ଏକାମ୍ର ନିର୍ବାଚନ ମଣ୍ଡଳୀରେ କାର୍ତ୍ତିକ ପାଣ୍ଡିଆନଙ୍କ ମାରାଥନ ପ୍ରଚାର

ଲିଙ୍ଗରାଜ ମନ୍ଦିର, କାରଗିଲ୍‌ ରୋଡ ଓ ଜାଗମରାରେ ସାଂସଦ ଓ ବିଧାୟକଙ୍କ ପାଇଁ ମାଗିଲେ ଭୋଟ

ଭୁବନେଶ୍ୱର(ବ୍ୟୁରୋ): ଆଜି ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ ଏକାମ୍ର ନିର୍ବାଚନ ମଣ୍ଡଳୀରେ, ଲିଙ୍ଗରାଜ ମନ୍ଦିର ନିକଟରେ ପ୍ରଚାର କରିଛନ୍ତି । ଯେଉଁଠି ସେ ହର ହର ମହାଦେବ କହି ଭାଷଣ ଆରମ୍ଭ କଲେ ଓ ଜୟ ଜଗନ୍ନାଥରେ ଭାଷଣ ଶେଷ କରିଥିଲେ। ସେ କହିଛନ୍ତି ଯେ, ଲିଙ୍ଗରାଜ ମନ୍ଦିରକୁ ମୁଁ ସବୁ ସୋମବାର ଆସେ। ଥରେ ଶିବରାତ୍ରୀ ସମୟରେ ମୁଁ ଦେଖିଲି ମା ମାନଙ୍କ ପାଇଁ ଛିଡା ହେବାକୁ ମଧ୍ୟ ଜାଗା ନାହିଁ, ଶାନ୍ତିରେ ଦୀପ ବସାଇ ପାରୁନାହାନ୍ତି। 

ଏ ବିଷୟ ମୁଖ୍ୟମନ୍ତ୍ରୀଙ୍କୁ କହିବା ପରେ ଆରମ୍ଭ ହେଲା ଏକାମ୍ର ପ୍ରକଳ୍ପ, ଏବେ ମା ମାନେ ବହୁତ ଶାନ୍ତିରେ ପିଲାଛୁଆଙ୍କୁ ଧରି ଦୀପ ବସାଇ ପାରୁଛନ୍ତି, ସବୁ ମହାପ୍ରଭୁ ଲିଙ୍ଗରାଜଙ୍କ ଇଛା।

ଆପଣମାନେ ସମସ୍ତେ ଏଥିପାଇଁ ତ୍ୟାଗ କରିଛନ୍ତି, ଆପଣଙ୍କ ତ୍ୟାଗ ଇତିହାସ ମନେ ରଖିବ, ମହାପ୍ରଭୁ ଲିଙ୍ଗରାଜ ଆପଣଙ୍କୁ ଆଶୀର୍ବାଦ କରିବେ।

ଆଗକୁ ଏକାମ୍ର ପ୍ରକଳ୍ପ ଆହୁରି ଆଗେଇବ, ଆହୁରି ଭବ୍ୟ ଓ ଦିବ୍ୟ ହେବ, ଆପଣମାନେ ଆଧ୍ୟାତ୍ମିକ ଅନୁଭବ ପାଇବେ, ହଜାର ହଜାର ପର୍ଯ୍ୟଟକ ଆସିବେ, ଆପଣମାନଙ୍କର ରୋଜଗାର ବଢିବ ଓ ଆପଣମାନଙ୍କ ଜୀବନରେ ସକରାତ୍ମକ ପରିବର୍ତ୍ତନ ଆସିବ। କିନ୍ତୁ ଆପଣଙ୍କ ସାଂସଦ ଓ କେନ୍ଦ୍ରମନ୍ତ୍ରୀ ଲିଙ୍ଗରାଜଙ୍କ କାମକୁ ବନ୍ଦ କରିବା ପାଇଁ ଷଡଯନ୍ତ୍ର କଲେ, ଏହା ଠିକ୍‌ କଥା କି ?

