ବିଶ୍ବସ୍ତରୀୟ ହେବ କଳିଙ୍ଗ ଷ୍ଟୁଡିଓ : ପୁନରୁଦ୍ଧାର ଓ ନବୀକରଣ କାର୍ଯ୍ୟର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଏଥିଲାଗି ୨ ଶହ କୋଟି ଟଙ୍କା ମଞ୍ଜୁର କରିଛନ୍ତି ରାଜ୍ୟ ସରକାର

ଭୁବନେଶ୍ବର: ରାଜ୍ୟ ଚଳଚ୍ଚିତ୍ର ନିଗମ ପରିଚାଳିତ କଳିଙ୍ଗ ଷ୍ଟୁଡିଓର ହେବ ନବକଳେବର। ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ି ରହିଥିବା କଳିଙ୍ଗ ଷ୍ଟୁଡିଓର ପୁନରୁଦ୍ଧାର କରାଯିବ । ଏଣିକି ଚଳିଚ୍ଚିତ୍ର ସୁଟିଂ ପାଇଁ ରାଜ୍ୟ ବାହାରକୁ ଯିବେନି ପ୍ରଯୋଜକ, ନିର୍ଦ୍ଦେଶକ। କଳିଙ୍ଗ ଷ୍ଟୁଡିଓରେ ମିଳିବ ସବୁ ସୁବିଧା। କଳିଙ୍ଗ ଷ୍ଟୁଡିଓ ପରିସରରେ ଏହାର ପୁନରୁଦ୍ଧାର ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ ସହ ନବୀକରଣ କାର୍ଯ୍ୟ ପାଇଁ ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କଳିଙ୍ଗ ଷ୍ଟୁଡିଓକୁ ବିଶ୍ୱସ୍ତରୀୟ ଫିଲ୍ମ ଷ୍ଟୁଡିଓ ଭାବେ ଗଢି ତୋଳିବାକୁ ଅଣ୍ଟା ଭିଡିଛନ୍ତି ରାଜ୍ୟ ସରକାର ଓ ଏଥିଲାଗି ୨ ଶହ କୋଟି ଟଙ୍କା ମଞ୍ଜୁର କରିଛନ୍ତି ରାଜ୍ୟ ସରକାର ।

kalinga studio renovation project foundation stone laid by chief-minister

କଳିଙ୍ଗ ଷ୍ଟୁଡିଓରେ ମିଳିବ ବିମାନବନ୍ଦର, ରେଳଷ୍ଟେସନ, ବିଲଡିଙ୍ଗ, ହସ୍ପିଟାଲ, ଜେଲ ଓ ପୋଖରୀ ସବୁ କିଛିର ସୁବିଧା ।

ଏହି ଶିଳାନ୍ୟାସ ଉତ୍ସବରେ ଶକ୍ତି ଓ ଶିଳ୍ପ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସମେତ ଓଡ଼ିଶା ଫିଲ୍ମ ଉନ୍ନୟନ ନିଗମ ଅଧ୍ୟକ୍ଷ କୁନା ତ୍ରିପାଠୀ, ମୁଖ୍ୟଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ବରିଷ୍ଠ ଅଭିନେତା ଉତ୍ତମ ମହାନ୍ତି, ସବ୍ୟସାଚୀ ମିଶ୍ର ଓ ଆକାଶ ଦାସ ନାୟକ ପ୍ରମୁଖ ଉପସ୍ଥିତ ରହିଥିଲେ । ପୂର୍ବରୁ ରାଜ୍ୟର ଅଧିକାଂଶ ଫିଲ୍ମ କଳିଙ୍ଗ ଷ୍ଟୁଡିଓରେ ସୁଟିଂ ହେଉଥିଲା । ଫିଲ୍ମ ନିର୍ମାଣ ପାଇଁ ଆବଶ୍ୟକୀୟ ଭିତ୍ତିଭୂମି ରହିଥିବାରୁ ବାହାର ରାଜ୍ୟକୁ କିମ୍ବା ବିଦେଶ ଯିବାକୁ ପଡୁ ନଥିଲା ।

୧୯୯୯ ମସିହା ମହାବାତ୍ୟା କଳିଙ୍ଗ ଷ୍ଟୁଡିଓକୁ ଛାରଖାର କରି ଦେଇଥିଲା । ଭୁଷୁଡି ପଡିଥିଲା କଳିଙ୍ଗ ଷ୍ଟୁଡିଓର ଭିତ୍ତିଭୂମି । ଫିଲ୍ମ ସୁଟିଂ ପାଇଁ ସେଭଳି ଆଉ ପରିବେଶ ନଥିଲା । ବଣ ବୁଦା ଚାରି ଆଡକୁ ମାଡିଯିବା ସହ ଷ୍ଟୁଡିଓ ଭିତରେ ଆଡ୍ଡା ଜମାଇଲେ ଗାଇ ଗୋରୁ । କିନ୍ତୁ ଏବେ ପୁଣିଥରେ କଳିଙ୍ଗ ଷ୍ଟୁଡିଓ ଜୀବନ୍ୟାସ ପାଇବାକୁ ଯାଉଛି । ଆଉ ଏହାକୁ ନୂଆ ଜୀବନ ଦେବା ନବୀନ ଉଠାଇଛନ୍ତି ବଡ଼ ପଦକ୍ଷେପ, ଯାହାକୁ ସିନେ କଳାକାର ପ୍ରଂଶସା କରିଛନ୍ତି ।

kalinga studio renovation project foundation stone laid by chief-minister