ଅଯୋଗ୍ୟ କାଳିଆ ହିତାଧିକାରୀ ମଧ୍ୟରେ ୨୦ହଜାର ସରକାରୀ ଚାକିରିଆ

ଭୁବନେଶ୍ୱର:ରାଜ୍ୟ ସରକାରଙ୍କ କାଳିଆ ଯୋଜନାରେ ରହିଛନ୍ତି ୩.୪୧ ଲକ୍ଷ ଜଣ ଅଯୋଗ୍ୟ ହିତାଧିକାରୀ । ଏଥିରେ ୨୦ହଜାରରୁ ଅଧିକ ସରକାରୀ ଚାକିରିଆଙ୍କ ଆକାଉଣ୍ଟକୁ ଯାଇଛି କାଳିଆ ଟଙ୍କା । ଏନେଇ ସୂଚନା ଦେଇଛନ୍ତି କୃଷି ମନ୍ତ୍ରୀ ଅରୁଣ ସାହୁ । 

କାଳିଆ ଯୋଜନାରେ ଯୋଗ୍ୟ ହିତାଧିକାରୀଙ୍କୁ ଆର୍ଥିକ ସହାୟତା ଯୋଗାଇବାରେ ବିଫଳ ହୋଇଛନ୍ତି ରାଜ୍ୟ ସରକାର । କୃଷି ଓ କୃଷକଙ୍କ ମଙ୍ଗଳରେ ଜାରି କରିଥିବା କାଳିଆ ଯୋଜନାରେ ବେପାରୁଆ କାର୍ଯ୍ୟ । କାଳିଆରେ ଥିବା ହିତାଧିକାରୀଙ୍କ ଯାଂଚ ପରେ ସେଥିରେ ୩ଲକ୍ଷ ୪୧ହଜାର ଅଯୋଗ୍ୟ ହିତାଧିକାରୀ ଥିବା ଜଣାପଡ଼ିଛି । ଏଥିରୁ ୨୦ହଜାର ଜଣ ସରକାରୀ ଚାକିରିଆ ଓ ପେନସନ ଭୋଗୀ ଟଙ୍କା ପାଇଥିବା ଜଣାପଡ଼ିଛି । ସେମାନଙ୍କୁ ଏହି ଟଙ୍କା ଫେରାଇବାକୁ କୁହାଯିବ ନହେଲେ ଦରମାରୁ ଭରଣା କରାଯିବ । 

 କାଳିଆ ଯୋଜନାରେ ପ୍ରାୟ ୧୨ହଜାର ବଡ଼ ଚାଷୀ ମଧ୍ୟ ସହାୟତା ପାଇଛନ୍ତି  । ସମ୍ପୃକ୍ତ ବଡ଼ ଚାଷୀଙ୍କୁ ଟଙ୍କା ଫେରସ୍ତ କରିବାକୁ ପ୍ରବର୍ତ୍ତାଯିବ । ୯ହଜାର ନାବାଳକ ବା ନାବାଳିକା କାଳିଆ କାଳିଆ ସହାୟତା ପାଇଛନ୍ତି । ପରିବାର ମୁଖ୍ୟ ସହାୟତା ପାଇଥିବାରୁ ପରବର୍ତ୍ତୀ କିସ୍ତିରେ ଏହି ଟଙ୍କାକୁ ଠିକ କରିବାକୁ ବ୍ୟବସ୍ଥା କରାଯିବ । କାଳିଆ ଯୋଜନାରେ ୩ଲକ୍ଷ ଲୋକ ଗୋଟିଏ ପରିବାରର ଏକାଧିକ ବ୍ୟକ୍ତି ଦର୍ଶାଇ ଟଙ୍କା ପାଇଛନ୍ତି । ପରିବାରର ଜଣଙ୍କୁ ହିଁ ଏହି ସହାୟତା ମିଳିବ ଏବଂ ଏହାକୁ ପର କିସ୍ତିରେ ଭରଣା କରାଯିବ । ଅଯୋଗ୍ୟ ହିତାଧିକାରୀ ଟଙ୍କା ଫେରସ୍ତ କରିବାକୁ ଆକାଉଣ୍ଟ ନମ୍ବର ଜାରି କରାଯାଇଛି । କୃଷି ମନ୍ତ୍ରୀ ଅରୁଣ ସାହୁ ଏନେଇ ସୂଚନା ଦେଇଛନ୍ତି ।