ବାବ୍ରୀ ମସଜିଦ ଧ୍ଵଂସ ମାମଲା: କଲ୍ୟାଣ ସିଂହଙ୍କୁ ଆଶ୍ଵସ୍ତି, ୨ ଲକ୍ଷ ମୁଚଲିକାରେ ମିଳିଲା ଜାମିନ

ଲକ୍ଷ୍ନୌ:ବାବ୍ରୀ ମସଜିଦ୍ ଧ୍ଵଂସ ମାମଲାରେ ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କଲ୍ୟାଣ ସିଂହଙ୍କୁ ବଡ଼ ଆଶ୍ଵସ୍ତି ମିଳିଛି। ସିବିଆଇର ସ୍ଵତନ୍ତ୍ର ଅଦାଲତ ଏହି ମାମଲାରେ ୨ ଲକ୍ଷ ଟଙ୍କା ମୁଚଲିକାରେ ତାଙ୍କୁ ଜାମିନ ପ୍ରଦାନ କରିଛନ୍ତି। କଲ୍ୟାଣ ସିଂହଙ୍କ ବିରୋଧରେ ଏହି ମାମଲାରେ ଅନେକ ଧାରା ଆଧାରରେ ଆରୋପ ନିର୍ଦ୍ଧାରିତ କରାଯାଇଥିଲା। 

ଅଦାଲତରେ କଲ୍ୟାଣଙ୍କ ବିରୋଧରେ ୧୫୩ଏ, ୧୫୩ବି, ୨୯୫ ଅପରାଧିକ ଷଡ଼ଯନ୍ତ୍ରର ଧାରା ଅନୁଯାୟୀ ନିୟମ ବିରୋଧରେ ଭିଡ଼କୁ ଏକଜୁଟ୍ ହେବାକୁ ଦେବା, ଧାର୍ମିକ ଭାବନାକୁ ଉସୁକାଇବା, ଅପରାଧିକ ଷଡ଼ଯନ୍ତ୍ର ମାମଲା ସ୍ଥିର କରାଯାଇଛି। ଏବେ ସିବିଆଇର ସ୍ଵତନ୍ତ୍ର ଜଜ ଅଯୋଧ୍ୟା ମାମଲାରେ କଲ୍ୟାଣ ସିଂହଙ୍କ ଉପରେ ମୋକଦ୍ଦମା ଚଳାଇବେ। ବର୍ତ୍ତମାନ ଅଦାଲତରେ ସାକ୍ଷୀଙ୍କ ଟ୍ରାଏଲ ଚାଲିଛି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ସ୍ଵତନ୍ତ୍ର କୋର୍ଟ ଏହି ମାମଲାରେ ଶୁଣାଣି କରୁଛି। ପ୍ରତି ଦିନ ସାକ୍ଷୀଙ୍କ ବୟାନ ରେକର୍ଡ କରାଯାଉଛି।

ଉଲ୍ଲେଖଯୋଗ୍ୟ, ଶୁକ୍ରବାର କଲ୍ୟାଣ ସିଂହ ଲକ୍ଷ୍ନୌ ସ୍ଥିତ ସିବିଆଇର ସ୍ଵତନ୍ତ୍ର କୋର୍ଟରେ ହାଜର ହୋଇଥିଲେ। ହାଜର ହେବା ମାତ୍ରେ ତାଙ୍କୁ ହେପାଜତକୁ ନିଆଯାଇଥିଲା। ଏହା ସହିତ କଲ୍ୟାଣ ସିଂହଙ୍କ ପକ୍ଷରୁ ଜାମିନ ପାଇଁ ଆବେଦନ କରାଯାଇଥିଲା। ସୂତ୍ର ମୁତାବକ କଲ୍ୟାଣଙ୍କ ଓକିଲ ତାଙ୍କର ସ୍ଵାସ୍ଥ୍ୟଗତ କାରଣ ଦର୍ଶାଇ ଜାମିନ ଦେବାକୁ ଆବେଦନ କରିଥିଲେ। 

ଉଲ୍ଲେଖଯୋଗ୍ୟ, କଲ୍ୟାଣ ସିଂହ ରାଜସ୍ଥାନର ରାଜ୍ୟପାଳ ଥିବାରୁ ବାବ୍ରି ମସଜିଦ୍ ଭଙ୍ଗା ମାମଲାରେ ତାଙ୍କ ବିରୋଧରେ ମୋକଦ୍ଦମା ହେଉନଥିଲା। ଏବେ ତାଙ୍କର କାର୍ଯ୍ୟକାଳ ସରିଥିବାରୁ ସିବିଆଇ ତାଙ୍କ ବିରୋଧରେ ମୋକଦ୍ଦମା ଚଲାଇବ। 

ସୂଚନାଯୋଗ୍ୟ, ସିବିଆଇର ଯାଚିକାକୁ ଆଧାର କରି ସୁପ୍ରିମକୋର୍ଟ ୨୦୧୭ରେ କେସ୍ ରୁଜୁ କରିବାକୁ ଆଦେଶ ଦେଇଥିଲା। ଯେଉଁଥିରେ କଲ୍ୟାଣ ସିଂହଙ୍କ ବ୍ୟତୀତ ବିଜେପି ନେତା ଲାଲକୃଷ୍ଣ ଆଡ଼ଭାଣୀ, ମୁରଲୀ ମନୋହର ଯୋଶୀ, ଉମା ଭାରତୀ, ସାଧ୍ଵୀ ଋତମ୍ଭରା, ମହନ୍ତ ନୃତ୍ୟଗୋପାଲ ଦାସ ସମେତ ଅନ୍ୟଙ୍କୁ ଆରାପି ମାନି ମୋକଦ୍ଦମା ଚଳାଇବାକୁ ଆଦେଶ ଦେଇଥିଲା। ଏହି ସମସ୍ତଙ୍କୁ ଏହି ମାମଲାରେ ଜାମିନ ମିଳି ସାରିଛି।