ଆଜିଠୁ ପଞ୍ଚାୟତସ୍ତରରେ ‘କାଳିଆ’ ହିତାଧିକାରୀ ତାଲିକା ଯାଞ୍ଚ କାର୍ଯ୍ୟକ୍ରମ

ଭୁବନେଶ୍ୱର: ଆଜି(ମଙ୍ଗଳବାର)ଠୁ ପଞ୍ଚାୟତସ୍ତରରେ ‘କାଳିଆ’ ହିତାଧିକାରୀ ତାଲିକା ଯାଞ୍ଚ କାର‌୍ୟ୍ୟକ୍ରମ । ୧୪ ଅଗଷ୍ଟ ଯାଏଁ  ଏହି ଯାଞ୍ଚ କାର‌୍ୟ୍ୟକ୍ରମ ଚାଲିବ । ‘କାଳିଆ’ ରାଶି ପାଇଥିବା କୌଣସି ଚାଷୀ ନିଜକୁ ଅଯୋଗ୍ୟ ଭାବିଲେ ନିଜ ନାମକୁ ବାଦ ଦେବା ପାଇଁ ଦରଖାସ୍ତ ମାଧ୍ୟମରେ ଆବେଦନ କରିପାରିବେ । ଏଥିପାଇଁ ଦରଖାସ୍ତ ଫର୍ମ www.kalia.co.inରେ ଉପଲବ୍ଧ ହେବ ।

କାଳିଆ ଯୋଜନାରେ ସହାୟତା ରାଶି ପାଇଥିବା ସମସ୍ତ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଏବଂ ଭୂମିହୀନ କୃଷି ଶ୍ରମିକଙ୍କ ଏକ ତାଲିକା ପଞ୍ଚାୟତ କାର୍ଯ୍ୟାଳୟ ଓ ପ୍ରାଥମିକ ସମବାୟ ସମିତି କାର୍ଯ୍ୟାଳୟରେ ସର୍ବସାଧାରଣଙ୍କ ଅବଗତି ନିମନ୍ତେ ପ୍ରଦର୍ଶିତ କରାଯାଉଛି । ଏହି ତାଲିକାରେ ଥିବା କୌଣସି ହିତାଧିକାରୀ ଅଯୋଗ୍ୟ ବୋଲି ଯଦି କେହି ଅନୁଭବ କରନ୍ତି ତେବେ ସେମାନଙ୍କ ତଥ୍ୟ ପଞ୍ଚାୟତ ସ୍ତରୀୟ ନୋଡାଲ ଅଧିକାରୀଙ୍କୁ ଦରଖାସ୍ତ ଆକାରରେ ଜଣାଇ ପାରିବେ । ଏଥିରେ ଦରଖାସ୍ତକାରୀଙ୍କ ସମସ୍ତ ତଥ୍ୟ ଗୋପନ ରଖାଯିବ ।

ଏହି ଅବସରରେ ଯେଉଁମାନେ ଯୋଗ୍ୟ ଚାଷୀ ସେମାନଙ୍କ ଠାରୁ ପଞ୍ଚାୟତସ୍ତରୀୟ ଅଧିକାରୀଙ୍କ ଦ୍ବାରା ନୂତନ ଦରଖାସ୍ତ ଫର୍ମ ଗ୍ରହଣ କରାଯିବ । ଏହାସହ ଯୋଗ୍ୟ ଚାଷୀମାନେ ଅନଲାଇନ kalia.co.in ରେ ମଧ୍ୟ ନିଜର ଦରଖାସ୍ତ କରିପାରିବେ ।