କେନ୍ଦ୍ରାପଡ଼ାରେ ଏନକାଉଣ୍ଟର: କୁଖ୍ୟାତ ଅପରାଧୀ ମିଟୁନା-ଭେଲୁ ଆହତ

ଭୁବନେଶ୍ୱର: କୁଖ୍ୟାତ ଅପରାଧୀ ମିଟୁନା ଓରଫ ପ୍ରଭାତ ନାୟକ ଓ ଭେଲୁ ଓରଫ ଅନନ୍ତ ପ୍ରସାଦ ଜେନାଙ୍କୁ କେନ୍ଦ୍ରପାଡ଼ା ପୋଲିସ ଶୁକ୍ରବାର-ଶନିବାର ରାତି ଏନକାଉଣ୍ଟର କରିଛି । ଏହି ଅପରାଧୀ ଦ୍ୱୟ ବହୁଚର୍ଚ୍ଚିତ ମାର୍ଶାଘାଇର ମାଣିକୁଣ୍ଡାଇର ଗଗନ ସାହୁ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଥିଲେ । ପୋଲିସ ଉଭୟଙ୍କୁ ଗିରଫ କରିବା ପାଇଁ ପୂର୍ବରୁ ଯୋଜନା କରିଥିଲା । ଶୁକ୍ରବାର ବିଳମ୍ବିତ ରାତି ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିବା ପରେ ପୋଲିସ ସଦଳବଳ ସହ ଘଟଣାସ୍ଥଳରେ ପହଂଚିଥିଲା । 

କଳାପୋଲ ନିକଟରେ ହୋଇଥିବା ଏନକାଉଣ୍ଟରରେ ଅପରାଧୀମାନେ ପୋଲିସ ଉପରକୁ ୨ ରାଉଣ୍ଡ ଗୁଳି କରିଥିଲେ । ପୋଲିସ ମଧ୍ୟ ଏହାର କଡ଼ା ଜବାବ ଦେଇଥିଲା । ମାର୍ଶାଘାଇ ଆଇଆଇସି କାଳନ୍ଦୀ ବେହେରା ୪ ରାଉଣ୍ଡ ଗୁଳି କରିଥିଲେ । ଏଥିରୁ ଭେଲୁର ଦୁଇ ଗୋଡ଼ରେ ୨ଟି ଓ ମିଟୁନାର ଗୋଟିଏ ଗୋଡ଼ରେ ଗୁଳି ବାଜିଛି । ପୋଲିସ ଘଟଣାସ୍ଥଳରୁ ୨ଟି ପିସ୍ତଲ, ଗୁଳି ଓ କଳା ରଙ୍ଗର ପଲସର ଜବତ କରିଥିବା ସୂଚନା ମିଳିଛି । 

ପୋଲିସର ସ୍ୱତନ୍ତ୍ର ଟିମ ମାର୍ଶାଘାଇ-ଅଙ୍ଗୁଳେଇ ରୋଡରେ ପହିଞ୍ଚିଲା ପରେ ମିଟୁନା ଓ ଭେଲୁ ଘଟଣାସ୍ଥଳରୁ ଫେରାର ହେବାକୁ ଉଦ୍ୟମ କରିଥିଲେ । ମାତ୍ର ପୋଲିସ ସେମାନଙ୍କୁ ସେଠାରୁ ପଳାଇବା ପାଇଁ ସୁଯୋଗ ଦେଇ ନ ଥିଲା । ଏନକାଉଣ୍ଟରରେ ଆହତ ହେବା ପରେ ପୋଲିସ ଉଭୟ ଅଭିଯୁକ୍ତଙ୍କୁ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛି।