ଦିଲ୍ଲୀରେ ବିଜୁଳି, ପାଣି ପରେ ଏବେ ମାଗଣାରେ ଇଣ୍ଟରନେଟ

ନୂଆଦିଲ୍ଲୀ: ଦିଲ୍ଲୀରେ ବିଜୁଳି, ପାଣି ପରେ ଏବେ ମାଗଣାରେ ଇଣ୍ଟରନେଟ ଉପଲବ୍ଧ ହେବ ।  ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଦିଲ୍ଲୀବାସୀଙ୍କ ପାଇଁ ଏହି ନୂତନ ଉପହାର ଆଣି ଦେଇଛନ୍ତି । ଦିଲ୍ଲୀବାସୀ ଏବେ ଫ୍ରୀରେ ୱାଇ-ଫାଇ ପାଇ ପାରିବେ । ସମୁଦାୟ ୧୧ ହଜାର ସ୍ଥାନରେ ହଟସ୍ପଟ ଲଗାଯିବ । ଫଳରେ ସାଧାରଣ ଜନତା ପ୍ରତି ମାସ ୧୫ଜିବି ଡାଟା ମାଗଣାରେ ବ୍ୟବହାର କରି ପାରିବେ । ଏହି ସୁବିଧା ସମ୍ପୂର୍ଣ୍ଣ ଭାବରେ ଫ୍ରୀରେ ମିଳିବ । 

କେଜରିୱାଲ ଏହା ମଧ୍ୟ ଘୋଷଣା କରିଛନ୍ତି କି, ଏହି ଦିଗରେ କାମ ଆରମ୍ଭ ହୋଇ ଗଲାଣି । ପ୍ରତି ୟୁଜରଙ୍କୁ ମାସ ପିଛା ୧୫ ଜିବି ଡାଟା ମିଳିବ । ତେବେ ଦିଲ୍ଲୀବାସୀଙ୍କୁ କେଜରିୱାଲଙ୍କ ଏହା ପ୍ରଥମ ଉପହାର ନୁହେଁ । ଏହାପୂର୍ବରୁ ସେ ୨୦୦ ୟୁନିଟ ପର୍ଯ୍ୟନ୍ତ ବିଜୁଳି ମାଗଣାରେ ଦେବାକୁ ଘୋଷଣା କରିଥିଲେ । ଏହା ସହ ସେଠାରେ ୨୦ ହଜାର ଲିଟର ପାନୀୟ ଜଳ ମଧ୍ୟ ମାଗଣାରେ ଯୋଗେଇ ଦିଆଯାଉଛି ।

ଯୋଜନା ଅନୁସାରେ ଦିଲ୍ଲୀରେ ୭୦ ବିଧାନସଭା କ୍ଷେତ୍ରରେ ୧୦୦ଟି ହଟସପଟ ଲଗାଯିବ । ଏଥିପାଇଁ ରାଉଟର୍ସ ଗୁଡିକୁ ସାର୍ବଜନୀନ ସ୍ଥାନରେ ରଖାଯିବ । ଏତଦ୍ ବ୍ୟତୀତ ବସ୍ ଷ୍ଟାଣ୍ଡ ଗୁଡିକରେ ଚାରି ହଜାର ହଟସପଟ ଲଗାଯିବ । ୫୦ ମିଟର ର‌୍ୟାଡିଅସରେ ଲୋକମାନେ ସୁବିଧା ଉଠାଇ ପାରିବେ । ବ୍ୟୟ ବିତ୍ତ ସମିତି ଏହି ପରିଯୋଜନା ପାଇଁ ୯୯କୋଟି ଟଙ୍କା ଆବଣ୍ଟନ ପାଇଁ ମଞ୍ଜୁରୀ ଦେଇ ସାରିଛି । ଏହାର କ୍ରିୟାନ୍ୱୟନ ଦାୟିତ୍ୱ ଲୋକନିର୍ମାଣ ବିଭାଗକୁ ଦିଆଯାଇଛି । ୨୦୧୫ର ବିଧାନସଭା ନିର୍ବାଚନରେ ଆମ ଆଦମୀ ପାର୍ଟି ଦିଲ୍ଲୀବାସୀଙ୍କୁ ଫ୍ରୀରେ ୱାଇ-ଫାଇ ଦେବାକୁ ପ୍ରତିଶୃତି ଦେଇଥିଲା । ଯାହା ସରକାର ଏବେ ପୂରଣ କରିଛନ୍ତି ।