କାଞ୍ଚନଜୁଙ୍ଗା ଏକ୍ସପ୍ରେସକୁ ପଛରୁ ଧକ୍କା ଦେଲା ମାଲବାହୀ ଟ୍ରେନ୍, ୫ ମୃତ, ଉଦ୍ଧାର କାର୍ଯ୍ୟ ଜାରି

ପଶ୍ଚିମବଙ୍ଗରେ ଏକ ବଡ଼ ଟ୍ରେନ୍ ଦୁର୍ଘଟଣା। ଟ୍ରାକରେ ଠିଆ ହୋଇଥିବା କାଞ୍ଚନଜୁଙ୍ଗା ଏକ୍ସପ୍ରେସକୁ ଏକ ମାଲବାହୀ ଟ୍ରେନ୍ ପଛରୁ ଧକ୍କା ଦେଇଥିଲା । ଏହି ଦୁର୍ଘଟଣାରେ ବର୍ତ୍ତମାନ ପର୍ଯ୍ୟନ୍ତ ୫ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨୫ ଜଣ ଆହତ ହୋଇଥିବା ନେଇ ସୂଚନା ରହିଛି । ତେବେ ଉଦ୍ଧାରକାରୀ ଦଳ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାରକାର୍ଯ୍ୟ ଜାରି ରଖିଛନ୍ତି।

ସୂଚନା ଅନୁସାରେ, ଏହି ଦୁର୍ଘଟଣା ସକାଳ ୯.୩୦ ସମୟରେ ଘଟିଛି। ଟ୍ରେନ୍ ନମ୍ବର 13174 କାଞ୍ଚନଜୁଙ୍ଗା ଏକ୍ସପ୍ରେସ ଏକ ମାଲବାହୀ ଟ୍ରେନ୍ ସହିତ ଧକ୍କା ହୋଇଥିଲା । ଟ୍ରେନଟି କୋଲକତାରୁ ସିଆଲଦା ଯାଉଥିବା ସମୟରେ ଦୁର୍ଘଟଣା ହୋଇଥିଲା । କାଞ୍ଚନଜୁଙ୍ଗା ଏକ୍ସପ୍ରେସ ଟ୍ରାକରେ ଠିଆ ହୋଇଥିବା ବେଳେ ପଛରୁ ଏକ ମାଲବାହୀ ଗାଡି଼ ଆସି ଧକ୍କା ଦେଇଥିଲା । ଯାହା ଫଳରେ ପାସେଞ୍ଜର ଟ୍ରେନର ୨ଟି ଏବଂ ଗୋଟିଏ ପାର୍ସଲ ବଗି ସମ୍ପୁର୍ଣ୍ଣ ରୂପେ କ୍ଷତିଗ୍ରସ୍ତ ହୋଇଛି ।

ପୋଲିସର ପକ୍ଷରୁ ଜାରି କରାଯାଇଥିବା ସୂଚନା ଅନୁସାରେ, ୫ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ଲୋକ ଆହତ ହୋଇଛନ୍ତି । ଦୁର୍ଘଟଣା ପରେ ଉଦ୍ଧାରକାରୀ ଦଳ ଏବଂ ସ୍ଥାନୀୟ ଲୋକ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି ସେହିପରି ସମସ୍ତ ସରକାରୀ ଏବଂ ପ୍ରାଇଭେଟ୍ ମେଡିକାଲକୁ ଆଲର୍ଟ ଜାରି କରାଯାଇଛି।

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଟ୍ୱିଟ୍ କରି ଦୁଃଖ ପ୍ରକାଶ କରିଛନ୍ତି । ଉଦ୍ଧାର କାର୍ଯ୍ୟରେ ଡିଏମ୍, ଏମପି, ଡାକ୍ତରି ଟିମ୍, ଆମ୍ବୁଲାନ୍ସ ଏବଂ ଉଦ୍ଧାରକାରୀ ଦଳ ନିୟୋଜିତ ଅଛନ୍ତି