କେସିଆର-ନବୀନ ଭେଟଘାଟ, ଆଞ୍ଚଳିକ ଦଳ ଏକାଠି ହେବା ସପକ୍ଷରେ ମତ ଦେଲେ ଦୁଇ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ର ଶେଖର ରାଓ ଆଜି ଭୁବନେଶ୍ବର ଆସି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି। ନବୀନ ନିବାସରେ ଦୁଇ ନେତା ସାକ୍ଷାତ ଆଲୋଚନା କରିଛନ୍ତି । ଏହାପରେ ମିଳିତ ସାମ୍ବାଦିକ ସମ୍ମିଳନୀରେ ନବୀନ କହିଛନ୍ତି, ଜାତୀୟ ରାଜନୀତି ସମ୍ପର୍କରେ ଆଲୋଚନା ହୋଇଛି । ସେହିପରି ଚାଷୀ, ପୋଲାଭରମ୍‌ ଓ ମହିଳା ସଂରକ୍ଷଣ ବିଲ୍‌ ସମ୍ପର୍କରେ ବି ଆଲୋଚନା ହୋଇଥିଲା । ସେହିପରି କେ. ଚନ୍ଦ୍ରଶେଖରା ରାଓ କହିଛନ୍ତି, ଦେଶବାସୀ ପରିବର୍ତ୍ତନ ଚାହୁଁଛନ୍ତି । ଜାତୀୟ ସ୍ୱାର୍ଥ ଦୃଷ୍ଟିରୁ ଆଗକୁ ସମଭାବାପନ୍ନ ଦଳ ସହ ସମ୍ପର୍କ ନେଇ ଆଲୋଚନା କରାଯିବ ।

ସେହିପରି ଓଡ଼ିଶାବାସୀଙ୍କୁ ପାଇଁ ରାଜ୍ୟ ସରକାର ନେଉଥିବା ବିଭିନ୍ନ ପଦକ୍ଷେପ ପାଇଁ ନବୀନ ପଟ୍ଟନାୟକଙ୍କୁ ପ୍ରଶଂସା କରିଛନ୍ତି ଚନ୍ଦ୍ରଶେଖର ରାଓ । ବିଧାନସଭା ଓ ସଂସଦରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ସ୍ଥାନ ସଂରକ୍ଷଣ ନେଇ ବି ନବୀନଙ୍କ ପଦକ୍ଷେପକୁ ସ୍ୱାଗତ ଓ ସମର୍ଥନ କରିଛନ୍ତି କେ. ଚନ୍ଦ୍ରଶେଖର ରାଓ । ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ଚନ୍ଦ୍ରଶେଖର ରାଓ ନବୀନଙ୍କ ପ୍ରଶାସନକୁ ବହୁ ପ୍ରଶଂସା କରିଛନ୍ତି। ସେ କହିଛନ୍ତି ନବୀନ ସରକାର ଚାଷ ଓ ଚାଷୀଙ୍କୁ ଗୁରୁତ୍ୱ ଦେଉଛି। ନବୀନ ପଟ୍ଟନାୟକ ଚାଷୀଙ୍କ ଉନ୍ନତି ପାଇଁ ପଦକ୍ଷେପ ନେଇଛନ୍ତି। ରାଓ କହିଛନ୍ତି, ସମଭାବାପନ୍ନ ଆଂଚଳିକ ଦଳଗୁଡ଼ିକ ଏକାଠି ହେବା ଦରକାର। ଏ ନେଇ ଆଲୋଚନା ହୋଇଛି ଏବଂ ଆଗାମୀ ଦିନରେ ମଧ୍ୟ ଏହା ଜାରି ରହିବ। କଂଗ୍ରେସ ଓ ବଜେପି ନେଇ ରାଓ କହିଛନ୍ତି, ଆମେ କାହାର ବି ଟିମ୍‌ ନୁହଁ, ଆମେ ଆମର ନିଜ ଟିମ୍‌, ଷ୍ଟେଟ ଟିମ ।

