ବିଜେପିରେ ସାମିଲ ହେଲେ ସିନ୍ଧିଆ

ନୂଆଦିଲ୍ଲୀ: ସମସ୍ତ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଶେଷରେ ପଦ୍ମ ଧରିଛନ୍ତି ମଧ୍ୟପ୍ରଦେଶ ରାଜପରିବାରର ମହାରାଜ ଜ୍ୟୋତିରାଦିତ୍ୟ ସିନ୍ଧିଆ । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଉପସ୍ଥିତିରେ ସିନ୍ଧିଆ ବିଜେପିରେ ସାମିଲ ହୋଇଛନ୍ତି । ଏହି ମିଶ୍ରଣ ପର୍ବରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, ବିଜେପି ନେତା ଅରୁଣ ସିଂହ ଓ ମଧ୍ୟପ୍ରଦେଶ ବିଜେପି ଅଧ୍ୟକ୍ଷ ମଧ୍ୟ ଉପସ୍ଥିତ ଥିଲେ ।

ବିଜେପିରେ ଯୋଗଦେବା ପରେ ଜ୍ୟୋତିରାଦିତ୍ୟ ସିନ୍ଧିଆ ପ୍ରଧାନମନ୍ତ୍ରୀ ମୋଦିଙ୍କ ସମେତ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଓ ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଧନ୍ୟବାଦ ଜଣାଇଛନ୍ତି । ବିଜେପି ପରିବାରକୁ ନିମନ୍ତ୍ରିତ କରି ଏଠାରେ ସ୍ଥାନ ଦେଇଥିବାରୁ ଆଭାର ବ୍ୟକ୍ତ କରିଛନ୍ତି ସିନ୍ଧିଆ । ସେ କହିଛନ୍ତି ଯେ ତାଙ୍କ ଜୀବନରେ ୨ଟି ତାରିଖ ସବୁବେଳେ ମହତ୍ବପୂର୍ଣ୍ଣ ହୋଇ ରହିବ । ବ୍ୟକ୍ତିର ଜୀବନରେ ଆସୁଥିବା ମୋଡ ଜୀବନକୁ ବଦଳାଇ ଦିଏ । ୩୦ ସେପ୍ଟେମ୍ବର ୨୦୦୧ରେ ମୁଁ ମୋ ପୂଜ୍ୟ ବାପାଙ୍କୁ ହରାଇଥିଲି । ଏହାସହ ଦ୍ବିତୀୟ ତାରିଖ ୧୦ ମାର୍ଚ୍ଚ ୨୦୨୦ରେ ତାଙ୍କ ୭୫ତମ ଜୟନ୍ତୀ ଅବସରରେ କଂଗ୍ରେସ ଛାଡିଲି । ଜୀବନରେ ନୂଆ ପରିକଳ୍ପନାକୁ ସାମ୍ନା କରି ଏହି ନିଷ୍ପତି ନେଇଛି । ଲକ୍ଷ୍ୟ ଜନସେବା ହେବା ସହ ରାଜନୀତି କେବଳ ଏହି ଲକ୍ଷ୍ୟ ପୂରା କରିବାର ମାଧ୍ୟମ ହେବା ଦରକାର ବୋଲି ସେ କହିଛନ୍ତି ।

ବିଜେପିରେ ଯୋଗଦେବା ପରେ ନିଜ ବକ୍ତବ୍ୟରେ ସିନ୍ଧିଆ ତାଙ୍କ ବାପାଙ୍କୁ ସ୍ମରଣ କରିଥିଲେ । ବାପା କଂଗ୍ରେସରେ ରହି ମଧ୍ୟପ୍ରଦେଶର ସେବା କରିବାରେ ପ୍ରୟାସ କରିଛନ୍ତି । କଂଗ୍ରେସ ଛାଡିବା ନେଇ ମନ ବ୍ୟଥିତ ଅଛି । ଜନ ସେବାର ଲକ୍ଷ୍ୟ ପୂରଣ କଂଗ୍ରେସ ମାଧ୍ୟମରେ ହୋଇପାରୁନାହିଁ ।

ସିନ୍ଧିଆ କହିଛନ୍ତି ଯେ କଂଗ୍ରେସରେ ରହି ଅନେକ ସ୍ବପ୍ନ ଥିଲା । ହେଲେ ସେସବୁ ସ୍ବପ୍ନ ଭାଙ୍ଗିଯାଇଛି । ଭାରତକୁ ଯଦି ପ୍ରଗତି ଦିଗରେ ନେବାକୁ ହେବ ତାହାଲେ ଜନସେବା ଲକ୍ଷରେ ଆଗକୁ ବଢିବାକୁ ପଡିବ । ଏହା ସହ ସେ ବିଜେପିର ଜନାଦେଶକୁ ପ୍ରଶଂସା କରିଛନ୍ତି । କେନ୍ଦ୍ର ସରକାରଙ୍କ ଯୋଜନାକୁ ପ୍ରଶଂସା କରିବା ସହ ଭାରତର ଭବିଶ୍ୟତ ସମ୍ପୂର୍ଣ୍ଣ ରୂପରେ ମୋଦିଙ୍କ ହାତରେ ସୁରକ୍ଷିତ ଥିବା ସିନ୍ଧିଆ ପ୍ରତିକ୍ରିୟା ପ୍ରତିକ୍ରିୟା ଦେଇଛନ୍ତି ।