ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣମା

ପୁରୀ:ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣମା ପାଇଁ ଚଳଚଞ୍ଚଳ ହୋଇଛି ଶ୍ରୀକ୍ଷେତ୍ର । ପବିତ୍ର କାର୍ତ୍ତିକ ମାସର ଅନ୍ତିମ ଦିବସ । ଆଜି ସକାଳୁ ସକାଳୁ ଶ୍ରଦ୍ଧାଳୁମାନେ ବିଭାନ୍ନ ଜଳାଶୟ ଓ ନଦୀରେ ଡଙ୍ଗା ଭସାଇଥାନ୍ତି । ଜଳାଶୟଗୁଡିକରେ ବୁଡ ପକାଇବା ସହ କଦଳୀ ପଟୁଆ ନିର୍ମିତ ଡଙ୍ଗାରେ ପାନଗୁଆ, ଭୋଗ, ଧୁପ, ଦୀପ ଇତ୍ୟାଦି ଦେଇ‘ଆ କା ମା ବୈ… ପାନ ଗୁଆ ଥୋଇ… ପାନ ଗୁଆ ତୋର…. ମାସକ ଧର୍ମ ମୋର…’ ଗୀତ ଗାଇ ନଦୀରେ ଡଙ୍ଗା ଭସାଇ ଦିଅନ୍ତି । ଉତ୍କଳୀୟ ସଂସ୍କୁତିର ନୌ ବାଣିଜ୍ୟ  ପରମ୍ପରାର ସ୍ମୃତିଚାରଣ କରିବାକୁ ଆଜି ଅନେକ ସ୍ଥାନରେ ବୋଇତ ବନ୍ଦାଣ ଉତ୍ସବ ଅନୁଷ୍ଠିତ ହୋଇଛି ।

 ଅନ୍ୟପକ୍ଷରେ ଧର୍ମ ମାସ ତଥା ପବିତ୍ର କାର୍ତ୍ତିକ ମାସର ପଂଚୁକ ବ୍ରତର ଶେଷ ଦିନରେ ମହାପ୍ରଭୁମାନେ ରାଜରାଜେଶ୍ୱରୀ ବେଶରେ ଶ୍ରଦ୍ଧାଳୁମାନଙ୍କୁ ଦର୍ଶନ ଦେଉଛନ୍ତି । ଏହି ରାଜବେଶରେ ଶ୍ରୀଜୀଉମାନେ ସ୍ୱର୍ଣ୍ଣ ଅଳଙ୍କାରରେ ମଣ୍ଡିତ ହୋଇ ଅପୂର୍ବ ରୂପ ଧାରଣ କରିଥାନ୍ତି । ପୁଷ୍ପାଳକ ସେବକମାନେ ବିଭିନ୍ନ ରତ୍ନ-ଅଳଙ୍କାର ଓ ପାଟବସ୍ତ୍ରରେ ଶ୍ରୀଜୀଉମାନଙ୍କୁ ରାଜରାଜେଶ୍ୱର ବେଶ କରିଥାନ୍ତି । ରତ୍ନ ଅଳଙ୍କାର, ପୁଷ୍ପ ଅଳଙ୍କାର ଓ ମୂଲ୍ୟବାନ ପାଟବସ୍ତ୍ରରେ ସୁସଜ୍ଜିତ ହୋଇ ମହାପ୍ରଭୁମାନେ ରାଜରାଜେଶ୍ୱର ବେଶ ଧାରଣ କରିଥାନ୍ତି । ସ୍ୱର୍ଣ୍ଣ ଅଳଙ୍କାରରେ ବିଭୂଷିତ ହୋଇ ଏହି ଦୁର୍ଲଭ ରୂପରେ ଶ୍ରୀଜୀଉଙ୍କୁ ଭକ୍ତମାନେ ଆଜି ଦର୍ଶନ କରି ପୁଣ୍ୟ ଅର୍ଜନ କରୁଛନ୍ତି। ଲକ୍ଷାଧିକ ଶ୍ରଦ୍ଧାଳୁ ପୁରୀ ଆସି ମହୋଦଧୀରେ ସ୍ନାନ କରିବା ସହ ଡଙ୍ଗା ଭସାଇବାପରେ ମହାପ୍ରଭୁମାନଙ୍କୁ ଦର୍ଶନ କରିଛନ୍ତି ।

ଶ୍ରଦ୍ଧାଳୁମାନଙ୍କର ଶୃଙ୍ଖଳିତ ଦର୍ଶନ ପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବା ସହ ୪୦ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି । ଶୃଙ୍ଖଳାକୁ ଦୃଷ୍ଟିରେ ରଖି ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ବାହାରେ ବ୍ୟାରିକେଡ଼ ନିର୍ମାଣ କରାଯାଇଛି । ପୁରୀରେ ଏସପିଙ୍କ ନେତୃତ୍ୱରେ ୩ ଅତିରିକ୍ତ ଏସପି, ୬ ଡିଏସପି, ୧୪୨ ପୋଲିସ ଅଧିକାରୀ ସୁରକ୍ଷା ବ୍ୟବସ୍ଥା ଅନୁଧ୍ୟାନ କରୁଛନ୍ତି । ସମୁଦ୍ରରେ ଗାଧୋଉଥିବା ଲୋକଙ୍କ ସୁରକ୍ଷା ପାଇଁ ୧୦୦ ତାଲିମପ୍ରାପ୍ତ ଲାଇଫଗାର୍ଡ ମୁତୟନ କରାଯାଇଛି । ସେହିପରି ଶ୍ୱେତଗଙ୍ଗା, ଇନ୍ଦ୍ରଦ୍ୟୁମ୍ନ, ନରେନ୍ଦ୍ର ଏବଂ ମାର୍କଣ୍ଡେୟ ପୁଷ୍କରିଣୀରେ ମଧ୍ୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି ।