ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ନବୀନ ଜିନ୍ଦଲ,ରିଲିଫ୍ ପାଣ୍ଠିକୁ ଦେଲେ ୩ କୋଟି

ଭୁବନେଶ୍ୱର : ଫାନି ବାତ୍ୟା କ୍ଷତିଗ୍ରସ୍ତ ଅଞ୍ଚଳରେ ରାଜ୍ୟ ସରକାରଙ୍କ ପକ୍ଷରୁ କରାଯାଉଥିବା ରିଲିଫ୍ ଓ ପୁନରୁଦ୍ଧାର କାର୍ଯ୍ୟରେ ସହାୟତା କରିବା ନିମନ୍ତେ ଜିନ୍ଦଲ ଷ୍ଟିଲ୍ ଏଣ୍ଡ ପାୱାର ଲିଃ (ଜେଏସ୍ପିଏଲ୍) ପକ୍ଷରୁ ଓଡ଼ିଶା ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିକୁ ୩ କୋଟି ଟଙ୍କା ପ୍ରଦାନ କରାଯାଇଛି । ଶନିବାର ରାଜ୍ୟ ସଚିବାଳୟରେ ଜେଏସ୍ପିଏଲ୍ର ଅଧ୍ୟକ୍ଷ ନବୀନ ଜିନ୍ଦଲ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ୩ କୋଟି ଟଙ୍କାର ଚେକ୍ ପ୍ରଦାନ କରିଥିଲେ । ଏହି ସହାୟତା ରାଶି ପ୍ରଦାନ କରିବା ପରେ ଜେଏସ୍ପିଏଲର ଅଧ୍ୟକ୍ଷ ନବୀନ ଜିନ୍ଦଲ କହିଥିଲେ ଯେ, ଏକ ଦାୟୀତ୍ୱବାନ କର୍ପୋରେଟ୍ ଭାବରେ ଜେଏସ୍ପିଏଲ୍ସ ବୁବେଳେ ପ୍ରାକୃତିକ ଦୁର୍ବିପାକ କ୍ଷତିଗ୍ରସ୍ତ ଲୋକମାନଙ୍କୁ ସହାୟତା କରିଆସିଛି । ଫାନି ବାତ୍ୟା ଦ୍ୱାରା କ୍ଷତିଗ୍ରସ୍ତ ଅଞ୍ଚଳର ରିଲିଫ୍ ଓ ପୁନରୁଦ୍ଧାର କାର୍ଯ୍ୟ ନିମନ୍ତେ ଅମେ ଓଡ଼ିଶାର ଜନସାଧାରଣ ତଥା ସରକାରଙ୍କ ସହିତ ରହିଛୁ । ରାଜ୍ୟ ସରକାରଙ୍କ ଦୁର୍ବିପାକ ପରିଚାଳନାକୁ ସେ ପ୍ରଶଂସା କରିବା ସହିତ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କୁ ଧନ୍ୟବାଦ ଦେଇଥିଲେ । ଫାନି ବାତ୍ୟା ପରେ ଜେଏସ୍ପିଏଲ୍ର କର୍ପୋରେଟ୍ ସାମାଜିକ ଦାୟିତ୍ୱ ଅନୁଷ୍ଠାନ ଜେଏସ୍ପିଏଲ ଫାଉଣ୍ଡେସନ ପକ୍ଷରୁ ପୁରୀରେ ଜିଲ୍ଲା ପ୍ରଶାସନର ସମନ୍ୱୟରେ ବାତ୍ୟା କ୍ଷତିଗ୍ରସ୍ତ ଲୋକମାନଙ୍କୁ ଏକ ଲକ୍ଷ ମିଲ୍ (ରନ୍ଧା ଖାଦ୍ୟ) ଯୋଗାଇ ଦିଆଯାଇଥିଲା । ଏହା ବ୍ୟତୀତ, ସୁନ୍ଦରଗଡର ଟେନ୍ସା ଠାରେ ଥିବା ଜେଏସ୍ପିଏଲ୍ ଟିଆର୍ବି ମାଇନ୍ସ ପକ୍ଷରୁ ୫୦୦୦୦ ଲିଟର ପାନୀୟ ଜଳ ଏବଂ ଅନୁଗୁଳ କାରଖାନା ପକ୍ଷରୁ ସରକାରୀ କାର୍ଯ୍ୟାଳୟ ମରାମତି ନିମନ୍ତେ ସିମେଣ୍ଟ ଓ ଅନ୍ୟାନ୍ୟ ନିର୍ମାଣ ସାମଗ୍ରୀ ଯୋଗାଇ ଦିଆଯାଇଥିଲା ।