ସାଂସଦ ଭାବେ ତାଙ୍କ କାମ ହେଉଛି କେନ୍ଦ୍ର ସରକାରଙ୍କଠାରୁ ବଡ ବଡ ଯୋଜନା ଆଣିବେ ।ଫ୍ଲାଇ ଓଭର, IT Park, MSME, ଦକ୍ଷତା ବିକାଶ ଆଦି ଯୋଜନାରେ ହଜାର ହଜାର କୋଟି ଟଙ୍କା ସେ ଆଣିପାରିଥାନ୍ତେ । ବେଙ୍ଗାଲୁରୁ ଓ ଜୟପୁର ଆଦି ସହରରେ ସାଂସଦ ମାନେ ସେମାନଙ୍କ ସହର ପାଇଁ ୪୦ ହଜାର, ୫୦ ହଜାର କୋଟି ଟଙ୍କା ଆଣୁଛନ୍ତି। କିନ୍ତୁ ଦୁଃଖର କଥା, ଆପଣଙ୍କ ସାଂସଦ ଛୋଟ କଥାରେ ମାତୁଛନ୍ତି, କର୍ପୋରେଟର ମାନଙ୍କ କଥାରେ ମୁଣ୍ଡ ଖେଳାଉଛନ୍ତି ।

ତାଙ୍କର କିଛି ଉଚ୍ଚ ଚିନ୍ତାଧାରା ନାହିଁ । ଜୁନ୍‌ ୯ ତାରିଖରେ ନବୀନ ପଟ୍ଟନାୟକ ଷଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ।ପ୍ରଥମ ଦସ୍ତଖତରେ ଆପଣମାନଙ୍କ ବିଜୁଳି ବିଲ୍‌ ଛାଡ କରିବେ, ୯୦ ପ୍ରତିଶତ ପରିବାର ଛାଡ ପାଇବେ

ଦ୍ବିତୀୟ ଦସ୍ତଖତରେ ବାକି ରହିଥିବା ଲୋକଙ୍କୁ BSKYରେ ସାମିଲ କରିବେ, ସରକାରୀ କର୍ମଚାରୀ, ଅଙ୍ଗନବାଡୀ, ଆଶାକର୍ମୀ ମାନେ ମଧ୍ୟ ସାମିଲ ହେବେ ।

ତୃତୀୟ ଦସ୍ତଖତରେ ମିଶନ ଶକ୍ତି କର୍ମୀ ମାନଙ୍କୁ ପେନ୍‌ସନ ମିଳିବ ।

ଆପଣମାନେ ନବୀନ ବାବୁଙ୍କୁ ଆଶୀର୍ବାଦ କରନ୍ତୁ, ମନ୍ମଥ ବାବୁ, ଅଶୋକ ବାବୁ ଏ ମାଟିର ପୁଅ, ସେମାନଙ୍କୁ ଯୋଡି ଶଙ୍ଖରେ ଭୋଟ ଦେଇ ଆଶୀର୍ବାଦ କରନ୍ତୁ ।

ଏହି ଅବସରରେ ଲୋକସଭା ପ୍ରାର୍ଥୀ ମନ୍ମଥ ରାଉତରାୟ କହିଛନ୍ତି ଯେ, ଯେଉଁମାନେ ବିଜୁ ପଟ୍ଟନାୟକଙ୍କୁ ଭାରତରତ୍ନ ଦେବାକୁ ଚିନ୍ତା କରିନାହାନ୍ତି, ଓଡିଆ ଭାଷା ପାଇଁ ଟଙ୍କା ଟିଏ ବି ଦେଇନାହାନ୍ତି, ଓଡିଶୀ ସଙ୍ଗୀତକୁ ଶାସ୍ତ୍ରୀୟ ମାନ୍ୟତା ଦେଇନାହାନ୍ତି, ସେମାନଙ୍କର ଅସ୍ମିତା କଥା କହିବାର କିଛି ଅଧିକାର ନାହିଁ, ସେମାନଙ୍କୁ କଡା ଜବାବ ଦିଅନ୍ତୁ

ସେହିଭଳି ବିଧାନସଭା ପ୍ରାର୍ଥୀ ଅଶୋକ ପଣ୍ଡା କହିଛନ୍ତି ଯେ, ମହାପ୍ରଭୁ ଲିଙ୍ଗରାଜ ଆମର କ୍ଷେତ୍ରାଧିପତି, ଲିଙ୍ଗରାଜ ଆଇନକୁ ଚକ୍ରାନ୍ତ କରି ଦିଲ୍ଲୀରେ ଅଟକାଇଛନ୍ତି ବିରୋଧୀ, ଲିଙ୍ଗରାଜଙ୍କ ନୀତିକାନ୍ତି ବନ୍ଦ କରିଛନ୍ତି, ସେମାନଙ୍କୁ ଇତିହାସ କ୍ଷମା ଦେବ ନାହିଁ, ମହାପ୍ରଭୁ କ୍ଷମା ଦେବେ ନାହିଁ ।