୧୪ ବିଦ୍ରୋହୀ ବିଧାୟକ ଅଯୋଗ୍ୟ ଘୋଷିତ

କର୍ଣ୍ଣାଟକ: ବିଧାନସଭାରେ ମୁଖ୍ୟମନ୍ତ୍ରୀ ବି ଏସ ୟେଦୁରପ୍ପାଙ୍କ ନୂଆ ସରକାରର ଶକ୍ତି ପରୀକ୍ଷା ପୂର୍ବରୁ ବାଚସ୍ପତି କେ. ଆାର୍‌. ରମେଶ ଏକ ବଡ଼ ପଦକ୍ଷେପ ନେଇଛନ୍ତି। ସେ ଆଜି ୧୪ଜଣ ବିଦ୍ରୋହୀ ବିଧାୟକଙ୍କୁ ଅଯୋଗ୍ୟ ଘୋଷିତ କରିଛନ୍ତି। ଅଯୋଗ୍ୟ ଘୋଷିତ ହୋଇଥିବା ସମସ୍ତ ବିଧାୟକମାନେ ଚଳିତ ବିଧାନସଭା କାର୍ଯ୍ୟକାଳ ମଧ୍ୟରେ ଆଉ ନିର୍ବାଚନ ଲଢିପାରିବେନି । ଅର୍ଥାତ୍ ୨୦୨୩ ମଧ୍ୟରେ ଏହି ୧୪ ଜଣ ବିଧାୟକ ଆଉ ନିର୍ବାଚନ ଲଢିପାରିବେନି ।ଦଳବଦଳ ଆଇନ ବଳରେ କଂଗ୍ରେସ-ଜେଡିଏସ୍‌ ମେଣ୍ଟର ବିଦ୍ରୋହୀ ବିଧାୟକଙ୍କ ଉପରେ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ବାଚସ୍ପତି କେ. ଆାର୍‌. ରମେଶ । ୧୪ଜଣ ବିଦ୍ରୋହୀ ବିଧାୟକଙ୍କ ଭିତରୁ ଜେଡିଏସର ୬ ଏବଂ କଂଗ୍ରେସର ୮ଜଣ ବିଧାୟକ ଅଛନ୍ତି। ଆଗରୁ ୩ଜଣ ବିଧାୟକଙ୍କୁ ଅଯୋଗ୍ୟ ଘୋଷିତ କରିଥିଲେ ବାଚସ୍ପତି କେ. ଆର୍‌. ରମେଶ। ଏଯାବତ୍ ମୋଟ୍ ୧୭ ଜଣ ବିଧାୟକଙ୍କୁ ଅଯୋଗ୍ୟ ଘୋଷିତ କରିଛନ୍ତି ବାଚସ୍ପତି ।

ବି ଏସ୍ ୟେଦୁରପ୍ପା ଆସନ୍ତାକାଲି ବିଧାନସଭାରେ ସଂଖ୍ୟାଗରିଷ୍ଠତା ପ୍ରମାଣ ଦେବେ। ବିଧାନସଭାରେ ଏବେ ମୋଟ ୨୨୨ ବିଧାୟକଙ୍କ ମଧ୍ୟରୁ ୧୭ ଜଣ ଅଯୋଗ୍ୟ ଘୋଷିତ ହେବାପରେ ସରକାର ଗଠନ ପାଇଁ ବିଜେପିକୁ ଏବେ ମାତ୍ର ୧୦୩ ଜଣ ବିଧାୟକଙ୍କ ସମର୍ଥନ ଆବଶ୍ୟକ। ଏବେ ବିଜେପିର ୧୦୫ ବିଧାୟକ ଅଛନ୍ତି ଏବଂ ୨ଜଣ ସ୍ବାଧୀନ ବିଧାୟକଙ୍କର ସମର୍ଥନ ରହିଛି। ଏଣୁ ବିଧାନସଭାରେ ସଂଖ୍ୟାଗରିଷ୍ଠତା ପ୍ରମାଣ ଦେବାକୁ ଆଉ ମୁଖ୍ୟମନ୍ତ୍ରୀ ବି ଏସ ୟେଦୁରପ୍ପାଙ୍କପାଇଁ କିଛି ଅସୁବିଧା ନାହିଁ ବୋଲି ରାଜନୈତିକ ସମୀକ୍ଷକମାନେ ମତ ପ୍ରକାଶ କରିଛନ୍ତି।