ଏସପିଙ୍କ ଅଡୁଆ ବଢ଼ିଛି: ଅଦାଲତରେ ଦାଏର ହେଲା ମକଦ୍ଦମା

ସୁନ୍ଦରଗଡ: କନିକା ପ୍ରସଙ୍ଗ ଥମିବାର ନାଁ ନେଉନାହିଁ । ଅଭିଯୁକ୍ତମାନେ ଗିରଫ ହୋଇ ବିଚାର ବିଭାଗୀୟ ହାଜତରେ ଥିବାବେଳେ ଏହାକୁ ନେଇ ସମଗ୍ର ଅଂଚଳରେ ଏକ ପ୍ରକାର ଚାପା ଅସନ୍ତୋଷ ଲାଗିରହିଛି । ଜିଲ୍ଲା ପୁଲିସର ନିର୍ଦ୍ଦେଶକ୍ରମେ ପୁଲିସ ବଳ ସମଗ୍ର ଅଂଚଳ ପ୍ରତି ସତର୍କ ଦୃଷ୍ଟି ରଖିଥିବାରୁ ଜଣାପଡିଛି । ଘଟଣାକ୍ରମରେ ଆଜି ହେମଗିର ଅଂଚଳର ବରିଷ୍ଠ ନାଗରିକ ଦିଲୀପ ପଟ୍ଟନାୟକ(୬୫) ସ୍ଥାନୀୟ ଅନୁବିଭାଗୀୟ ଦଣ୍ଡାଧିକାରୀ(ଏସ.ଡି.ଜେ.ଏମ୍)ଙ୍କ ଅଦାଲତରେ ଏକ କେସ୍ ଆଇ.ସି.ସି. ୬୫/୨୦୧୯ ଭାରତୀୟ ଦଣ୍ଡବିଧି ଆଇନର ଧାରା ୪୨୭, ୩୪୧, ୫୦୬, ୪୫୭, ୩୨୩, ୨୯୪, ୧୬୬, ୧୬୭, ୩୪୨, ୫୦୩, ୫୦୪ ଦଫାରେ ସୁନ୍ଦରଗଡ ଏସପିଙ୍କ ବିରୋଧରେ ଏକ ମକଦ୍ଦମା ଦାଏର କରିଥିବାର ଜଣାପଡିଛି । ଦାଏର ମକଦ୍ଦମାର ବିବରଣୀରୁ ପ୍ରକାଶ ଗତ ୪ ତାରିଖ ରାତ୍ରି ସାଢ଼େ ୧୨ଟା ବେଳେ ସୁନ୍ଦରଗଡ ଏସପି ଓ ୪୦ ରୁ ୫୦ ସଶସ୍ତ୍ର ପୁଲିସ ତାଙ୍କ ଘର କବାଟ ବାଡେଇବା ସହ ଜବରଦସ୍ତି ପ୍ରବେଶ କରି ଶ୍ରୀ ପଟ୍ଟନାୟକଙ୍କୁ ମାଡ ମାରିବା ସହ ତାଙ୍କ ପତ୍ନୀଙ୍କୁ ବିଧବା କରିଦେବେ ବୋଲି କୁଆଡେ ଧମକ ଦେବା ସହ ଅନ୍ୟାନ୍ୟ ଶାରୀରିକ ଓ ମାନସିକ ନିର୍ଯାତନା ଦେଇ ଝରକାର କାଚ ଓ ତାଙ୍କ ବୋଲେରୋ ଗାଡିର କାଚ ମଧ୍ୟ ଭଙ୍ଗାରୁଜା କରି ଗାଡିରେ ବସାଇ କନିକା ବିଟ୍ ହାଉସକୁ ନେଇଯାଇଥିଲେ । ସେଠାରେ ପିଙ୍କୁ ମିଶ୍ରଙ୍କୁ ମଧ୍ୟ ଆଣ୍ଠେଇ ଶାରୀରିକ ଓ ମାନସିକ ନିର୍ଯାତନା ଦିଆଯାଉଥିଲା ବୋଲି ଦେଖିଲେ । ଜଣେ ହୃଦୟହୀନା ପଦସ୍ଥ ଅଧିକାରୀଙ୍କ ନିର୍ଯାତନା ଓ ଆଚରଣରେ ଶ୍ରୀ ପଟ୍ଟନାୟକ ଓ ତାଙ୍କ ପରିବାର ମାନସିକସ୍ତରରେ ଭାଙ୍ଗି ପଡିଥିବାର ଅଭିଯୋଗ କରିବା ସହ ଗତ ୫.