କାଳିଆ ଛାତ୍ରବୃତ୍ତି ବନ୍ଦ ହେବନି, ସ୍ପଷ୍ଟ କଲେ ସରକାର

ଭୁବନେଶ୍ୱର : କାଳିଆ ଯୋଜନାରେ ମେଧାବୀ ଛାତ୍ରଛାତ୍ରୀଙ୍କୁ ଛାତ୍ରବୃତ୍ତି ଦିଆଯିବା ନେଇ ଯେଉଁ ନିଷ୍ପତ୍ତି ହୋଇଥିଲା, ସେଥିରେ କୌଣସି ପରିବର୍ତ୍ତନ ହୋଇନାହିଁ । ପୂର୍ବ ଭଳି ମେଧାବୀ ଛାତ୍ରଛାତ୍ରୀଙ୍କୁ ଉଚ୍ଚଶିକ୍ଷା ପାଇଁ କାଳିଆ ଛାତ୍ରବୃତ୍ତି ମାଧ୍ୟମରେ ରାଜ୍ୟ ସରକାର ସହାୟତା ପ୍ରଦାନ କରିବେ । ପିଏମ୍ କିଷାନ ଯୋଜନା ସହ କାଳିଆ ଯୋଜନାର କିଛି ଅଂଶ ମିଶିବା ନେଇ ଗାଇଡଲାଇନ ଜାରି ହେବା ପରେ ଛାତ୍ରବୃତ୍ତିକୁ ନେଇ ଦ୍ୱନ୍ଦ୍ୱ ଉପୁଜିବା ପରେ କୃଷି ସଚିବ ସୌରଭ ଗର୍ଗ ଏନେଇ ସ୍ପଷ୍ଟ କରିଛନ୍ତି । ସୂଚନା ଅନୁସାରେ, ବର୍ତ୍ତମାନ ସୁଦ୍ଧା ୭ ହଜାର ୨୫୮ ଜଣ ଛାତ୍ରଛାତ୍ରୀଙ୍କୁ କାଳିଆ ଛାତ୍ରବୃତ୍ତି ପାଇଁ ଚୟନ କରାଯାଇଛି । ୨୦୧୯-୨୦ ପାଇଁ ୧୯ ହଜାର ୨ ଶହ ୪୭ ଜଣ ଛାତ୍ରଛାତ୍ରୀ କାଳିଆ ଛାତ୍ରବୃତ୍ତି ପାଇଁ ଆବେଦନ କରିଥିଲେ ବୋଲି ପୂର୍ବରୁ କୃଷିମନ୍ତ୍ରୀ ଅରୁଣ ସାହୁ ଗଣମାଧ୍ୟମକୁ ସୂଚନା ଦେଇଥିଲେ । ରାଜ୍ୟ ସରକାର ଚଳିତବର୍ଷ ୪ ଫେବୃଆରୀରେ କାଳିଆ ଛାତ୍ରବୃତ୍ତି ଯୋଜନା ପ୍ରଣୟନ କରିଥିଲେ । କ୍ଷୁଦ୍ର ଓ ମଧ୍ୟମ ଚାଷୀ, ଯେଉଁମାନେ କାଳିଆ ଯୋଜନାରେ ସାମିଲ ହୋଇଥିଲେ ସେମାନଙ୍କ ପୁଅ ଝିଅ, ଯେଉଁମାନେ ଉଚ୍ଚ ଶିକ୍ଷା ତଥା ପୋଷ୍ଟ ଗ୍ରାଜୁଏସନ ପଢ଼ିବା ପାଇଁ ଚାହୁଁଥିବେ ସେମାନେ କାଳିଆ ଛାତ୍ରବୃତ୍ତି ପାଇଁ ଆବେଦନ କରିପାରିବେ । ଏହି ନୂଆ ଯୋଜନାରେ ଯୋଗ୍ୟ ବିବେଚିଚ ଛାତ୍ରଛାତ୍ରୀଙ୍କୁ ସରକାରୀ ପ୍ରଫେସନାଲ କଲେଜରେ ନାମ ଲେଖାଇବା ସହ ସେମାନଙ୍କର ପିଲାମାନଙ୍କୁ ଉଚ୍ଚଶିକ୍ଷା ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ । ଏହାଦ୍ୱାରା ଚାଷୀଙ୍କ ପିଲାମାନେ ମାଗଣାରେ ବୃତ୍ତିଭିତ୍ତିକ ଶିକ୍ଷା ପାଇପାରିବେ ।