣ ଏସବୁ ଖପୁରୀ  ସ୍ବର୍ଗଦ୍ବାରର ଅଧାପୋଡ଼ା ଶବରୁ କେହି ସଂଗ୍ରହ କରିଛି। କଣ ପୁରୀରେ ଖପୁରୀ ରାକେଟ୍ ସକ୍ରୀୟ ରହିଛି। ନା ଗୁଣିଗାରେଡ଼ି ପାଇଁ କେହି ଏସବୁ କାଣ୍ଡ କରୁଛି। ଲୋକଙ୍କ ମନରେ ନାନାଦି ପ୍ରଶ୍ନ ଉଙ୍କି ମାରୁଛି।