ପାଠ୍ୟ ପୁସ୍ତକରୁ ବି ହଟିବ ଟିପୁ ସୁଲତାନ ସମ୍ପର୍କିତ ଲେଖା

ବେଙ୍ଗାଲୁରୁ:କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ବିଏସ ୟେଦିୟୁରପ୍ପା ଟିପୁ ସୁଲତାନର ଜୟନ୍ତୀ ଉପରେ ପ୍ରତିକ୍ରିୟା ଦେଇ କହିଛନ୍ତି, “ଆମେ ସବୁ କିଛି ହଟାଇବାକୁ ଯାଉଛୁ । ଏହାସହ ପୁସ୍ତକରେ ତାଙ୍କ ସମ୍ପର୍କରେ ଯାହା ଲେଖା ଯାଇଛି ତାକୁ ମଧ୍ୟ ହଟାଯିବା ଉପରେ ଚିନ୍ତା କରାଯିବ” । 

ୟେଦିୟୁରପ୍ପା ଜୁଲାଇରେ କନ୍ନଡ ଏବଂ ସଂସ୍କୃତି ବିଭାଗକୁ ଟିପୁ ଜୟନ୍ତୀ ପାଳନ ନକରିବାକୁ ନିର୍ଦ୍ଦେଶ ଦେଇଥିଲେ । ଏହି ନିର୍ଦ୍ଦେଶକୁ ଜୁଲାଇ ୨୯ ତାରିଖରେ କ୍ୟାବିନେଟ ବୈଠକରେ ଜାରି କରାଯାଇଥିଲା । ଏହି ନିଷ୍ପତ୍ତିକୁ ନେଇ ରାଜନୈତିକ ବୟାନବାଜୀ ମଧ୍ୟ ଦେଖିବାକୁ ମିଳିଥିଲା । କଂଗ୍ରେସର ନେତା ତଥା ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା ଏହାକୁ ନେଇ ବିଜେପିକୁ ଟାର୍ଗେଟ କରି ଦଳକୁ ସାଂପ୍ରଦାୟିକ ପାର୍ଟି ବୋଲି ଉଲ୍ଲେଖ କରିଥିଲେ ।

ପୂର୍ବବର୍ତ୍ତୀ ମୈସୁର ସାମ୍ରାଜ୍ୟର ଅଷ୍ଟାଦଶ ଶତାଦ୍ଦୀର ବିବାଦୀୟ ଶାସକ ଟିପୁ ସୁଲତନାର ଜୟନ୍ତୀ ଅବସରରେ ଆୟୋଜିତ ହେଉଥିବା ବାର୍ଷିକ ସମାରୋହକୁ କର୍ଣ୍ଣାଟକର ବିଜେପି ସରକାର ଜୁଲାଇ ୩୦ ତାରିଖରେ ରଦ୍ଦ କରିଥିଲା । ୨୦୧୫ ପରଠାରୁ ରାଜ୍ୟରେ ଏହି ସମାରୋହ ଆୟୋଜିତ ହେଉଥିଲା । ୟେଦିୟୁରପ୍ପାଙ୍କ ନେତୃତ୍ୱାଧିନ ସରକାର କ୍ଷମତାକୁ ଫେରିବାର ତିନି ଦିନ ଭିତରେ ଟିପୁ ଜୟନ୍ତୀ ପାଳନ ଉପରେ ପ୍ରତିବନ୍ଧକ ଲାଗୁ କରିଥିଲେ ।

ସିଦ୍ଦରମୈୟାଙ୍କ ନେତୃତ୍ୱଧିନ କଂଗ୍ରେସ ସରକାର ୨୦୧୫ ମସିହାରେ ଟିପୁ ଜୟନ୍ତୀ ଅବସରରେ ନଭେମ୍ୱର ୧୦ରେ ବାର୍ଷିକ ସମାରୋହର ଆୟୋଜନ ଆରମ୍ଭ କରିଥିଲେ ଏବଂ ବିଜେପି ଏବଂ ଅନ୍ୟଙ୍କ ବିରୋଧ ସତ୍ତ୍ୱେ ଏଚଡି କୁମାରସ୍ୱାମୀଙ୍କ ନେତୃତ୍ୱରେ କଂଗ୍ରେସ-ଜେଡିଏସ ସରକାର ଗତ ବର୍ଷ ମଧ୍ୟ ଏହା ଜାରି ରଖିଥିଲା ।