କେ. ଚନ୍ଦ୍ରଶେଖର ରାଓ

ସମଭାବାପନ୍ନ ଆଂଚଳିକ ଦଳଗୁଡ଼ିକ ଏକାଠି ହେବା ଦରକାର

ଆମେ କାହାର ବି ଟିମ୍‌ ନୁହଁ, ଆମେ ଆମର ନିଜ ଟିମ୍‌ : କେ. ଚନ୍ଦ୍ରଶେଖର ରାଓ

ଦେଶକୁ ଆଗାମୀ ଦିନରେ ବଡ ପରିବର୍ତ୍ତନ ଦରକାର

କଂଗ୍ରେସ ଓ ବିଜେପିର ବିକଳ୍ପ ପ୍ରସ୍ତୁତ କରିବୁ

ନବୀନ

ସମଭାବପନ୍ନ ଦଳ ମଧ୍ୟରେ ଏକତା ଓ ବନ୍ଧୁତା କିପରି ବଢିବ ସେଥିନେଇ ଆଲୋଚନା କରିଛୁ

୨୦୧୯ ଲୋକସଭା ନିର୍ବାଚନ ପାଇଁ ଏପର୍ଯ୍ୟନ୍ତ କୌଣସି ଚିନ୍ତା କରିନାହୁଁ

ଆମେ ଷ୍ଟେଟ ଟିମ : ନବୀନ

ଆଗାମୀ ଦିନରେ କଂଗ୍ରେସ ଓ ବିଜେପିର ବିକଳ୍ପ ସୃଷ୍ଟି କରିବା ପାଇଁ ଦୁଇ ନେତାଙ୍କ ମଧ୍ୟରେ ଆଲୋଚନା ହୋଇଥିବା ଉଭୟ ପ୍ରକାଶ କରିଛନ୍ତି । ସମଭାବାପନ୍ନ ଦଳକୁ ଏକାଠି କରିବା ପାଇଁ ଉଦ୍ୟମ କରାଯାଉଥିବା କଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି । ବିଜେପି ଓ କଂଗ୍ରେସର ବିକଳ୍ପ କଥା ଶ୍ରୀ ରାଓ ଉଲ୍ଲେଖ କରିଛନ୍ତି । ଏ ସଂପର୍କରେ ଆଲୋଚନା ଆରମ୍ଭ ହୋଇଛି, ଏହା ଆଗକୁ ଚାଲିବ ବୋଲି ଉଭୟ କହିଛନ୍ତି । ଶ୍ରୀ ରାଓ ଆଜି ନବୀନଙ୍କ ସହ ଆଲୋଚନା ପରେ ଆସନ୍ତା କାଲି ପଶ୍ଚିମବଙ୍ଗ ଯାଇ ମୁଖ୍ୟମନ୍ତ୍ରୀ ମମତା ବାର୍ନାଜୀଙ୍କୁ ଭେଟିବେ ।

ନବୀନ କହିଛନ୍ତି ଆମେ ବିଭିନ୍ନ ବିଷୟରେ ଆଲୋଚନା କରିଛୁ ।  ସମଭାବପନ୍ନ ଦଳ ମଧ୍ୟରେ ଏକତା ଓ ବନ୍ଧୁତା କିପରି ବଢିବ ସେଥିନେଇ ଆଲୋଚନା କରିଛୁ । କିନ୍ତୁ ୨୦୧୯ ଲୋକସଭା ନିର୍ବାଚନ ପାଇଁ ଏପର୍ଯ୍ୟନ୍ତ କୌଣସି ଚିନ୍ତା କରିନାହୁଁ । ଅପେକ୍ଷା କରନ୍ତୁ ଆଗକୁ କଣ ହେଉଛି ଦେଖାଯିବ । ବିଜେପି ଓ କଂଗ୍ରେସ ଭିତରୁ ମୁଖ୍ୟ ବିରୋଧୀ କିଏ ସେ ସଂପର୍କରେ ନବୀନ କୌଣସି ମନ୍ତବ୍ୟ ନଦେଇ କେସିଆର ଉତ୍ତର ଦେବେ ବୋଲି କହିଥିଲେ । କିଏ କାହାର ବି ଟିମ ସେ ବିଷୟରେ ଶୁଣିବା ପାଇଁ ସେ ଚାହାଁନ୍ତି  ବୋଲି ନବୀନ ଉଲ୍ଲେଖ କରିଥିଲେ । କେସିଆର କହିଛନ୍ତି ଏଥିରେ କୌଣସି ଦୁଇମତ ନାହିଁ କି ଏପଟସେପଟ କଥା ନାହିଁ, ଦେଶକୁ ଆଗାମୀ ଦିନରେ ବଡ ପରିବର୍ତ୍ତନ ଦରକାର । ଏଥିପାଇଁ ଆଲୋଚନା ଆରମ୍ଭ ହୋଇଛି । ଆମେ ଉଦ୍ୟମ ଚଳାଇଛୁ । ବର୍ତ୍ତମାନ ସୁଦ୍ଧା ଏ ବିଷୟରେ କୌଣସି ନିର୍ଦ୍ଦିଷ୍ଟ ରୂପରେଖ ନେଇ ନାହିଁ । ଖୁବ ଶୀଘ୍ର ଏହା ଉପରେ ନିଷ୍ପତ୍ତି ନିଆଯିବ । ଏଥିରେ ବିଜେଡି ସାମିଲ ଅଛି । ଆମେ ଉଭୟ ଏଇଠୁ ଉପସ୍ଥିତ ଅଛୁ । ଆମେ ଏବେ ଆଲୋଚନା ଆରମ୍ଭ କରିଛୁ । ପୁଣି ଖୁବ ଶୀଘ୍ର ଭେଟି ଆଲୋଚନା କରିବୁ । ଦେଶର ଆହୁରି ଅଧିକ ନେତାଙ୍କ ସହ ମଧ୍ୟ ଆଲୋଚନା କରିବାର ଅଛି । ଭବିଷ୍ୟତରେ ଆପଣମାନେ ଏହାର ଅଗ୍ରଗତି ସଂପର୍କରେ ଜାଣିପାରିବେ । ବର୍ତ୍ତମାନ ଦେଶରେ ଜରୁରୀ ଆବଶ୍ୟକ ହୋଇପଡିଛି ଆଂଚଳିକ ଦଳଗୁଡିକ ଏକାଠୀ ହେବା । ଆମର ଦୃଢ ଧାରଣା ଏହା ହେଉଛି କଂଗ୍ରେସ ଓ ବିଜେପିର ବିକଳ୍ପ ପ୍ରସ୍ତୁତ କରିବୁ ବୋଲି ଶ୍ରୀ ରାଓ କହିଛନ୍ତି ।

ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ଚନ୍ଦ୍ରଶେଖର ରାଓ । ଆଗାମୀ ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ କେସିଆରଙ୍କ ଏହି ଗସ୍ତକୁ ବେଶ ଗୁରୁତ୍ୱ ଦିଆଯାଉଛି । ନିର୍ବାଚନ ପୂର୍ବରୁ କିମ୍ବା ପରେ ସବୁ ଆଂଚଳିକ ଦଳ ଏକଜୁଟ ହେବା ନେଇ ଉଦ୍ୟମ ଆରମ୍ଭ ହୋଇଛି ।

ଅନ୍ଯପଟେ ଆସନ୍ତାକାଲି ପୁରୀ ଯିବେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ । ସପରିବାର ଶ୍ରୀଜିଉଙ୍କୁ ଦର୍ଶନ କରିବେ କେସିଆର୍‌ । ଦ୍ୱିତୀୟ ଥର ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ ହେବା ପରେ ପ୍ରଥମ ଥର ଓଡ଼ିଶା ଆସି ମହାପ୍ରଭୁଙ୍କ ଦର୍ଶନ କରିବେ ଚନ୍ଦ୍ରଶେଖର ରାଓ । ପୁରୀରୁ ଫେରି ସେ ପଶ୍ଚିମବଙ୍ଗ ଅଭିମୁଖେ ଯାତ୍ରା କରିବେ

ସେଠାରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଭେଟିବା ସହ କାଳୀମନ୍ଦିର ଦର୍ଶନ କରିବେ । ପଶ୍ଚିମବଙ୍ଗରୁ ତିନି ଦିନିଆ ଦିଲ୍ଲୀ ଗସ୍ତରେ ଯିବେ କେସିଆର । ବିଏସପି ମୁଖ୍ୟ ମାୟାବତୀ, ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବଙ୍କ ସହ ପ୍ରଧାନମନ୍ତ୍ରୀଙ୍କୁ ଭେଟିବାର କାର‌୍ୟ୍ୟକ୍ରମ ରହିଛି ।

ତେବେ କେସିଆରଙ୍କ ଗସ୍ତରେ କେବଳ ଠାକୁର ଦେଖା ଅଛି ନା କଦଳିବିକା କଥା ବି ରହିଛି । ପ୍ରଶ୍ନ ଉଠୁଛି -୧ କଣ ଏହା ଦେଶରେ ଏକ ତୃତୀୟ ମେଣ୍ଟର ଅଭ୍ୟୁଦୟ କରିବ । ଯାହାକି ବିଜେପି ଓ କଂଗ୍ରେସ ଠାରୁ ଦୂରେଇ ରହି ନିର୍ବାଚନ ଲଢ଼ିବ ୨ – ରାହୁଲଙ୍କ ମହାମେଣ୍ଟ ଶକ୍ତି ସାଉଁଟୁଥିବା ବେଳେ କେସିଆର ଏଥିରେ ରୋକ୍‌ ଲଗାଇବେ କି ? ୩- କେସିଆରଙ୍କ ଗସ୍ତ ମୋଦିଙ୍କ ଓଡ଼ିଶା ଗସ୍ତ ସମୟରେ ହୋଇଛି। କଣ ଏଥିରେ ବି କିଛି ପଲିଟିକାଲ ମୁଭ୍‌ ରହିଛି କି?