କନ୍ନୁର: ଜଣେ ଶ୍ରମିକ ଲଟେରି ଜିତି କୋଟିପତି ହୋଇଛନ୍ତି । ତେବେ କେରଳର କନ୍ନୁର ଜିଲ୍ଲାର ଜଣେ ଶ୍ରମିକ ଫେବୃଆରି ୧୦ରେ ଅନୁଷ୍ଠିତ “କେରଳ ନିୟୁ ଇୟର କ୍ରିସମାସ୍ ବମ୍ପର” ଲଟେରି ଉଠାଣରେ ୧୨କୋଟି ଟଙ୍କାର ପ୍ରଥମ ପୁରସ୍କାର ଜିତିଛନ୍ତି ।
ଶ୍ରମିକ ଜଣକ ହେଉଛନ୍ତି ତୋଲାମ୍ବରସ୍ଥିତ ପୁରଲିମାଲା କୌତାଚଳ କୁରିଚିଆ କଲୋନିର ୫୮ ବର୍ଷିୟ ପେରୁନ୍ନୋନ୍ ରାଜନ। ଟିକସ୍ କଟିଯିବା ପରେ ତାଙ୍କୁ ୭. ୨ କୋଟି ଟଙ୍କା ମିଳିବ। ଦିନ ମଜୁରିଆ ଭାବେ ଏଣୁତେଣୁ କାମ କରି ବହୁ କଷ୍ଟରେ ପରିବାରର ଗୁଜୁରାଣ ମେଂଟାନ୍ତି ରାଜନ। ଦିନେ ନା ଦିନେ ଲଟେରି ଉଠିବ ବୋଲି ଆାଶା ରଖି ଆର୍ଥିକ ଅନଟନ ସତ୍ୱେ ସେ ସବୁବେଳେ ଲଟେରି ଟିକେଟ ଖରିଦ କରନ୍ତି।
ଲଟେରି ଉଠିବା ପରେ ସେ କହିଛନ୍ତି, ଏତେ ପରିମାଣର ଲଟେରି ଜିତିବି ବୋଲି କେବେ କଳ୍ପନା କରି ନ ଥିଲି। ଲଟେରି ଫଳ ବାହାରି ସାରିଥିଲେ ବି ମୁଁ ଜିତିଥିବି ବୋଲି ଭାବି ନ ଥିଲି। ବ୍ୟାଙ୍କ୍ରେ ଉକ୍ତ ଟିକେଟ୍ ଦାଖଲ କରିବା ପୂର୍ବରୁ ଆଜି ମୁଁ ଓ ପରିବାର ପୁଣି ଥରେ ଲଟେରି ଫଳ ଯାଂଚ କରିଥିଲୁ।
ଏତେ ପରିମାଣର ଅର୍ଥକୁ କିପରି ବିନିଯୋଗ କରିବେ ତାହା ମଧ୍ୟ ରାଜନ ସ୍ଥିର କରି ନାହାନ୍ତି। ସେ କହନ୍ତି, ପ୍ରଥମେ ମୁଁ ଧାରଉଧାର ଶୁଝିବି। ଦୁଃଖଦୁର୍ଦ୍ଦଶାରେ କାଳକାଟୁଥିବା ଲୋକଙ୍କ ସହାୟତା ପାଇଁ କିଛି କରିବି। କିନ୍ତୁ, ପ୍ରାପ୍ତ ଅର୍ଥକୁ ବାଜେ ଖର୍ଚ୍ଚ କରି ଉଡ଼ାଇ ଦେବି ନାହିଁ।