କଳାହାଣ୍ଡି ଜିଲ୍ଲାର ୫ଟି ଅଙ୍ଗନବାଡ଼ି କେନ୍ଦ୍ରକୁ ମିଳିଲା ଆଇଏସ୍‌ଓ ପ୍ରମାଣନ

ଓଡ଼ିଶାରେ ଅଙ୍ଗନବାଡ଼ି ସେବା ପ୍ରଦାନରେ ନୂତନ ମାନକ ସ୍ଥାପନ

ଭୁବନେଶ୍ୱର : ଉଚ୍ଚ ମାନର ସମନ୍ୱିତ ଅଙ୍ଗନବାଡ଼ି ସେବା ପ୍ରଦାନକୁ ସୁନିଶ୍ଚିତ କରିବା ଏବଂ ଅଙ୍ଗନବାଡ଼ିର ଭିତ୍ତିଭୂମି ନିର୍ମାଣରେ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ କଳାହାଣ୍ଡି ଜିଲ୍ଲାର ଲାଞ୍ଜିଗଡ଼ ବ୍ଲକ୍‌ର ୫ଟି ଅଙ୍ଗନବାଡ଼ି କେନ୍ଦ୍ରକୁ ଆଇଏସ୍‌ଓ ୯୦୦୧/୨୦୧୫ ପ୍ରମାଣନ ମିଳିଛି । ଆଦର୍ଶ ଅଙ୍ଗନବାଡ଼ି ଭାବେ ପରିଗଣିତ ୩ଟି ନନ୍ଦଘର ଯଥାକ୍ରମେ କେନ୍ଦୁବାଡ଼ି, କଂସାରି ଏବଂ ବସନ୍ତପଡ଼ା ଏବଂ ୨ଟି ଅଙ୍ଗନବାଡ଼ି ଯୋଡ଼ାବନ୍ଧ ଏବଂ ଲାଞ୍ଜିଗଡ଼ ରୋଡ୍‌-୨କୁ ଏହି ମର୍ଯ୍ୟାଦାପୂର୍ଣ୍ଣ ପ୍ରମାଣନ ମିଳିଛି ।

ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକର ଆଧୁନିକୀକରଣ, ପ୍ରାକ୍‌-ବିଦ୍ୟାଳୟ ଶିକ୍ଷା ପ୍ରଦାନରେ ଗୁଣାତ୍ମକ ଅଭିବୃଦ୍ଧି, ଦ୍ୱାରଦେଶରେ ଉନ୍ନତ ମାତୃଓ ଶିଶୁ ସ୍ୱାସ୍ଥ୍ୟସେବା ପ୍ରଦାନ, ଉନ୍ନତ ପୁଷ୍ଟିସାଧନ, ମହିଳାମାନଙ୍କ ପାଇଁ ନିରନ୍ତର ଜୀବିକା ସୁରକ୍ଷା, ଶିଶୁମାନଙ୍କ ଟୀକାକରଣ, ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା ଆଦି ବିଭିନ୍ନ ସେବା ପ୍ରଦାନରେ ଉତ୍କର୍ଷ ପ୍ରଦର୍ଶନକୁ ଆଧାର କରି ଏହି ପ୍ରମାଣନ ଦିଆଯାଇଛି । କଳାହାଣ୍ଡି ଜିଲ୍ଲା ପ୍ରଶାସନ ଏବଂ ବେଦାନ୍ତର ସହଭାଗିତାର ମହିଳା ଓ ଶିଶୁ ବିକାଶ ବିଭାଗ ପ୍ରଚେଷ୍ଟାରେ ଏହି ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକୁ ଆଦର୍ଶ ଏବଂ ଉନ୍ନତ ଅଙ୍ଗନବାଡ଼ିରେ ପରିଣତ କରାଯାଇପାରିଛି । ଆଗାମୀ ଦିନରେ ମଧ୍ୟ ସାରା ରାଜ୍ୟର ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକ ପାଇଁ ଏହି ଆଇଏସ୍‌ଓ ସାର୍ଟିଫିକେସନ୍‌ ପାଇବା ନିମନ୍ତେ ବିଭାଗ ତରଫରୁ ଉଦ୍ୟମ ଜାରି ରହିଛି ।

