ଆଜି ସୋନପୁର, କଂଟାବାଞ୍ଜି ଓ ରାଉଲକେଲାରେ ୧୨ ଘଂଟିଆ ବନ୍ଦ ଡାକରା

ଏନଆରସି, ସିଏଏ ଓ ଏନପିଆରକୁ ବିରୋଧ କରି ଏହି ବନ୍ଦ ଡାକରା

କଂଟାବାଞ୍ଜି: ଏନଆରସି, ସିଏଏ ଓ ଏନପିଆରକୁ ବିରୋଧ କରି ଦେଶବ୍ୟାପି ହିଂସା ଲାଗି ରହିଥିବାବେଳେ ଆଜି ଏହାର ପ୍ରଭାବ ଦେଖିବାକୁ ମିଳିଛି ସୋନପୁର, କଂଟାବାଞ୍ଜି ଓ ରାଉଲକେଲାରେ । ଏହାକୁ ପ୍ରତିବାଦ କରି ଆଜି ଏହି ୩ଟି ଯାଗାରେ ୧୨ ଘଂଟିଆ ବନ୍ଦ ଡାକରା ଦିଆଯାଇଛି ।

ବନ୍ଦ ପ୍ରଭାବରେ କଂଟାବାଞ୍ଜି, ରାଉରକେଲା, ସୋନପୁରରେ ଦୋକାନ ବଜାର ଓ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ରହିଛି। କଂଟାବାଞ୍ଜି ମାଇନରିଟି ଜଏଂଟ ଆକ୍ସନ କମିଟି ପକ୍ଷରୁ ବନ୍ଦ ଡ଼ାକରା ଦିଆଯାଇଛି। ସେହିପରି ସୋନପୁରରେ ବହୁଜନ ମୋର୍ଚ୍ଚା ଏବଂ ଭୀମ୍ ଦଳ ବନ୍ଦ ଡ଼ାକରା ଦେଇଛନ୍ତି। ସୋନପୁରରେ ବିଭିନ୍ନ ଶିକ୍ଷାନୁଷ୍ଠାନ ତଥା ସ୍କୁଲ କଲେଜ ବନ୍ଦ ରହିଛି। ବିଭିନ୍ନ ସ୍ଥାନରେ ରାସ୍ତାରୋକ ମଧ୍ୟ କରାଯାଇଛି।

ସେହିପରି ରାଉରକେଲାରେ ସିଏଏକୁ ବିରୋଧ କରି ବହୁଜନ କ୍ରାନ୍ତି ମୋର୍ଚ୍ଚା ପକ୍ଷରୁ ବନ୍ଦ ଡ଼ାକରା ଦିଆଯାଇଛି। ଆନ୍ଦୋଳନକାରୀମାନେ ବିଶ୍ରା ଛକରେ ରାସ୍ତାରୋକ କରିଥିଲେ। ଏହାପରେ ପ୍ଲାଂଟ ସାଇଟ୍ ପୋଲିସ ୩୬ ଜଣଙ୍କୁ ଅଟକ ରଖିଛି। ସେଠାରେ ଏବେ ସ୍ଥିତି ସ୍ଵଭାବିକ ରହିଛି।