ଭିକାରୀମୁକ୍ତ ଭୁବନେଶ୍ୱର ଚାହୁଁନାହାନ୍ତି ଅପରାଜିତା : ଯୁବ ଉତ୍କଳ ଫାଉଣ୍ଡେସନର
ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ‘ଅନ୍ନପୂର୍ଣ୍ଣା’ କାର୍ଯ୍ୟକ୍ରମକୁ ବିରୋଧ କରି ଯୁବ ଉତ୍କଳ ଫାଉଣ୍ଡେସନର ବିକ୍ଷୋଭ
ଭୁବନେଶ୍ୱର: ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ‘ଅନ୍ନପୂର୍ଣ୍ଣା’ କାର୍ଯ୍ୟକ୍ରମକୁ ବିରୋଧ କରିଛି ଯୁବ ଉତ୍କଳ ଫାଉଣ୍ଡେସନ। ଏନେଇ ଫାଉଣ୍ଡେସନ ପକ୍ଷରୁ ଭୁବନେଶ୍ୱର ଜୟଦେବ ଭବନ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।
ରାଜଧାନୀର ବାସହରାଙ୍କୁ ମାଗଣାରେ ବଣ୍ଟା ଯାଉଥିବା ଖାଦ୍ୟ ଲାଗି ଏହି ଯୋଜନାରେ ୧ ଟଙ୍କା ଧାର୍ଯ୍ୟ କରାଯାଇଛି । ଫଳରେ ଭୁବନେଶ୍ୱର ମହାନଗର ନିଗମ (ବିଏମସି) ଆଉ ଏହି କାର୍ଯ୍ୟକ୍ରମ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବ ନାହିଁ ।
ଗତ ମଙ୍ଗଳବାର ଦିନ ବିଏମସି ନିଷ୍ପତ୍ତି ଅନୁସାରେ ଭୁବନେଶ୍ୱର ରାସ୍ତା କଡ଼ରେ ରହୁଥିବା ନିରାଶ୍ରୟ ଲୋକଙ୍କୁ କେହି ଖାଦ୍ୟ ଦେଇ ପାରିବେ ନାହିଁ । ଏପରିକି ବିଏମସିର ବିନା ଅନୁମତିରେ ଯଦି କେହି ଖାଦ୍ୟ କିମ୍ବା ଅନ୍ୟ ସାମଗ୍ରୀ ବାଣ୍ଟେ ତେବେ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ନୋଟିସ୍ ଜାରି କରାଯାଇଥିଲା ।
ଏପରି ସ୍ଥଳେ ଅପରାଜିତାଙ୍କ ଏହି ସ୍କିମ୍ ସରକାରଙ୍କ ସ୍ମାର୍ଟ୍ ସିଟି ଭୁବନେଶ୍ୱରକୁ ବାସହରା ଓ ଭିକାରୀ ମୁକ୍ତ ଯୋଜନାକୁ ସଫଳ କରାଇବାକୁ ଚାହୁଁନାହାନ୍ତି ବୋଲି ଫାଉଣ୍ଡେସନ ଦାବି କରିଛି । ତେବେ ଅପରାଜିତା ଯଦି ୧ ଟଙ୍କାରେ ଖାଦ୍ୟ ଦେବେ ତେବେ ବାସହରା ଓ ଭିକାରୀ ମାନେ ଆଉ ସରକାରଙ୍କ ଆଶ୍ରୟ ସ୍ଥଳୀକୁ ଯିବେ ନାହିଁ ବୋଲି ଅଭିଯୋଗ କରିଛି ଫାଉଣ୍ଡେସନ। ଯଦି ସାଂସଦ ପ୍ରକୃତରେ ନିରାଶ୍ରୟଙ୍କ ପ୍ରତି ସମ୍ବେଦନଶୀଳ ତେବେ ସେମାନଙ୍କ ପାଇଁ ନୂତନ ଆଶ୍ରୟ ସ୍ଥଳୀ ନିର୍ମାଣ କରିବା ଉଚିତ୍ ବୋଲି ଫାଉଣ୍ଡେସନ ପକ୍ଷରୁ ମତ ପ୍ରକାଶ କରାଯାଇଛି ।