ଚାଷୀଙ୍କ ପାଇଁ ଆଜିଠୁ କାଳିଆ ଯୋଜନା ଆରମ୍ଭ କରିବେ ନବୀନ

ଭୁବନେଶ୍ବର : ସୋମବାରଠାରୁ ରାଜ୍ୟରେ ଆନୁଷ୍ଠାନିକ ଭାବେ କାଳିଆ ଯୋଜନା ଆରମ୍ଭ ହେବାକୁ ଯାଉଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସଚିବାଳୟରେ ଭିଡିଓ କନଫରେନ୍ସିଂରେ ବିଭିନ୍ନ ଜିଲ୍ଲା ଓବ୍ଲକ୍ଗୁଡ଼ିକରେ ଏହାକୁ ଲାଗୁ କରିବେ । ବିଭିନ୍ନ ଜିଲ୍ଲା ପାଇଁ ମୁଖ୍ୟମନ୍ତ୍ରୀ ଅନୁଦାନ ପ୍ରଦାନ କରିବେ ବୋଲି ଜଣାଯାଇଛି । ରାଜ୍ୟ କ୍ୟାବିନେଟରେ ଶନିବାର ଏହି ଯୋଜନା ଅନୁମୋଦନ ଲାଭକରିଛି । ଗୁରୁତ୍ୱପୂର୍ଣ୍ଣ ‘କାଳିଆ’ ଯୋଜନାକୁ ସରକାର ଅଧ୍ୟାଦେଶ ବଳରେ କାର୍ଯ୍ୟକାରୀ କରିବାକୁ ଯାଉଛନ୍ତି । ଓଡ଼ିଶା ମୁଖ୍ୟତଃ କୃଷିଭିତ୍ତିକ ଅର୍ଥନୀତି ହୋଇଥିବାରୁ କୃଷକମାନଙ୍କର କଲ୍ୟାଣ ଉପରେ ରାଜ୍ୟ ସରକାର ସର୍ବଦା ଗୁରୁତ୍ୱ ଦେଇଆସୁଛନ୍ତି । କାଳିଆ ଯୋଜନା ମାଧ୍ୟମରେ ୩ ବର୍ଷ ପାଇଁ ୧୦ ହଜାର ୧୮୦ କୋଟି ଟଙ୍କା ଖର୍ଚ୍ଚ କରିବା ପାଇଁ ରାଜ୍ୟ ସରକାର ଯୋଜନା ପ୍ରସ୍ତୁତ କରିଛନ୍ତି । ଏହାଦ୍ୱାରା ୫ଟି ଗଠନ ମୂଳକ ପଦକ୍ଷେପ ମାଧ୍ୟମରେ କୃଷିର ଅଭିବୃଦ୍ଧି ଓ ସାମଗ୍ରିକ ଉନ୍ନତି ହୋଇପାରିବ । ଏହି ଯୋଜନା ବାବଦକୁ ଚଳିତ ବର୍ଷରେ ୧୭୩୩ କୋଟି ଟଙ୍କା ଆବଶ୍ୟକ ରହିଛି । ଏଥିପାଇଁ ୨୦୧୮-୧୯ ବାର୍ଷିକ ବଜେଟ ପାଇଁ ଅପେକ୍ଷା କରିହେବ ନାହିଁ ।

୨୦୧୮-୧୯ ରେ କୃଷକ କଲ୍ୟାଣ ଯୋଜନା ଅଧିନରେ ୨୫୦ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି । ବିଭିନ୍ନ ଯୋଜନା ଗୁଡ଼ିକରେ ସଞ୍ଚୟ ଅର୍ଥ ଆବଶ୍ୟକତା ପୂରଣ ପାଇଁ ଏହା ପର୍ଯ୍ୟାପ୍ତ ନୁହେଁ । ତେଣୁ ଏହି ଆକସ୍ମିକ ଖର୍ଚ୍ଚ ଭରଣା ନିମିତ୍ତ ଆକସ୍ମିକ ପାଣ୍ଠିରୁ ପ୍ରାୟ ୧୦୦୦ କୋଟି ଟଙ୍କା ଅଗ୍ରୀମ ମଞ୍ଜୁରୀ ଆବଶ୍ୟକ । ସରକାରୀ ବ୍ୟୟ ଆବଶ୍ୟକତାକୁ ଭରଣା କରିବା ପାଇଁ ସାମୟିକ ଭାବେ ଆକସ୍ମିକ ପାଣ୍ଠିର ପରିମାଣ ୪୦୦ କୋଟି ଟଙ୍କାରୁ ୧୬୦୦ କୋଟି ଟଙ୍କାକୁ ବୃଦ୍ଧି କରାଯିବା ଆବଶ୍ୟକ । ବର୍ତ୍ତମାନ ବିଧାନସଭା ଚାଲୁନଥିବାରୁ ଅର୍ଥର ଜରୁରୀ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଅଧ୍ୟାଦେଶ ବଳରେ ଆକସ୍ମିକ ପାଣ୍ଠିର କର୍ପସ ବୃଦ୍ଧି କରାଯିବ । ଓଡ଼ିଶା କୃଷକ ଉତ୍ପାଦକ ଗୋଷ୍ଠୀ ଯୋଜନା ମାଧ୍ୟମରେ କୃଷି ଓ ଆନୁଷଙ୍ଗିକ ବିଭାଗରେ ଥିବା କୃଷକ ଗୋଷ୍ଠୀମାନଙ୍କୁ ପଞ୍ଜିକୃତ କରି ସେମାନଙ୍କୁ କୃଷି ସମ୍ବନ୍ଧୀୟ ସମସ୍ତ ସାହାଯ୍ୟ ସହଯୋଗ କରାଯିବ । ଏଥିପାଇଁ ଆବଶ୍ୟକ ଅର୍ଥ ବିଭାଗ ଗୁଡ଼ିକରେ ପ୍ରଚଳିତ ଯୋଜନା ଗୁଡ଼ିକରୁ ବ୍ୟବହାର କରାଯିବ । ଏହାସହ ବାର୍ଷିକ ପ୍ରାୟ ୧୦୦ କୋଟି ଟଙ୍କାର ଏକ କର୍ପସ ପାଣ୍ଠି କୃଷି ଓ କୃଷକ ସଶକ୍ତିକରଣ ବିଭାଗରେ ପ୍ରତିଷ୍ଠା କରି ଉତ୍ପାଦକ ଗୋଷ୍ଠୀ ଉନ୍ନୟନ ଅନୁଷ୍ଠାନ ଏବଂ ଯୋଜନା ପରିଚାଳନା ଅନୁଷ୍ଠାନଗୁଡ଼ିକୁ ଯୋଗାଇ ଦିଆଯିବ । ଯାହାକି ଏସ୍ଏଫ୍ଏସି ଦ୍ୱାରା ପ୍ରଦତ୍ତ ନିୟମ ଭିତ୍ତିରେ ବ୍ୟୟ କରାଯିବ । ଏହି ନୀତି ରାଜ୍ୟର ଚାଷୀମାନଙ୍କ ଆୟ ଓ ଆର୍ଥିକ ଅଭିବୃଦ୍ଧିରେ ସାହାଯ୍ୟ କରିବା ସହ ଗ୍ରାମାଞ୍ଚଳରେ ଅଧିକ ନିଯୁକ୍ତି ସୃଷ୍ଟି କରିବ ବୋଲି କୁହାଯାଉଛି ।