ଓଡ଼ିଶା ଅଣାଯିବ କଳ୍ପନାଙ୍କ ମୃତଦେହ

ଭୁବନେଶ୍ବର : ରାଜ୍ୟର ପ୍ରଥମ ଏଭରେଷ୍ଟ ଅରୋହଣକାରୀ କଳ୍ପନା ଦାଶଙ୍କ ମୃତଦେହ ଓଡ଼ିଶାକୁ ଅଣାଯିବ। ଶୁକ୍ରବାର ରାଜ୍ୟ କ୍ରୀଡ଼ା ସଚିବ ନେପାଳରେ ଥିବା ଭାରତୀୟ ଦୂତାବାସକୁ ଚିଠି ଲେଖିଛନ୍ତି। ତେବେ ଏଥିପାଇଁ ସମସ୍ତ ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ ବୋଲି ଜଣାପଡ଼ିଛି। ଅନ୍ୟପଟେ ରାଜ୍ୟର ସର୍ବପ୍ରଥମ ଏଭେରେଷ୍ଟ୍‌ ଆରୋହୀ କଳ୍ପନା ଦାସଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ଜଣାଇଛନ୍ତି। ଏଥି ସହିତ ସେ କଳ୍ପନାଙ୍କ ପରିବାର ପ୍ରତି ଗଭୀର ସମବେଦନା ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ କହିଛନ୍ତି, କଳ୍ପନାଙ୍କ ସଫଳତା ମହିଳା ପର୍ବତାରୋହଣକାରୀଙ୍କୁ ପ୍ରେରଣା ଯୋଗାଇବ।

ସୂଚନାଯୋଗ୍ୟ; ସାରାବିଶ୍ବରୁ ପ୍ରାୟ ୨୫୦ ପର୍ବତାରୋହୀ ବୁଧବାର ଏଭ​‌ରେଷ୍ଟ ଅଭିଯାନରେ ବାହାରିଥିଲେ। ସେମାନଙ୍କ ମଧ୍ୟରୁ ୨୦୦ ଜଣ ଏଭରେଷ୍ଟ ଶୃଙ୍ଗର ଶୀର୍ଷରେ ପହଞ୍ଚିବାର କୃତିତ୍ବ ହାସଲ କରିଥିଲେ। ଏହି ୨୦୦ ଜଣଙ୍କ ମଧ୍ୟରେ କଳ୍ପନା ଥିଲେ। ତେବେ ଏକାସାଙ୍ଗରେ ୨୦୦ ପର୍ବତାରୋହୀ ଏଭରେଷ୍ଟ ଶୃଙ୍ଗରେ ଚଢ଼ିଥିବାରୁ ଫେରିବା ବେଳେ ଟ୍ରାଫିକ୍ ଜାମ୍ ବା ଭିଡ଼ ହୋଇଥିଲା। ଏହି କାରଣରୁ କଳ୍ପନାଙ୍କ ସହ ୩ ଜଣ ପର୍ବତାରୋହୀ ପ୍ରାଣ ହରାଇଛନ୍ତି। ‘ଡ୍ରିମର୍ସ ଡେଷ୍ଟିନେସନ୍‌ ଟ୍ରେକ୍‌ସ’ ସଂସ୍ଥା ଆନୁକୂଲ୍ୟରେ ଆୟୋଜିତ ଏଭରେଷ୍ଟ ଶୃଙ୍ଗ ଆରୋହଣ ପାଇଁ ୫୨ ବର୍ଷ ବୟସ୍କା ଓଡ଼ିଶାର କଳ୍ପନା ଦାସ ୩ ଜଣିଆ ମହିଳା ଅଭିଯାନ ଦଳର ସଦସ୍ୟା ଥିଲେ। ଏହି ଦଳରେ ଥିବା ଅନ୍ୟ ୨ ସଦସ୍ୟା ହେଲେ ନେପାଳର କାଞ୍ଚି ମାୟା ତମାଙ୍ଗ୍ ଓ ଚୀନ୍‌ର ଲିୟାମୁ ମା। ତିନିହେଁ ବୁଧବାର ଏଭରେଷ୍ଟ ଚଢ଼ିବା ଆରମ୍ଭ କରିଥିଲେ ଏବଂ ଗୁରୁବାର ମଧ୍ୟାହ୍ନରେ ଶୀର୍ଷରେ ପହଞ୍ଚିବାର କୃତିତ୍ବ ହାସଲ କରିଥିଲେ। ଶାଢ଼ି ପିନ୍ଧି ଏଭରେଷ୍ଟ ଶୀର୍ଷରେ ମଧ୍ୟ କଳ୍ପନା ଫଟୋ ଉଠାଇଥିଲେ। କିଛି ସମୟ ଏଭରେଷ୍ଟ ଶୀର୍ଷରେ ରହି କଳ୍ପନା ଓହ୍ଲାଇବା ଆରମ୍ଭ କରିଥିଲେ। ତେବେ ଅଳ୍ପ କିଛି ବାଟ ଆସି ଭିଡ଼ ଯୋଗୁଁ ସେ ଅଟକି ରହିଥିଲେ। ସେଠାରେ ସେ ଅସୁସ୍ଥ ଅନୁଭବ କରିଥିଲେ ଏବଂ ସନ୍ଧ୍ୟାରେ ପ୍ରାଣ ହରାଇଥିଲେ। କଳ୍ପନାଙ୍କ ଦଳର ଅନ୍ୟ ସଦସ୍ୟା ଫୋନ୍‌କରି କଳ୍ପନାଙ୍କ ପରିବାରକୁ ଏହି ଦୁଃଖଦ ଖବର ଜଣାଇଥିଲେ।
୧୯୬୬ ଜୁଲାଇ ୭ରେ ଢେଙ୍କାନାଳରେ ଜନ୍ମଗ୍ରହଣ କରିଥିବା କଳ୍ପନା ଜଣେ ପେସାଦାର ପର୍ବାରୋହୀଭା​‌େ​‌ବ ଭାରତ ତଥା ରାଜ୍ୟ ପାଇଁ ବେଶ ସୁନାମ ଅର୍ଜନ କରିଥିଲେ। ୨୦୦୮ ମେ ୨୧ରେ ପ୍ରଥମ ଓଡ଼ିଆ ତଥା ପୂର୍ବାଞ୍ଚଳର ପ୍ରଥମ ମହିଳା ପର୍ବତାରୋହୀ ଭାବେ ବିଶ୍ବର ଉଚ୍ଚତମ ଶୃଙ୍ଗ ଏଭରେଷ୍ଟ ଆରୋହଣ କରି ଇତିହାସ ସୃଷ୍ଟି କରିଥିଲେ। ଏହି ଏଭରେଷ୍ଟ ଅଭିଯାନ ଲାଗି ପାଣ୍ଠି ଯୋଗାଡ଼ ପାଇଁ କଳ୍ପନା ବହୁତ ପରିଶ୍ରମ କରିଥିଲେ। ପରେ କଳ୍ପନା ୨୦୧୦ରେ ଉତ୍ତର ଆମେରିକାର ମାଉଣ୍ଟ ଡାନିଏଲ, ମାଉଣ୍ଟ କିଲିମାଞ୍ଜାରୋ, ୨୦୧୪ ଅକ୍ଟୋବର ୯ରେ ଦକ୍ଷିଣ ଆମେରିକାର ତାନଜିଞ୍ଜ ରେଞ୍ଜ, ୨୦୧୫ରେ ମାଉଣ୍ଟ କିଲିମାଞ୍ଜାରୋକୁ ସଫଳତାର ସହିତ ଆରୋହଣ କରିଥିଲେ। ଏହାଛଡା ୨୦୧୫ ଡିସେମ୍ବର ୩ରେ ଭାରତର ପ୍ରଥମ ମହିଳା ପର୍ବତାରୋହୀ ଭାବେ ବିନା ଅମ୍ଲଜାନ​‌େ​‌ର ପର୍ବତାରୋହଣ କରିଥିଲେ।