ଦର୍ଶକଙ୍କ ପାଇଁ ଖୋଲିଛି ଓଡ଼ିଶା ହସ୍ତଶିଳ୍ପ ସଂଗ୍ରହାଳୟ-କଳାଭୂମି

ଭୁବନେଶ୍ୱର :  ଓଡ଼ିଶା ହସ୍ତଶିଳ୍ପ ସଂଗ୍ରହାଳୟ-କଳାଭୂମି ଜାନୁଆରୀ ୨୧ ତାରିଖଠାରୁ ଦର୍ଶକମାନଙ୍କ ନିମନ୍ତେ ଖୋଲିଛି । ସରକାରଙ୍କ ଅନୁମୋଦିତ ନିର୍ଦ୍ଦେଶାବଳି ପାଳନ କରି ସଂଗ୍ରହାଳୟକୁ ଖୋଲାଯାଇଛି ଯାହାକି କୋଭିଡ୍‌-୧୯ ମହାମାରୀ ଯୋଗୁଁ ୨୦୨୦ ମାର୍ଚ୍ଚ ୨୨ ତାରିଖରୁ ରାଜ୍ୟ ତଥା ଦେଶ ଲକ୍‌ଡାଉନ୍‌ ସମୟରେ ଅସ୍ଥାୟୀ ଭାବେ ବନ୍ଦ କରାଯାଇଥିଲା ।
ସଂଗ୍ରହାଳୟ ଖୋଲିବା ପରେ ଦର୍ଶକଙ୍କ ସୁରକ୍ଷା ପ୍ରତି ଧ୍ୟାନ ଦେବା ପାଇଁ ସଂଗ୍ରହାଳୟ କର୍ମଚାରୀ ଏବଂ କର୍ତ୍ତୃପକ୍ଷ ପ୍ରସ୍ତୁତ ରହିଛନ୍ତି । କ୍ୟାମ୍ପସରେ ଥର୍ମାଲ ସ୍କ୍ରିନିଂ, ପର୍ଯ୍ୟାପ୍ତ ହ୍ୟାଣ୍ଡ ସାନିଟାଇଜର ଉପଲବ୍ଧ କରାଯାଇଛି । ସାମାଜିକ ଦୂରତ୍ୱକୁ ସୁନିଶ୍ଚିତ କରିବା ପାଇଁ ସଂଗ୍ରହାଳୟ ପରିସରକୁ ୬ ଫୁଟ ବ୍ୟବଧାନରେ ଚିହ୍ନିତ କରାଯାଇଛି । ଅଧିକନ୍ତୁ, ସଂଗ୍ରହାଳୟ ସମସ୍ତ କର୍ମଚାରୀ ଓ କର୍ତ୍ତୃପକ୍ଷଙ୍କ ସହିତ ସଂକ୍ଷିପ୍ତ ବୈଠକ କରାଯାଇ ଭ୍ରମଣକାରୀଙ୍କ ସୁରକ୍ଷା ବ୍ୟବସ୍ଥା କିପରି ସୁନିଶ୍ଚିତ କରାଯାଇପାରିବ ତାହାର ସବିଶେଷ ଆଲୋଚନା କରାଯାଇଛି । ସଂଗ୍ରହାଳୟଟି ମାର୍ଚ୍ଚ ୨୦୧୮ ମସିହାରେ ଉଦ୍‌ଘାଟନ କରାଯାଇଥିଲା । ଏଠାରେ ୮ଟି କକ୍ଷ, ମୁକ୍ତାକାଶ ରଙ୍ଗମଞ୍ଚ, ପିଲାମାନଙ୍କ ମନୋରଞ୍ଜନ ନିମନ୍ତେ ଖେଳପଡ଼ିଆ, କର୍ମଶାଳା, ସ୍ମରଣିକା ବିକ୍ରୟ କେନ୍ଦ୍ର, କ୍ୟାଣ୍ଟିନ ଓ କାଫେର ବ୍ୟବସ୍ଥା କରାଯାଇଛି ।
ସଂଗ୍ରହାଳୟଟିର ବିସ୍ତୃତତା ଏବଂ ଚିତ୍ତାକର୍ଷକ କଳାକୃତି ତଥା ଏହାର ସ୍ଥାପତ୍ୟ ପାଇଁ ଏହା ବେଶ୍‌ ଜଣାଶୁଣା ଓ ପର୍ଯ୍ୟଟକଙ୍କ ଦ୍ୱାରା ଆଦୃତ ହୋଇପାରିଛି । ଓଡ଼ିଶା ହସ୍ତଶିଳ୍ପ ସଂଗ୍ରହାଳୟ-କଳାଭୂମିର ଟିମ୍‌ ଦର୍ଶକଙ୍କୁ ସଂଗ୍ରହାଳୟ ପରିସରକୁ ପୁନର୍ବାର ଫେରାଇ ଆଣିବାକୁ ସର୍ବଦା ପ୍ରୟାସ କରୁଛି । ସଂଗ୍ରହାଳୟ ସମ୍ବନ୍ଧିତ ସବିଶେଷ ସୂଚନା ଏହାର େୱବ୍‌ସାଇଟ୍‌ରେ ଉପଲବ୍ଧ ହେଉଛି ।