କାର୍ଯ୍ୟରତ ସାମ୍ବାଦିକାଙ୍କୁ ଆକ୍ରମଣ କରିବା ଘଟଣା: ଏସପ୍ଲାନେଡର ୨ ସୁରକ୍ଷାକର୍ମୀ ଗିରଫ

ଭୁବନେଶ୍ୱର: କାର୍ଯ୍ୟରତ ସାମ୍ବାଦିକାଙ୍କୁ ଆକ୍ରମଣ କରିବା ଘଟଣାରେ ଆଜି ପୋଲିସ ଏସପ୍ଲାନେଡର ୨ ସୁରକ୍ଷାକର୍ମୀଙ୍କୁ ଗିରଫ କରିଛି । ସେମାନେ ହେଲେ ପଙ୍କଜ ସାହୁ ଓ ମହନ୍ତ ବିଶ୍ୱାଳ । ଏହି ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଗିରଫ କରି ମଲ ସାମ୍ନାରେ ସାମ୍ବାଦିକମାନେ ଧାରଣାରେ ବସିଛନ୍ତି । ଧାରଣାସ୍ଥଳରେ ଡିସିପି ଅନୁପ କୁମାର ସାହୁ ପହଂଚି ଏହି ଘଟଣାକୁ ନିନ୍ଦା କରିବା ସହ ଅଭିଯୁକ୍ତଙ୍କ ବିରୋଧରେ ଉଚିତ୍ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।

ସୂଚନାଯୋଗ୍ୟ, ଏସପ୍ଲାନେଡ୍ ମଲରେ ପାର୍କିଂ ଫି’ ଆଦାୟ ହେଉଥିବାରୁ ଏହି ଘଟଣାର ଖବର ସଂଗ୍ରହ ପାଇଁ ଯାଇଥିବା ଏକ ଘରୋଇ ୱେବ୍ ଚାନେଲର ମହିଳା ସାମ୍ବାଦିକ ସ୍ୱାତୀ ଜେନା  ଓ କ୍ୟାମେରାମ୍ୟାନଙ୍କୁ  କାର୍ଯ୍ୟରତ ସୁରକ୍ଷାକର୍ମୀ ଆକ୍ରମଣ କରିଥିବା ନେଇ ଗତକାଲି ଅଭିଯୋଗ ହୋଇଥିଲା। କେବଳ ଆକ୍ରମଣ ହୋଇନାହିଁ ବରଂ ଦୀର୍ଘ ସମୟ ଧରି ସୁରକ୍ଷାକର୍ମୀ ଉଭୟଙ୍କୁ ମଲ୍ ଭିତରେ ବନ୍ଦ କରି ରଖିଥିଲେ। ଏହି କାରଣରୁ ଦୀର୍ଘ ସମୟ ଧରି ସେଠାରେ ତୀବ୍ର ଉତେଜନା ପ୍ରକାଶ ପାଇଥିଲା। ଖବର ପାଇ ସହିଦନଗର ଥାନା ପୋଲିସ ଘଟଣାସ୍ଥଳରେ ପହଂଚି ଉଭୟଙ୍କୁ ଉଦ୍ଧାର କରିଥିଲେ।