ମହିଳାଙ୍କୁ ହତ୍ୟା, ଅଭିଯୁକ୍ତ ଯୁବକକୁ ଆଜୀବନ କାରାଦଣ୍ଡାଦେଶ

ଡାହାଣୀ ସନ୍ଦେହରେ ହୋଇଥିଲା ହତ୍ୟାକାଣ୍ଡ

ବାରିପଦା : ବଡ଼ସାହି ଥାନା ଅନ୍ତର୍ଗତ ନରଣପୁର ଗ୍ରାମର ବାଗାନସାହିରେ ୨୦୧୭ ଜାନୁୟାରୀ ମାସରେ ଘଟିଥିବା ଏକ ହତ୍ୟାକାଣ୍ଡ ମାମଲାରେ ଆଜି ରାୟ ଶୁଣାଇଛନ୍ତି ଜିଲ୍ଲା ଦୌରାଜଜ୍ ସଞ୍ଜୟ ରଞ୍ଜନ ବହିଦାର। ଦୁଲାରୀ ମାଝୀ(୫୫) ନାମକ ଜଣେ ମହିଳାଙ୍କୁ ହତ୍ୟା ଘଟଣାରେ ଅଭିଯୁକ୍ତ ରୁହ୍ୟା ହାଁସଦା (୪୧)ଓରଫ୍ ମାଝୀକୁ ଆଜୀବନ କାରାଦଣ୍ଡାଦେଶ ରାୟ ଶୁଣାଇଛନ୍ତି ଜିଲ୍ଲା ଦୌରାଜଜ୍। ଏହାସହିତ ଅଭିଯୁକ୍ତକୁ ୧୦ହଜାର ଟଙ୍କା ଜରିମାନା ରାଶି ଜମା କରିବାକୁ ରାୟ ହୋଇଛି। ଜରିମାନା ଅନାଦେୟ ଅତିରିକ୍ତ ୧ ବର୍ଷ ଜେଲ ଦଣ୍ଡ ରାୟ ହୋଇଛି। ନରଣପୁରର ରୁହ୍ୟା ଦୁଲାରୀଙ୍କୁ ଡାହାଣୀ ସନ୍ଦେହରେ ହତ୍ୟା କରିଥିବା ଅଭିଯୋଗ ହୋଇଥିଲା। ଦିନ ଦ୍ବିପ୍ରହରରେ ଘଟିଥିବା ଏହି ହତ୍ୟାକାଣ୍ଡ ସମ୍ପର୍କରେ ଖୋଦ୍ ଅଭିଯୁକ୍ତ ହିଁ ସୂଚନା ଦେଇଥିଲା। କୁରାଢ଼ୀରେ ହାଣି ଦୁଲାରୀଙ୍କୁ ହତ୍ୟା କରାଯାଇଥିବା ପୁଲିସ୍ ପକ୍ଷରୁ ପ୍ରକାଶ। ଗୁଣିଗାରେଡି କରି ତାଙ୍କ ମା’ର ମୃତ୍ୟୁର କାରଣ ପାଲଟିଥିବା ସନ୍ଦେହ କରି ଅଭିଯୁକ୍ତ ରୁହ୍ୟା ଦୁଲାରୀକୁ ହତ୍ୟା କରିଥିବା ଅଭିଯୋଗ ହୋଇଥିଲା।