ଆସନ୍ତାକାଲି ଭୁବନେଶ୍ୱରରେ ରୋଡ୍ ଶୋ’ କରିବେ ଜେ.ପି ନଡ୍ଡା, ହେମାମାଳିନୀ ମଧ୍ୟ ଆସିବେ

ଓଡ଼ିଶା ଦଖଲ ଲକ୍ଷ୍ୟ ନେଇ ଘନଘନ ଗସ୍ତରେ ଆସୁଛନ୍ତି କେନ୍ଦ୍ରୀୟ ନେତୃତ୍ୱ।ଏହିକ୍ରମରେ ଓଡ଼ିଶାରେ ପ୍ରଚାର କରିବେ ବିଜେପି ସାଂସଦ ତଥା ବଲିଉଡ୍ ଅଭିନେତ୍ରୀ ହେମାମାଳିନୀ। ମେ’ ୧୭ ତାରିଖରେ ସେ ଓଡ଼ିଶା ଆସିବେ ଓ ୩ଟି ସ୍ଥାନରେ ପ୍ରଚାର କରିବେ। ହେମାମାଳିନୀ ଉତ୍ତର ଭୁବନେଶ୍ୱର ଓ କଟକ କିଶନ ନଗରରେ ସଭା କରିବେ। ହେମାମାଳିନୀ ଉତ୍ତର ଭୁବନେଶ୍ୱର ଓ କଟକ କିଶନ ନଗରରେ ସଭା କରିବେ।

ପିପିଲିରେ ସେ ରୋଡ୍ ଶୋ’ କରିବେ। ଏନେଇ ବିଜେପି ରାଜ୍ୟ ଉପସଭାପତି ଗୋଲକ ମହାପାତ୍ର ସୂଚନା ଦେଇଛନ୍ତି।

ସେହିପରି ଆସନ୍ତାକାଲି ସକାଳେ ଭୁବନେଶ୍ୱରରେ ରୋଡ୍ ଶୋ’ କରିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା। ମାଉସୀ ମା’ ମନ୍ଦିର ଠାରୁ ଲିଙ୍ଗରାଜ ମନ୍ଦିର ପର୍ଯ୍ୟନ୍ତ ସେ ରୋଡ୍ ଶୋ’ କରିବେ। ପରେ ଅପରାହ୍ନରେ ପଦ୍ମପୁର ଓ ସୁନ୍ଦରଗଡ଼ରେ ସଭା କରିବେ ନଡ୍ଡା।

୧୭ ତାରିଖରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଭଜନଲାଲ ଶର୍ମା ଓଡ଼ିଶା ଆସିବେ। ଗଞ୍ଜାମ ଜିଲ୍ଲାର ସାନଖେମୁଣ୍ଡି, ନୟାଗଡ଼ ଜିଲ୍ଲାର ଦଶପଲ୍ଲା ଓ କନ୍ଧମାଳର ଜି. ଉଦୟଗିରିରେ ସେ ପ୍ରଚାର କରିବେ। ସେହି ଦିନ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କର ଆଠଗଡ଼ ଓ ନରସିଂହପୁରରେ ପ୍ରଚାର କାର୍ଯ୍ୟକ୍ରମ ରହିଛି। ଏମାନଙ୍କ ବ୍ୟତୀତ ୧୭ ତାରିଖରେ ପୁଣି ଓଡ଼ିଶା ଆସିବେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା। କବିସୂର୍ଯ୍ୟନଗର କଣ୍ଟାବାଞ୍ଜି, ଲୋଇସିଂହା, ସତ୍ୟବାଦୀ ଓ ପିପିଲିରେ ସେ ମାରାଥନ୍ ପ୍ରଚାର କରିବେ।