ରିଲିଜ ହେଲା କାଜୋଲଙ୍କ ସର୍ଟ ଫିଲ୍ମ ‘ଦେବୀ’

ମୁମ୍ବାଇ: ନିକଟରେ ରିଲିଜ ହୋଇଥିଲା ଲୋକପ୍ରିୟ ଅଭିନେତ୍ରୀ କାଜୋଲଙ୍କ ଅଭିନୀତ ଫିଲ୍ମ ‘ତାନାଜୀ’ । ଦୀର୍ଘ ସମୟ ପରେ ସେ ଏହି ଫିଲ୍ମରେ ସ୍ବାମୀ ତଥା ସୁପରଷ୍ଟାର ଅଜୟ ଦେବଗନଙ୍କ ସହ କାମ କରିଥିଲେ। ବକ୍ସ ଅଫିସରେ ଶାନଦାର ପ୍ରଦର୍ଶନ କରିଥିଲା ଏହି ଫିଲ୍ମ । ଆଉ ଏବେ କାଜୋଲ ଏକ ସର୍ଟ ଫିଲ୍ମ ‘ଦେବୀ’ ନେଇ ପରଦାକୁ ଫେରିଛନ୍ତି। ଯାହା ଦେଖି ଦର୍ଶକଙ୍କ ଆଖିରେ ଲୁହ ଆସିଯିବ। ମହିଳାଙ୍କ ଦୁଃଖଭରା କାହାଣୀକୁ ନେଇ ଆଧାରିତ ଏହି ଫିଲ୍ମ। ଅନ୍ତରାଷ୍ଟ୍ରୀୟ ମହିଳା ଦିବସ ପୂର୍ବରୁ ୟୁଟ୍ୟୁବରେ ରିଲିଜ ହୋଇଥିବା ‘ଦେବୀ’ର ନିର୍ଦ୍ଦେଶନା ଦାୟିତ୍ବ ତୁଲାଇଛନ୍ତି ପ୍ରିୟଙ୍କା ବାନାର୍ଜୀ।

ଏହି ସର୍ଟ ଫିଲ୍ମରେ କାଜୋଲଙ୍କ ବ୍ୟତୀତ ନେହା ଧୂପିୟା, ସୃତି ହସନ, ଶିବାନୀ ରଘୁବଂଶୀ, ନୀନା କୁଲକର୍ଣ୍ଣି, ସନ୍ଧ୍ୟା ମହାନ୍ନେ, ରମା ଯୋଶୀ, ମୁକ୍ତା ବାର୍ଭେ, ରଶ୍ବିଭେନୀ ଦୟାମା ମଧ୍ୟ ଅଭିନୟ କରିଛନ୍ତି । ୯ ଜଣ ମହିଳାଙ୍କ କାହାଣୀ ଦେଖିବାକୁ ମିଳୁଛି। ସମସ୍ତେ ଭିନ୍ନ ଭିନ୍ନ ପରିସ୍ଥିତିରୁ ବାହାରି ଏମିତି ଏକ ସ୍ଥାନ ପହଂଚିଛନ୍ତି । ଯେଉଁଠାରେ କେହି ମଧ୍ୟ ତାଙ୍କ ନିଜର ନୁହେଁ । ଫିଲ୍ମର ମୁଖ୍ୟ କଥା ହେଲା ଯେ ସବୁ ମହିଳା ପୁରୁଷପ୍ରଧାନ ସମାଜରେ ଦୁଷ୍କର୍ମର ଶିକାର ହୋଇଛନ୍ତି।

୧୩ ମିନିଟରେ ଏହି ୯ ମହିଳାଙ୍କ କଷ୍ଟଭରା କାହାଣୀ ଶୁଣିବାକୁ ମିଳୁଛି । ଯେଉଁମାନେ ଆଜି ପର‌୍ୟ୍ୟନ୍ତ ନିଜ କଷ୍ଟ ଭୁଲି ପାରିନାହାଁନ୍ତି । ଭାରତରେ ସବୁଦିନ ଘଟିଥିବା ଦୁଷ୍କର୍ମକୁ ନେଇ ଆଧାରିତ ଏହି ସର୍ଟ ଫିଲ୍ମ । ୩ ମାସର ଛୁଆଠୁ ନେଇ ୬୦ ବର୍ଷର ମହିଳାଙ୍କ ସହ ଆଜି ଦେଶରେ ଦୁଷ୍କର୍ମ ହେଉଛି । ଯାହା ଫିଲ୍ମରେ ପର‌୍ୟ୍ୟବେଶିତ କରାଯାଇଛି । ଆପଣ ମଧ୍ୟ ଦେଖନ୍ତୁ ଏହି ଲୋମହର୍ଷଣକାରୀ ଭିଡିଓ…