୭.୨୦୧୯ ଦିନ ଅଦାଲତ ପରିସରରୁ ସାଧା ପୋଷାକରେ କିଛି ପୁଲିସ କର୍ମଚାରୀ କୁଆଡେ ତାଙ୍କ ପୁଅଙ୍କୁ ଜବରଦସ୍ତ ଟେକି ନେଇ ସଦର ଥାନକୁ ନେଇ ସେଠାରେ ତାଙ୍କୁ ଶାରୀରିକ ନିର୍ଯାତନା ଦେଇ କୋର୍ଟକୁ ଚାଲାଣ କରିଦେଇଥିଲେ । ଏ ସମ୍ପର୍କରେ ଶ୍ରୀ ପଟ୍ଟନାୟକ ହେମଗିର ଥାନାକୁ ଏତଲା ଦେବାକୁ ଯାଇଥିଲେ ମଧ୍ୟ ପୁଲିସ କୁଆଡେ ତାଙ୍କ ଏତଲା ଗ୍ରହଣ କରି ନ ଥିବାରୁ ସେ ବାଧ୍ୟ ହୋଇ ନିଜ ପରିବାରର ସୁରକ୍ଷା ଓ ନ୍ୟାୟ ପାଇଁ ଅଦାଲତର ଦ୍ୱାରସ୍ଥ ହୋଇଛନ୍ତି ବୋଲି ତାଙ୍କ ଓକିଏ ପ୍ରଦୀପ ମହାନ୍ତି ସୂଚନା ଦେଇଛନ୍ତି । ଏ ସମ୍ପର୍କରେ ମତାମତ ନେବା ପାଇଁ ଏସପିଙ୍କୁ ଯୋଗାଯୋଗ କରାଯିବାରୁ ସେ କିମ୍ବା ପୁଲିସ ବଳ କୌଣସି ପ୍ରକାର ବେଆଇନ କାମ କରିନାହାନ୍ତି ଓ ଭିଡିଓ ଫୁଟେଜକୁ ଆଧାର କରି ଅଭିଯୁକ୍ତଙ୍କ ବିରୋଧରେ ପଦକ୍ଷେପ ନିଆଯାଉଛି ବୋଲି କହିବା ସହ ଆଇନର ସହାୟତା ନେବା ପାଇଁ କାହାକୁ ମନା ନାହିଁ ବୋଲି କହିବା ସହ ଶ୍ରୀ ପଟ୍ଟନାୟକ କରିଥିବା ଅଭିଯୋଗକୁ ଅସ୍ୱୀକାର କରିଥିଲେ । ଘଟଣା ଯାହା ହେଉନା କାହିଁକି ଅଦାଲତରେ ଏସପିଙ୍କ ବିରୋଧରେ ମକଦ୍ଦମା ଦାଏର ସମଗ୍ର ଘଟଣାକ୍ରମକୁ ଭିନ୍ନ ମୋଡ ଦେଇଥିବାବେଳେ ଅଦାଲତର ପରବର୍ତୀ ପଦକ୍ଷେପ ଉପରେ ବହୁ କିଛି ନିର୍ଭର କରୁଛି ବୋଲି ଓକିଲ ଓ ବୁଦ୍ଧୀଜୀବିଙ୍କ ମହଲରେ ଚର୍ଚ୍ଚା ଚାଲିଛି ।