କଟକ: ବାଦାମବାଡି ବସଷ୍ଟାଣ୍ଡ ଉଠି ଖାନନଗରରେ ନୂତନ ବସଷ୍ଟାଣ୍ଡ ହେବା ନେଇ ପୂର୍ବରୁ ଘୋଷଣା ହୋଇଥିଲା । ଯାହାର ପ୍ରକ୍ରିୟା ଆଜିଠାରୁ ଆରମ୍ଭ ହୋଇଛି । ଆଜି ସକାଳ ପ୍ରାୟ ସାଢ଼େ ୮ଟା ସମୟରେ କଟକ ଜିଲ୍ଲାପାଳ ଭବାନୀଶଙ୍କର ଚଇନୀ, ଅତିରିକ୍ତ ଜିଲ୍ଲାପାଳ ପୂର୍ଣ୍ଣଚନ୍ଦ୍ର ମିଶ୍ର , ଉପଜିଲ୍ଲାପାଳ ଶୁଭ୍ରାଂଶୁ ଶେଖର ମିଶ୍ର , ସିଏମସି କମିସନର୍ ଅନନ୍ୟା ଦାସ ଓ ଅନ୍ୟ ପ୍ରଶାସନିକ ଅଧିକାରୀମାନେ ପ୍ରସ୍ତାବିତ ଅଂଚଳ ପରିଦର୍ଶନ କରିଥିଲେ। ସେମାନେ ଏହି ସମୟରେ ଖାନନଗର ରିଂଗ ବନ୍ଧ ଆଖପାଖ ବସ୍ତି ଓ ବିଶ୍ୱନାଥ ପାଠାଗର ଆଦି ବୁଲି ଦେଖିଛନ୍ତି।
ଏହି ସରକାରୀ ଅଧିକାରୀମାନେ ବସ୍ଷ୍ଟାଣ୍ଡ ପାଇଁ ଆବଶ୍ୟକ ହେଉଥିବା ୩୦ ଏକର ଜମିକୁ କିପରି ଚିହ୍ନଟ କରାଯିବ ତାହାର ତଦାରଖ କରିଥିଲୋ ଏଠାରୁ କିପରି ଉଚ୍ଛେଦ କରାଯାଇ ଶୀଘ୍ର ନୂତନ ବସଷ୍ଟାଣ୍ଡ କାମ ଆରମ୍ଭ କରାଯିବ ସେ ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଥିଲା ବୋଲି ଜଣାଯାଇଛି। ଖୁବଶୀଘ୍ର ଏହାର ଡିପିଆର ପ୍ରସ୍ତୁତ କରାଯାଇ ରାଜ୍ୟ ସରକାରଙ୍କ ପାଖରେ ଉପସ୍ଥାପନ କରାଯିବ ବୋଲି ଜଣାଯାଇଛି।
ଅପରପକ୍ଷରେ ଆଜିଠାରୁ କଟକରେ ଥିବା ପୁରୀ ଓ ଅନୁଗୁଳ ବସଷ୍ଟାଣ୍ଡର ମରାମତି ଏବଂ ନବୀକରଣ କାମ ଆରମ୍ଭ ହୋଇଛି। ଏହି କାମ ଏକ ମାସ ଭିତରେ ଶେଷ କରିବାକୁ ଯୋଜନା ହୋଇଛି।
ସୂଚନାଯୋଗ୍ୟ, ଗତ ୧୦ ତାରିଖରେ ବାଦାମବାଡ଼ି ବସଷ୍ଟାଣ୍ଡରେ ପହଂଚି ୫-ଟି ସଚିବ ଭିକେ ପାଣ୍ଡିଆନ୍ ସେଠାକାର ସ୍ଥିତି ଅନୁଧ୍ୟାନ କରିଥିଲେ। ତାଙ୍କ ସହ ପୋଲିସ କମିସନର୍ ଡକ୍ଟର ସୁଧାଂଶୁ ଷଡ଼ଙ୍ଗୀ, ପୂର୍ତ ସଚିବ କ୍ରିଷନ୍ କୁମାର, ସିଏମସି କମିସନର୍, କଟକ ଜିଲ୍ଲାପାଳ ଏବଂ ଆରଡିସି ମଧ୍ୟ ଗସ୍ତ କରିଥିଲେ ।