ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ହରିୟାଣାରେ କାଉଡ଼ିଆ ଯାତ୍ରା ସ୍ଥଗିତ

ନୂଆଦିଲ୍ଲୀ: ଚଳିତ ବର୍ଷ ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ ଓ ହରିୟାଣାରେ କାଉଡ଼ିଆ ଯାତ୍ରା ସ୍ଥଗିତ ରଖାଯାଇଛି । ମହାମାରୀ କରୋନା ଭାଇରସ ଯୋଗୁଁ ଏଭଳି ନିଷ୍ପତ୍ତି ନିଆଯାଇଥିବା ଜଣାପଡ଼ିଛି । ଏନେଇ ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ ଓ ହରିୟାଣାର ମୁଖ୍ୟମନ୍ତ୍ରୀଙ୍କୁ ନେଇ ଏକ ଯୁଗ୍ମ ବୈଠକ ଶନିବାର ଅନୁଷ୍ଠିତ ହୋଇଥିଲା । ବୈଠକରେ ହୋଇଥିବା ନିଷ୍ପତ୍ତି ଅନୁସାରେ କାଉଡ଼ିଆ ଯାତ୍ରାକୁ ସ୍ଥଗିତ କରାଯାଇଛି ।

ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂହ ରାୱତ ଓ ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ଭିଡିଓ ବାର୍ତ୍ତା ଜରିଆରେ ଏକ ବୈଠକରେ କାଉଡ଼ିଆ ଯାତ୍ରା ନେଇ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରିଥିଲେ । ମୁଖ୍ୟମନ୍ତ୍ରୀ ଶ୍ରୀ ରାୱତ କହିଥିଲେ, କରୋନା ଭାଇରସ ନିୟନ୍ତ୍ରଣ କରିବା ପାଇଁ କାଉଡ଼ିଆ ଯାତ୍ରା ବନ୍ଦ କରିବାକୁ ପଡ଼ିବ । ରାୱତ କହିଛନ୍ତି, କାଉଡ଼ିଆ ଯାତ୍ରା ନେଇ ସେ ଅନ୍ୟ ମୁଖ୍ୟମନ୍ତ୍ରୀମାନଙ୍କ ସହିତ ମଧ୍ୟ ଆଲୋଚନା କରିବେ । ସେ କହିଛନ୍ତି, କିଛି କାଉଡ଼ିଆ ସଂଗଠନ ଓ ସନ୍ଥମାନେ ଏହି ପ୍ରସ୍ତାବ ଦେଇଛନ୍ତି ।

ଭଗବାନ ଶିବଙ୍କୁ ମାନସିକ ରଖି ଶିବଭକ୍ତମାନେ କାଉଁଡିଆ ଯାତ୍ରା କରିଥାନ୍ତି । ହରିଦ୍ୱାର, ଗୌମୁଖ ଓ ଗଙ୍ଗୋତ୍ରୀରୁ ଗଙ୍ଗା ଜଳ ଆଣି ଭକ୍ତମାନେ ଶିବଲିଙ୍ଗରେ ଚଢ଼ାଇଥାନ୍ତି । ଶିବ ଭକ୍ତମାନେ ଗଙ୍ଗାଜଳ ଭାରରେ ବୋହି ଶହ ଶହ କିଲୋମିଟର ପାଦରେ ଚାଲି ଚାଲି ଶିବଲିଙ୍ଗରେ ଜଳାଭିଷେକ କରିଥାନ୍ତି । ହିନ୍ଦୁ ଧର୍ମରେ କାଉଡ଼ିଆ ଯାତ୍ରା (ବୋଲବମ)ର ଗୁରୁତ୍ୱ ରହିଛି ।