କେରଳରେ ଅନ୍ତଃସତ୍ତ୍ୱା ହାତୀର ମୃତ୍ୟୁ ଘଟଣା : ଜଣେ ଅଭିଯୁକ୍ତ ଗିରଫ

କେରଳ: କେରଳ ମାଲାପୁରାମ ଜିଲ୍ଲାରେ ଗର୍ଭବତୀ ହାତୀ ମୃତ୍ୟୁ ମାମଲାରେ ଜଣେ ଅଭିଯୁକ୍ତଙ୍କୁ ଗିରଫ କଲା କେରଳ ପୋଲିସ । ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଗିରଫ ହୋଇଥିବା ବ୍ୟକ୍ତି ଜଣକ କ୍ଷେତରେ କାମ କରନ୍ତି । ଗୋଟିଏ ଦିନ ପୂର୍ବରୁ ହିଁ ମୃତ୍ୟୁ ଘଟଣାର ତଦନ୍ତ କରୁଥିବା କେରଳ ବନ ବିଭାଗ ଦୁଇ ଜଣଙ୍କୁ ସନ୍ଦେହରେ ଅଟକ ରଖି ପଚରା ଉଚୁରା କରୁଥିଲା ।

ସୂଚନାଯୋଗ୍ୟ ଯେ, କେରଳର ମାଲାପୁରାମରେ ଜଣେ ଗର୍ଭବତୀ ହାତୀର ମୃତ୍ୟୁକୁ ନେଇ ସମଗ୍ର ଦେଶରେ ଚର୍ଚ୍ଚା ଯୋର ଧରିଛି । ଯେତେବେଳେ ଗର୍ଭବତୀ ହାତୀ ଖାଦ୍ୟ ଖୋଜିବା ପାଇଁ ଜଙ୍ଗଲ ନିକଟରେ ଥିବା ଏକ ଗ୍ରାମରେ ପହଞ୍ଚିଥିଲା, କିଛି ଶିକାରୀ ପ୍ରକୃତିର ଲୋକ ଏକ ସପୁରୀ ମଧ୍ୟରେ ବିସ୍ଫୋରକ ଭର୍ତ୍ତି କରି ହାତୀଟିକୁ ଖାଇବାକୁ ଦେଇ ଦେଇଥିଲେ | ବିସ୍ଫୋରଣ ହେତୁ ହାତୀଟିର ମୁହଁରେ ଗଭୀର କ୍ଷତ ହୋଇ ଯାଇଥିଲା । କ୍ଷତଟି ଏତେ ଗଭୀର ଥିଲା ଯେ ହାତୀଟି ଖାଦ୍ୟ ପାଣି ମଧ୍ୟ ଗ୍ରହଣ କରିପାରି ନଥିଲା | କଷ୍ଟରୁ ଉପଶମ ପାଇବା ପାଇଁ ହାତୀଟି ସ୍ଥାନୀୟ ନଦୀ ପାଣିରେ ବୁଡ଼ି ରହିଥିଲା । ହାତୀଟି ପାଲକ୍କଡ ଜିଲ୍ଲାର ସାଇଲେଣ୍ଟ ଭ୍ୟାଲି ନ୍ୟାସନାଲ ପାର୍କରେ ରହୁଥିଲେ। ବୁଧବାର ଏହି ଦୁଃଖଦ ଘଟଣା ସମ୍ପର୍କରେ ସ୍ଥାନୀୟ ମନାର୍କଡୁ ପୋଲିସ ଷ୍ଟେସନ ପକ୍ଷରୁ ଏକ ମାମଲା ରୁଜୁ ହୋଇଛି।