୨୦୨୦ରେ କଳିଙ୍ଗ ଷ୍ଟାଡ଼ିଅମରେ ହେବ ୧୭ବର୍ଷରୁ କମ ବାଳିକା ବିଶ୍ୱ କପ

ଭୁବନେଶ୍ୱର: ଗତବର୍ଷ ପୁରୁଷ ହକି ୱାଲ୍ଡ କପ ସଫଳତା ପରେ ଭୁବନେଶ୍ୱର କଳିଙ୍ଗ ଷ୍ଟାଡ଼ିଅମକୁ ପୁଣି ଏକ ଅନ୍ତର୍ଜାତୀୟ ଟୁର୍ଣ୍ଣାମେଣ୍ଟ ମିଳିଛି । ୧୭ବର୍ଷରୁ କମ ବାଳିକା ବିଶ୍ୱ କପ ଫୁଟ ବଲ ଭେନ୍ୟୁ ତାଲିକାରେ କଳିଙ୍ଗ ଷ୍ଟାଡ଼ିୟମ ଶୀର୍ଷରେ ଥିବା ଫିଫା ପକ୍ଷରୁ ସୂଚନା ମିଳିଛି ।

୨୦୨୦ରେ ୧୭ବର୍ଷରୁ କମ ବାଳିକା ବିଶ୍ୱକପ ଫୁଟବଲ କଳିଙ୍ଗ ଷ୍ଟାଡ଼ିୟମରେ ଆୟୋଜନ ହେବା ନେଇ ସାମ୍ବାଦିକ ସମ୍ମିଳନୀରେ ଫିଫା ଆୟୋଜକ କମିଟି ପକ୍ଷରୁ ସୂଚନା ଦିଆଯାଇଛି । କଳିଙ୍ଗ ଷ୍ଟାଡ଼ିୟମକୁ ଆଉ ଏକ ବିଶ୍ୱକପ ଭଳି ଅନ୍ତର୍ଜାତୀୟ ଟୁର୍ଣ୍ଣାମେଣ୍ଟ ମିଳିବା ରାଜ୍ୟ କ୍ରୀଡ଼ା ପ୍ରେମୀଙ୍କ ମହଲରେ ଖୁସୀର ଲହରୀ ଖେଳିଯାଇଛି । ଏହା ପୂର୍ବରୁ ୨୦୧୯ରେ କଳିଙ୍ଗ ଷ୍ଟାଡ଼ିୟମରେ ସଫଳତାର ସହ ମହିଳା ଗୋଲ୍ଡ କପ ଆୟୋଜନ ହୋଇଥିଲା ।

ବିଶେଷ କରି ୨୦୧୮ରେ ପୁରୁଷ ହକି ବିଶ୍ୱ କପ ସଫଳତାର ସହ ଆୟୋଜନ ପରେ  ବିଶ୍ୱର କ୍ରୀଡ଼ା ମାନଚିତ୍ରରେ କଳିଙ୍ଗ ଷ୍ଟାଡ଼ିୟମକୁ ସ୍ୱତନ୍ତ୍ର ପରିଚୟ ମିଳିଛି । ଏହାପରେ ୨୦୧୯ ଜାନୁଆରୀରେ ପୁରୁଷ ହକି ସିରିଜ ଫାଇନାଲ ଆୟୋଜିତ ହୋଇଛି ।କଳିଙ୍ଗ ଷ୍ଟାଡ଼ିୟମରେ ବିଶ୍ୱସ୍ତରୀୟ କ୍ରୀଡ଼ା ଭିତ୍ତିଭୂମି ଓ ଆନୁସାଙ୍ଗିକ ବ୍ୟବସ୍ଥା ରହିଥିବାରୁ ଏଠାରେ ଅନ୍ତର୍ଜାତୀୟ ଟୁର୍ଣ୍ଣାମେଣ୍ଟ ଆୟୋଜନ କରିବାକୁ ଫିଫାଠୁ ନେଇ ଅନ୍ତରାଷ୍ଟ୍ରୀୟ କ୍ରୀଡ଼ା ସଂଗଠନ ଆଗ୍ରହ ପ୍ରକାଶ କରୁଛନ୍ତି । ଯାହା ଓଡ଼ିଶା କ୍ରୀଡ଼ା ପାଇଁ ଏକ ସଫଳତାର ବିଷୟ ପାଲଟିଛି । ପୁରୁଷ ହକି ବିଶ୍ୱକପ ପରେ ଏବେ ଓଡ଼ିଶାର ଫୁଟବଲ ପ୍ରେମୀ କଳିଙ୍ଗ ଷ୍ଟାଡ଼ିୟମରେ ୧୭ବର୍ଷରୁ କମ ବାଳିକା ବିଶ୍ୱ କପ ପରି ଅନ୍ତର୍ଜାତୀୟ ମ୍ୟାଚ ଦେଖିବାର ସୁଯୋଗ ପାଇବେ ।

ସୂଚନାଯୋଗ୍ୟ ଯେ, ମେ ୨୬ରେ ଭୁବନେଶ୍ୱର କଳିଙ୍ଗ ଷ୍ଟାଡ଼ିଅମରେ ଫିଫାର ଦୁଇ ଜଣିଆ ଟିମ ଆସି ଭିତ୍ତିଭୂମି ତଦାରଖ କରିଥିଲେ ।