କଂଗ୍ରେସରୁ ଇସ୍ତଫା ଦେଲେ ସିନ୍ଧିଆ

ନୂଆଦିଲ୍ଲୀ: ପରିଶେଷରେ ବରିଷ୍ଠ କଂଗ୍ରେସ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ ଆଜି ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ସେ ଦଳର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ନିକଟକୁ ଇସ୍ତଫା ପତ୍ର ପଠାଇଥିବା ଜଣାପଡିଛି । ତେବେ ସେ କଂଗ୍ରେସ ଛାଡି ବିଜେପିରେ ସାମିଲ ହେବା ନେଇ ସ୍ପଷ୍ଟ ହୋଇଯାଇଛି ।

ସୂଚନାଯୋଗ୍ୟ, ବରିଷ୍ଠ କଂଗ୍ରେସ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ ଆଜି କିଛି ସମୟ ଆଗରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଗୃହମନ୍ତ୍ରୀ ଅମିତ ଶାହଙ୍କୁ ସାକ୍ଷାତ କରିଛନ୍ତି। ସେ ଆଜି କଂଗ୍ରେସ ଛାଡ଼ି ବିଧିବଦ୍ଧଭାବେ ବିଜେପିରେ ଯୋଗ ଦେବେ ବୋଲି ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି। ଆହୁରି ମଧ୍ୟ କୁହାଯାଉଛି ଜ୍ୟୋତିରାଦିତ୍ୟ ସିନ୍ଧିଆ ବିଜେପି ପ୍ରାର୍ଥୀ ଭାବେ ରାଜ୍ୟସଭାକୁ ଯିବେ। ଏହାଛଡ଼ା ମୋଦୀ ସରକାରରେ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ମନ୍ତ୍ରୀ ପଦ ଦିଆଯିବ ।

ସୂଚନାଯୋଗ୍ୟ ଗତ ବର୍ଷ ମଧ୍ୟପ୍ରଦେଶରେ ବିଧାନସଭା ନିର୍ବାଚନ ପରେ କଂଗ୍ରେସ କ୍ଷମତାକୁ ଆସିବା ପରେ ଜ୍ୟୋତିରାଦିତ୍ୟ ସିନ୍ଧିଆ ମୁଖ୍ୟମନ୍ତ୍ରୀ ହେବେ ବୋଲି ଆଶା ରଖିଥିଲେ ହେଲେ, ତାହା ସତ ହୋଇପାରିଲା ନାହିଁ । ଏଆଇସିସି ଅନୁମୋଦନ କ୍ରମେ ମଧ୍ୟପ୍ରଦେଶରେ କମଲନାଥଙ୍କୁ ମୁଖ୍ୟମନ୍ତ୍ରୀ କରାଯାଇଥିଲା । ଏହାକୁ ନେଇ ସେ ଅସନ୍ତୋଷ ଜାହିର କରିଥିଲେ। ଏଣେ ଜ୍ୟୋତିରାଦିତ୍ୟ ସିନ୍ଧିଆ ମଝିରେ ମଝିରେ ଟୁଇଟ୍ କରି କଂଗ୍ରେସ ଛାଡ଼ିବାର ବି ସଙ୍କେତ ଦେଇଛନ୍ତି। ଏଣେ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ସମର୍ଥକ ବିଧାୟକଙ୍କ ସଂଖ୍ୟା ୨୮କୁ ବଢିଥିବା କୁହାଯାଉଛି।

ସୋମବାର ମଧ୍ୟରାତ୍ରରେ ମୁଖ୍ୟମନ୍ତ୍ରୀ କମଲନାଥଙ୍କ ବାସଭବନରେ ଏକ ବୈଠକ ପରେ କ୍ୟାବିନେଟର ସମସ୍ତ ମନ୍ତ୍ରୀ ଇସ୍ତଫା ଦେଇଛନ୍ତି। ଫଳରେ ସଙ୍କଟ ଭିତରକୁ ଠେଲି ହୋଇ ଯାଇଛି ମଧ୍ୟପ୍ରଦେଶର କମଲନାଥ ସରକାର। କାରଣ ବରିଷ୍ଠ କଂଗ୍ରେସ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ସମର୍ଥନରେ ଥିବା ୬ଜଣ ମନ୍ତ୍ରୀଙ୍କ ସମେତ ୧୭ ଜଣ ବିଧାୟକ ଅଛନ୍ତି ।  ଆଜି ୧୯ଜଣ କଂଗ୍ରେସ ବିଧାୟକ ସେମାନଙ୍କର  ଇସ୍ତଫାପତ୍ର  ମଧ୍ୟପ୍ରଦେଶ ବିଧାନସଭାର ରାଜ୍ୟପାଳଙ୍କ ନିକଟକୁ ପଠାଇଛନ୍ତି।