କେରଳରେ ଅନ୍ତଃସତ୍ଵା ହାତୀର ମୃତ୍ୟୁ ଘଟଣା : ହତ୍ୟାକାରୀଙ୍କୁ ଧରାଇ ଦେଲେ ମିଳିବ ୧ଲକ୍ଷ ଟଙ୍କାର ପୁରସ୍କାର

ତିରୁବନନ୍ତପୁରମ୍‌: ଜଙ୍ଗଲୀ ଅନ୍ତଃସତ୍ଵା ହାତୀ ମୃତ୍ୟୁର କାରଣ ହୋଇଥିବା ବ୍ୟକ୍ତିମାନଙ୍କୁ ଧରିବାକୁ କେରଳ ରାଜ୍ୟ ବନ ବିଭାଗ ବିଧିବଦ୍ଧ ଅଭିଯାନ ଆରମ୍ଭ କରି ଦେଇଛନ୍ତି। ଏଥିସହିତ ଓ୍ଵାଇଲ୍ଡ ଲାଇଫ୍‌ ଏସ୍‌ଓଏସ୍‌ ‌ ହତ୍ୟାରେ ସାମିଲ ଅଭିଯୁକ୍ତଙ୍କୁ ଧରାଇ ଦେଲେ ଏକଲକ୍ଷ ଟଙ୍କାର ପୁରସ୍କାର ରାଶିର ଘୋଷଣା କରିଛନ୍ତି। ଯିଏବି ଏହି ମାମଲାରେ ବନବିଭାଗଙ୍କ ସାହାଯ୍ୟ କରିବ ତାଙ୍କୁ ଓ୍ଵାଇଲ୍ଡ ଲାଇପ୍‌ ଏସ୍‌ଓଏସ୍‌ ପକ୍ଷରୁ ଏହି ପୁରସ୍କାର ପ୍ରଦାନ କରାଯିବ।

ଏହି ଘଟଣାକୁ ନେଇ ଏକ ନମ୍ବର ଜାରି କରାଯାଇଛି। ଯେଉଁମାନେ ହାତୀ ହତ୍ୟାର ହତ୍ୟାକାରୀକୁ ଖୋଜିବା ଅଭିଯାନରେ ସହଯୋଗ କରିବାକୁ ଚାହୁଁଛନ୍ତି ସେମାନେ ହେଲପ୍‌ଲାଇନ୍‌ ନମ୍ବର +୯୧-୯୯୭୧୬୯୯୨୭ରେ କଲ୍‌ କରିପାରିବେ। ଅଥବା info@wildlifesos.orgରେ ମେଲ ବି କରି ପାରିବେ।

କେବଳ ଓ୍ଵାଇଲ୍ଡ ଲାଇଫ୍‌ ଏସ୍‌ଓଏସ୍‌ ନୁହେଁ ଅନ୍ତସତ୍ଵା ହାତୀର ହତ୍ୟାକାରୀଙ୍କୁ ଯିଏ ଧରାଇ ଦେବ ତାଙ୍କୁ ଏଚଏସ୍‌ଆଇ ଇଣ୍ଡିଆ ପକ୍ଷରୁ ୫୦,୦୦୦ଟଙ୍କାର ପୁରସ୍କାର ଦିଆଯିବ।

ବୁଧବାର ଦିନ କେରଳର ମୁଖ୍ୟମନ୍ତ୍ରୀ ପିନରାୟି ବିଜୟନ କହିଥିଲେ ଯେ ପାଲକ୍କଡ଼ ଜିଲ୍ଲା ଅନ୍ତର୍ଗତ ମନ୍ନରକାଡ଼ ବନ ଉପଖଣ୍ଡରେ ଘଟିଥିବା ଏହି ଘଟଣାର ପ୍ରାଥମିକ ତଦନ୍ତ ଆରମ୍ଭ ହୋଇଛି। ଏହି କାମ ପାଇଁ ଯେଉଁମାନେ ଦାୟୀ ସେମାନଙ୍କ ବିରୋଧରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପୁଲିସକୁ ନିର୍ଦେଶ ଦିଆଯାଇଛି। ଏଥିରେ ସମ୍ପୃକ୍ତ ଅଜ୍ଞାତ ବ୍ୟକ୍ତିମାନଙ୍କ ବିରୋଧରେ ମାମଲା ମଧ୍ୟ ରୁଜୁ କରାଯାଇଛି।