ନୂଆଦିଲ୍ଲୀ: ସଂସଦର ଶୀତକାଳୀନ ଅଧିବେଶନର ଆଜି ଦ୍ବିତୀୟ ଦିବସରେ ବି ପ୍ରବଳ ହଟ୍ଟଗୋଳ ଦେଖିବାକୁ ମିଳିଥିଲା। ଜେଏନ୍ୟୁ ଛାତ୍ର ଆନ୍ଦୋଳନ ଏବଂ କଶ୍ମୀର ପ୍ରସଙ୍ଗରେ ବିରୋଧୀ ଦଳର ହଟ୍ଟଗୋଳ ଯୋଗୁଁ ରାଜ୍ୟସଭାରେ କୌଣସି କାମ ହୋଇପାରି ନଥିଲା ଏବଂ ଗୃହକୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ମୁଲତବୀ ରଖାଯାଇଥିଲା। ଲୋକସଭାରେ କଂଗ୍ରେସ ସାଂସଦମାନେ ଗାନ୍ଧୀ ପରିବାରର ଏସ୍ପିଜି ସୁରକ୍ଷା ପ୍ରତ୍ୟାହାର ମାମଲା ଉଠାଇ କକ୍ଷତ୍ୟାଗ କରିଥିଲେ। ଧାରା ୩୭୦ ହଟାଯିବା ପରେ କଶ୍ମୀରରେ ନେତାମାନଙ୍କୁ ଗୃହବନ୍ଦୀ କରି ରଖାଯିବା ଏବଂ ନ୍ୟାସ୍ନାଲ କନ୍ଫରେନ୍ସ ନେତା ତଥା ସାଂସଦ ଫାରୁକ୍ ଅବଦୁଲ୍ଲାଙ୍କୁ ସଂସଦ ଆସିବାକୁ ଅନୁମତି ମିଳୁନଥିବା ମାମଲା ଉଠାଇ କଂଗ୍ରେସ ଏବଂ ଅନ୍ୟ ବିରୋଧ ଦଳମାନେ ସରକାରଙ୍କୁ ଘେରିଥିଲେ। ଏହାର ଜବାବରେ ସରକାର କହିଥିଲେ ଯେ କଶ୍ମୀର ଦ୍ରୁତ ଗତିରେ ସ୍ବାଭାବିକ ହେବାରେ ଲାଗିଛି। ସ୍କୁଲ, କଲେଜଗୁଡ଼ିକରେ ଉପସ୍ଥାନ ବଢ଼ିଛି ଏବଂ ବ୍ୟବସାୟିକ କାର୍ଯ୍ୟ ମଧ୍ୟ ଯଥାରୀତି ଚାଲିଛି। ରାଜ୍ୟରେ ସୁରକ୍ଷା ବାହିନୀ ଉପରେ ବିଚ୍ଛିନ୍ନତାବାଦୀଙ୍କ ଦ୍ବାରା ପଥର ଆକ୍ରମଣ ଘଟଣାରେ ମଧ୍ୟ ଯଥେଷ୍ଟ ହ୍ରାସ ଘଟିଛି ବୋଲି ଗୃହ ମନ୍ତ୍ରାଳୟ ପକ୍ଷରୁ ତଥ୍ୟ ରଖାଯାଇଥିଲା।
ଆଜି ଲୋକସଭା କାର୍ଯ୍ୟ ଆରମ୍ଭ ହେବାମାତ୍ରେ କଂଗ୍ରେସ ସଦସ୍ୟମାନେ ସ୍ଲୋଗାନ ଦେଇ ବାଚସ୍ପତିଙ୍କ ଆସନ ନିକଟରେ ପହଞ୍ଚି ଯାଇଥିଲେ। ଗାନ୍ଧୀ ପରିବାରର ଏସ୍ପିଜି ସୁରକ୍ଷା ପ୍ରତ୍ୟାହାର ବିରୋଧରେ ସେମାନେ ପ୍ରବଳ ହଟ୍ଟଗୋଳ କରିବା ସହ କକ୍ଷତ୍ୟାଗ କରିଥିଲେ। ଲୋକସଭାରେ ବିଏସ୍ପି ସାଂସଦ ଜେଏନ୍ୟୁ ଛାତ୍ର ଆନ୍ଦୋଳନ ପ୍ରସଙ୍ଗ ଉଠାଇ ପୁଲିସ ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ କରିଥିବା କହିଥିଲେ। ଅନ୍ୟ ବିରୋଧୀ ଦଳଗୁଡ଼ିକ ମଧ୍ୟ ଏହି ମାମଲାରେ ଦିଲ୍ଲୀ ପୁଲିସର କାର୍ଯ୍ୟାନୁଷ୍ଠାନକୁ ସମାଲୋଚନା କରିଥିଲେ। ରାଜ୍ୟସଭାରେ ମଧ୍ୟ ଜେଏନ୍ୟୁ ଏବଂ କଶ୍ମୀର ପ୍ରସଙ୍ଗରେ ହଟ୍ଟଗୋଳ ଯୋଗୁଁ ଗୃହକୁ ମୁଲତବୀ ରଖାଯାଇଥିଲା।