ସମନ୍ୱିତ ଶିଶୁ ବିକାଶ ଯୋଜନାରେ ୬ ବର୍ଷରୁ କମ୍‌ ବୟସର ଶିଶୁ, ଗର୍ଭବତୀ ଓ ପ୍ରସୂତୀ ମହିଳାମାନଙ୍କ ଉନ୍ନତ ପୁଷ୍ଟିସାଧନ ଏବଂ ଶିଶୁମାନଙ୍କ ଶାରୀରିକ ଓ ମାନସିକ ବିକାଶ କ୍ଷେତ୍ରରେ ଅଙ୍ଗନବାଡ଼ି ସେବାର ଭୂମିକା ଗୁରୁତ୍ୱପୂର୍ଣ୍ଣ । ଶିଶୁମାନଙ୍କ ପ୍ରଥମ ୩ ବର୍ଷରେ ମସ୍ତିଷ୍କର ବିକାଶ ପାଇଁ ଏକ ଅନୁକୂଳ ପରିବେଶ ନିର୍ମାଣରେ ପିତାମାତା, ଯନି ପ୍ରଦାନକାରୀ ଏବଂ ଗୋଷ୍ଠୀର ବିଶେଷ ଦାୟିତ୍ୱ ରହିଛି । ଆଇଏସ୍‌ଓ ସାର୍ଟିଫିକେସନ୍‌ ଗୋଷ୍ଠୀମାନଙ୍କୁ ଅଙ୍ଗନବାଡ଼ି ସଫଳତା ପାଇଁ ବିଶେଷ ଗୌରବାନ୍ୱିତ କରେ ଏବଂ ଅଙ୍ଗନବାଡ଼ିଗୁଡ଼ିକର ଉନ୍ନତିକରଣ ନିମନ୍ତେ ବିଶେଷ ଉତ୍ସାହିତ କରିଥାଏ ।

ଖାଦ୍ୟ ସୁରକ୍ଷା, ପ୍ରାକ୍‌ ଶିକ୍ଷା, ଟୀକାକରଣ, ମମତା ଦିବସ ପାଳନ, ବାକ୍ସ/ରେଜିଷ୍ଟରରେ ମତାମତ ସଂଗ୍ରହ, ସାଇନେଜ୍‌, ଅଗ୍ନି ନିର୍ବାପକ ଯନ୍ତ୍ର ସଂସ୍ଥାପନ, ଆଶୁ ଚିକିତ୍ସା, ସ୍ୱଚ୍ଛ ଶୌଚାଳୟ, ପୁଅଝିଅଙ୍କ ପାଇଁ ସ୍ୱତନ୍ତ୍ର ଶୌଚାଳୟ, ବିଶୁଦ୍ଧ ପାନୀୟ ଜଳ, ର୍ୟାମ୍ପ ନିର୍ମାଣ, ଆଶା, ଅଙ୍ଗନବାଡ଼ି କର୍ମୀ ଏବଂ ଅଙ୍ଗନବାଡ଼ି ସହାୟିକାମାନଙ୍କ ନିମନ୍ତେ ପ୍ରତ୍ୟହ କାର୍ଯ୍ୟସୂଚୀ କାନ୍ଥରେ ପ୍ରଦର୍ଶନ, ଆସବାବପତ୍ର ତାଲିକାଭୁକ୍ତ, ସୁରକ୍ଷା ଅଭ୍ୟାସ ଆଦି ସୁବ୍ୟବସ୍ଥିତ ପରିଚାଳନାକୁ ଆଧାର କରି ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକୁ ଆଇଏସ୍‌ଓ ମାନକ ପାଇଁ ଚୟନ କରାଯାଇଥାଏ ।

ବିଭାଗୀୟ ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ, ଜିଲ୍ଲା ପ୍ରଶାସନ ଏବଂ କଳାହାଣ୍ଡି ଜିଲ୍ଲାପାଳ ଡ. ଗାଭାଲି ପରାଗ ହର୍ଷଦ, ବେଦାନ୍ତର ସିଏସ୍‌ଆର୍‌, କେପିଏମ୍‌ଜିର ବୈଷୟିକ ପରାମର୍ଶଦାତାଙ୍କୁ ଏହି ଉଦ୍ୟମ ପାଇଁ ଅଭିନନ୍ଦନ ଜଣାଇଛନ୍ତି । ଏଥି ସହିତ ଡିଏସ୍‌ଡବ୍ଲୁ୍ୟଓ, ବିଡ଼ିଓ, ସିଡିପିଓ ମଧ୍ୟ ଆଇଏସ୍‌ଓ କାର୍ଯ୍ୟାନ୍ୱୟନ ନିମନ୍ତେ ନିର୍ଦ୍ଧାରିତ ସମୟ ମଧ୍ୟରେ ସମସ୍ତ ମାନକ ଅନୁପାଳନ ପାଇଁ ତତ୍ପରତା ପ୍ରକାଶ କରିଥିବାରୁ ସେମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି ।