କନୌଜ ଦୁର୍ଘଟଣା: ଶୋକ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ

ନୂଆଦିଲ୍ଲୀ: ଗତକାଲି ରାତିରେ କୌନଜରେ ହୋଇଥିବା ସଡ଼କ ଦୁର୍ଘଟଣାରେ ୨୦ଜଣ ମୃତ୍ୟୁବରଣ କରିଥିବାବେଳେ ୨୧ଜଣ ଗୁରୁତର ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ଏହି ଘଟଣାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଉତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଦୁଃଖ ପ୍ରକାଶ କରିଛନ୍ତି ।

ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି ଯେ, ଉତର ପ୍ରଦେଶର କନୌଜରେ ହୋଇଥିବା ଭୀଷଣ ସଡ଼କ ଦୁର୍ଘଟଣା ଖବର ଗଭୀର ଦୁଃଖ ଆଣି ଦେଇଛି । ଏହି ଦୁର୍ଘଟଣାରେ ଅନେକ ଲୋକଙ୍କର ଜୀବନ ଯାଇଛି । ମୁଁ ମୃତକଙ୍କ ପରିବାର ଲୋକଙ୍କୁ ସମବେଦନା ଜଣାଉଛି । ଏଥି ସହିତ ଆହତମାନେ ଶୀଘ୍ର ଭଲ ହୋଇଯିବା ପାଇଁ କାମନା କରୁଛି ।

ଅନୁସାରେ ଯାତ୍ରୀବସ କନୌଜର ଗୁରସହାୟଗଞ୍ଜ ଠାରୁ ଜୟପୁର ଯାଉଥିବା ବେଳେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା । ରାତି ପ୍ରାୟ ସାଢ଼େ ୯ଟାରେ ଏହି ଘଟଣା ଘଟିବା ପରେ ବସ ଜଳିବାକୁ ଲାଗିଥିଲା । କିନ୍ତୁ ଯାତ୍ରୀମାନେ ବସ ଭିତରୁ ବାହାରି ପାରି ନ ଥିଲେ । ଏହି ମର୍ମନ୍ତୁଦ ଦୁର୍ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଦୁଃଖ ପ୍ରକାଶ କରିଛନ୍ତି । ସେ ମୃତକଙ୍କ ପରିବାର ଲୋକଙ୍କୁ ସମବେଦନା ଜଣାଇଥିବା ବେଳେ ଆହତମାନଙ୍କୁ ଯଥାଶୀଘ୍ର ହସ୍ପିଟାଲରେ ଭର୍ତି କରିବା ପାଇଁ ଆଦେଶ ଦେଇଛନ୍ତି । ଆହତମାନଙ୍କ ଚିକିତ୍ସା ପାଇଁ ୫୦ ହଜାର ଟଙ୍କା ଲେଖାଏଁ ଓ ମୃତକଙ୍କ ପରିବାର ଲୋକଙ୍କୁ ୨ ଲକ୍ଷ ଟଙ୍କା ଲେଖାଏଁ ସହାୟତା ପ୍ରଦାନ କରିବାକୁ ଘୋଷଣା କରିଛନ୍ତି ।

କନୌଜ ଜିଲ୍ଲାପାଳ ରବୀନ୍ଦ୍ର କୁମାର କହିଛନ୍ତି ଯେ, ବସରେ ପାଖାପାଖି ୪୩ ଜଣ ଯାତ୍ରୀ ଥିଲେ । ଦୁର୍ଘଟଣାରେ ଆହତ ୨୧ ଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ନିଆଁକୁ ନିୟନ୍ତ୍ରଣ କରାଯାଇଛି । ସେ କହିଛନ୍ତି ଯେ, ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଜିଲ୍ଲାପାଳ କହିଛନ୍ତି ଯେ, ଫାରୁଖବାଦର ବସ ମାଲିକ ଥିଲେ । ଏଥିରେ ଗୁରସହାୟଗଞ୍ଜର ୨୬ ଓ ଛିବରାମଉର ୧୭ ଜଣ ଯାତ୍ରୀ ଥିଲେ ।