କର୍ଣ୍ଣାଟକ ନିର୍ବାଚନରେ ଏକଜିଟ୍ ପୋଲ : ଗ୍ରେସ୍-ବିଜେପି ଭିତରେ କଡା ଟକ୍କର

ଭୁବନେଶ୍ବର : ମତଦାନ ସରିଲା ଏଥର ନିର୍ବାଚନ ଫଳାଫଳକୁ ଅପେକ୍ଷା । କିଏ ଜିତିବ କର୍ଣ୍ଣାଟକ । ୧୫ତାରିଖ ଭୋଟ ଗଣତି ପରେ ଚିତ୍ର ସ୍ପଷ୍ଟ ହୋଇଯିବ । ତେବେ ବିଭିନ୍ନ ଏକଜିଟ୍‌ ପୋଲ ଆକଳନ ଅନୁଯାୟୀ, କଂଗ୍ରେସ ଆଗୁଆ ରହିଛି । ତେବେ ଜେଡିଏସ୍‌ ନିର୍ଣ୍ଣାୟକ ଭୂମିକା ନେଇପାରେ ବୋଲି ଏକଜିଟ୍‌ ପୋଲ୍‌ ଆକଳନ କରିଛି ।

କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ମତଦାନ ଶେଷ ହୋଇଛି । ୨୬ଶହରୁ ଅଧିକ ପ୍ରାର୍ଥୀଙ୍କ ଭାଗ୍ୟ ସିଲ୍‌ ହୋଇଛି ଇଭିଏମ୍‌ରେ । ମୋଟ ୨୨୪ଆସନ ଭିତରୁ ଆରଆରନଗର ବିଧାନସଭା ଆସନରେ ମତଦାନକୁ ୨୮ତାରିଖକୁ ଘୁଞ୍ଚାଇ ଦିଆଯାଇଛି । ଜଣଙ୍କ ଘରୁ ୧୦ହଜାର ନକଲି ଭୋଟର ଆଇଡି ମିଳିବା ନେଇ ନିର୍ବାଚନ କମିଶନ ଏହି  ନିଷ୍ପତ୍ତି ନେଇଥିଲେ । ସେହିପରି ବିଜେପି ପ୍ରାର୍ଥୀଙ୍କ ମୃତ୍ୟୁ ପରେ ଜୟନଗର ଆସନରେ ଭୋଟିଂ ହୋଇନାହିଁ । ବାକି ୨୨୨ଆସନରେ ସଂଧ୍ୟା ୬ଟା ସୁଦ୍ଧା ୭୦ପ୍ରତିଶତ ଭୋଟିଂ ହୋଇଛି ।

୧୫ତାରିଖ ମଙ୍ଗଳବାର ଭୋଟ ଗଣତି । ବିଜେପି ରାଜ୍ୟ ପରେ ରାଜ୍ୟ ଜିତି ଚାଲିଥିବା ବେଳେ କର୍ଣ୍ଣାଟକ ମୋଦିଙ୍କ ପାଇଁ ବଡ ପରୀକ୍ଷା । ଦକ୍ଷିଣ ଭାରତରେ ଅଭିଯାନ ପାଇଁ ବିଜେପି ଲାଗି ପ୍ରବେଶ ପଥ ହେବ କି କର୍ଣ୍ଣାଟକ । ସେହିପରି କଂଗ୍ରେସ ଅଧ୍ୟକ୍ଷ ପଦ ସମ୍ଭାଳିବା ପରେ ରାହୁଲଙ୍କ ପାଇଁ ଏହା ପ୍ରଥମ ପରୀକ୍ଷା । କଂଗ୍ରେସ ହାତରୁ ଅନେକ ରାଜ୍ୟ ଖସି ଚାଲିଥିବା ବେଳେ ଦକ୍ଷିଣଭାରତରେ ଗଡ ବଞ୍ଚାଇବା ରାହୁଲଙ୍କ ପାଇଁ ଚାଲେଞ୍ଜ ।

ଅଧିକାଂଶ ଏକଜିଟ୍‌ ପୋଲ୍‌ର ଆକଳନ କଂଗ୍ରେସ ଆଡକୁ ଢଳିଛି । ଇଣ୍ଡିଆ ଟୁଡେ କଂଗ୍ରେସକୁ ୧୦୬ ରୁ ୧୧୮ରୁ ଆସନ ଦେଇଥିବା ବେଳେ , ବିଜେପିକୁ ଦେଇଛି ୭୯ ରୁ ୯୨ ଆସନ । ଜେ.ଡି.ଏସ୍.କୁ ମିଳିପାରେ ୨୨ ରୁ ୩୦ ଆସନ । ସେହିପରି ଟାଇମସ୍ ନାଓ କଂଗ୍ରେସକୁ ୯୦ ରୁ ୧୦୩ ଆସନ ଦେଇଥିବା ବେଳେ , ବିଜେପିକୁ ଦେଇଛି ୮୦ ରୁ ୯୩ ଆସନ । ଜେ.ଡି.ଏସ୍.କୁ ମିଳିପାରେ ୩୧ ରୁ ୩୯ ଆସନ । ଜେ.ଡି.ଏସ୍ ନିର୍ଣାୟକ ଭୂମିକା ନେବାର ସମ୍ଭାବନା ରହିଛି । ତେବେ ଏବିପି ଆକଳନ ଅନୁଯାୟୀ ବିଜେପିକୁ ମିଳିବ ୮୭ ରୁ ୯୯ ଆସନ, କଂଗ୍ରେସକୁ ମିଳିବ ୯୭ ରୁ ୧୦୯ ଆସନ ଏବଂ ଜେଡିଏସ୍ କୁ ମିଳିବ ୨୧ ରୁ ୩୦ଆସନ ।

ହାଇ ଭୋଲଟେଜ୍‌ ପ୍ରଚାର ବେଳେ ଦେଖିବାକୁ ମିଳିଥିଲା ବିଜେପି-କଂଗ୍ରେସ ବାକଯୁଦ୍ଧ । ଫଳାଫଳ ଆଗରୁ ପୁଣି ଥରେ ସେହି ବୟାନ ବାଜି । ବିଜେପି ୧୫୦ଆସନ ଜିତିବ ବୋଲି ୟେଦୁରପ୍ପା କହିଛନ୍ତି । ସିଦ୍ଧରମାୟା କହିଛନ୍ତି ଯେଦୁରପ୍ପା ମାନସିକ ଭାବେ ଅସ୍ଥିର । ସରକାର ଗଢିବା ପାଇଁ ୧୧୨ ଆସନ ଦରକାର ଥିବା ବେଳେ କଂଗ୍ରେସ ୧୨୦ରୁ ଅଧିକ ଆସନ ଜିତିବ ବୋଲି ସିଦ୍ଧରମାୟା ଦମ୍ଭ ଦେଖାଇଛନ୍ତି । କାହା ପ୍ରତିଶ୍ରୁତି ଲୋକଙ୍କ ଭରସା ଜିତିଛି । କାହା ମାନିଫେଷ୍ଟୋ ଭୋଟରଙ୍କୁ ଲୋଭେଇଛି । ଜାତି ସମୀକରଣ କି ପ୍ରଭାବ ପକାଇବ । ଏସବୁର ହିସାବ ହେବ ଆସନ୍ତା ମଙ୍ଗଳବାର ।