ସାମ୍ବାଦିକଙ୍କ ପେନସନ ଓ ସ୍ୱାସ୍ଥ୍ୟବୀମା ସହାୟତା ବୃଦ୍ଧି ଦାବି : ସରକାର ପଦକ୍ଷେପ ନେବାକୁ ବାଚସ୍ପତିଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର : ଅବସରପ୍ରାପ୍ତ ସାମ୍ବାଦିକଙ୍କ ଲାଗି ପେନସନ ଯୋଜନା ଲାଗୁ କରିବା, କାର୍ଯ୍ୟରତ ସାମ୍ବାଦିକଙ୍କ ସ୍ୱାସ୍ଥ୍ୟବୀମା ସହାୟତା ରାଶି ୨ ଲକ୍ଷ ଟଙ୍କାରୁ ୫ ଲକ୍ଷ ଟଙ୍କାକୁ ବୃଦ୍ଧି କରିବା ଏବଂ ସାମ୍ବାଦିକଙ୍କ ସୁରକ୍ଷା ଲାଗି ଆଇନ ପ୍ରଣୟନ କରିବା ଆଦି ଦାବି ଆଜି ବିଧାନସଭାରେ ଉଠିଛି । ଶୂନ୍ୟକାଳରେ ବିରୋଧୀଦଳ ନେତା ନରସିଂହ ମିଶ୍ର ଏହି ପ୍ରସଙ୍ଗ ଉତ୍ଥାପନ କରି କହିଥିଲେ ଯେ ସାମ୍ବାଦିକମାନେ ଅନେକ ପ୍ରତିକୂଳ ସ୍ଥିତିରେ କାମ କରୁଛନ୍ତି । ସେମାନଙ୍କ ଲାଗି ସରକାର ଲାଗୁ କରିଥିବା ସ୍ୱାସ୍ଥ୍ୟବୀମା ଯୋଜନାର ସହାୟତା ରାଶି ମାତ୍ର ୨ ଲକ୍ଷ ଟଙ୍କା ରହିଛି । ବିଧାନସଭାର ପୂର୍ବତନ ସଦସ୍ୟମାନଙ୍କ ସ୍ୱାସ୍ଥ୍ୟବୀମା ସହାୟତା ବୃଦ୍ଧି ହୋଇଛି । ସାମ୍ବାଦିକମାନଙ୍କ ବିନା ବିଧାନସଭାର କୌଣସି ଆଲୋଚନା ଲୋକଙ୍କ ପାଖରେ ପହଞ୍ôଚବ ନାହିଁ । ଅନ୍ତତଃପକ୍ଷେ ସ୍ୱାସ୍ଥ୍ୟବୀମା କ୍ଷେତ୍ରରେ ସେମାନଙ୍କୁ ମଧ୍ୟ ବିଧାୟକଙ୍କ ପରି ସମାନ ସୁବିଧା ମିଳିବା ଦରକାର । ମୁଖ୍ୟମନ୍ତ୍ରୀଙ୍କୁ ସେମାନେ ଗୁରୁବାର ଭେଟି ଆଲୋଚନା କରିଛନ୍ତି । ତେଣୁ ବାଚସ୍ପତି ଏ କ୍ଷେତ୍ରରେ ସରକାରଙ୍କୁ ଏକ ନିର୍ଦ୍ଦେଶ ଦେବା ଦରକାର । ସରକାର ଯଥାଶୀଘ୍ର ସାମ୍ବାଦିକଙ୍କ ସ୍ୱାସ୍ଥ୍ୟବୀମା ସହାୟତା ୫ ଲକ୍ଷ ଟଙ୍କାକୁ ବଢ଼ାଇବା ଆବଶ୍ୟକ । ସରକାରୀ ମୁଖ୍ୟ ସଚେତକ ଅମର ପ୍ରସାଦ ଶତପଥୀ ଦାବିକୁ ସମର୍ଥନ କରି କହିଥିଲେ ଯେସାମ୍ବାଦିକମାନଙ୍କ ପ୍ରତି ସରକାରଙ୍କର ପୂର୍ଣ୍ଣ ସମ୍ମାନ ରହିଛି । ସେମାନଙ୍କ ସ୍ୱାସ୍ଥ୍ୟ ବୀମା ଓ ପେନସନ ଦାବି ନେଇ ବିଧାନସଭାରେ ମଧ୍ୟ ଦ୍ୱିମତ ନାହିଁ । ସରକାର ସ୍ୱାସ୍ଥ୍ୟବୀମା ଯୋଜନା ସହ ଅନେକ ବ୍ୟବସ୍ଥା ଲାଗୁ କରିଛନ୍ତି । ତେବେ ଯେତେବେଳେ ବିଜୁ ସ୍ୱାସ୍ଥ୍ୟବୀମା ଯୋଜନାରେ ପ୍ରତ୍ୟେକ ପରିବାରକୁ ୫ ଲକ୍ଷ ଟଙ୍କା ସହାୟତା ଦିଆଯାଉଛି ସେତେବେଳେ ସାମ୍ବାଦିକଙ୍କ କ୍ଷେତ୍ରରେ ତୁରନ୍ତ ଏହା ଲାଗୁ ହେବା ଆବଶ୍ୟକ । ବିରୋଧୀଦଳ ମୁଖ୍ୟ ସଚେତକ ତାରାପ୍ରସାଦ ବାହିନୀପତି କହିଥିଲେ ଯେ ସାମ୍ବାଦିକମାନେ ବିଧାୟକଙ୍କ ଭଳି ଲୋକଙ୍କ ପାଇଁ କଠିନ ପରିଶ୍ରମ କରୁଛନ୍ତି । ଛତିଶଗଡ଼ରେ ଏବେ ଓଡ଼ିଆ ପୁଅ ଅଚ୍ୟୁତ ସାହୁ ସମ୍ବାଦ ସଂଗ୍ରହ ବେଳେ ନକ୍ସଲ ଗୁଳିରେ ପ୍ରାଣ ହରାଇଲେ । ସେମାନଙ୍କ ଲାଗି ସରକାର ତୁରନ୍ତ ବିଚାର କରିବା ଦରକାର । ସ୍ୱାସ୍ଥ୍ୟବୀମା ୫ ଲକ୍ଷ ଟଙ୍କାକୁ ବୃଦ୍ଧି, ପେନସନ ଓ ସୁରକ୍ଷା ଆଇନ ତୁରନ୍ତ ଲାଗୁ ହେବା ଆବଶ୍ୟକ । ବିଜେପି ବିଧାୟକ ଦଳ ନେତା କନକ ବର୍ଦ୍ଧନ ସିଂହଦେଓ ଅନୁରୂପ ଭାବେ ମତ ରଖି ବିରୋଧୀଦଳ ନେତାଙ୍କ ବକ୍ତବ୍ୟକୁ ପୂର୍ଣ୍ଣ ସମର୍ଥନ ଜଣାଇଥିଲେ । ତୁରନ୍ତ ସାମ୍ବାଦିକମାନଙ୍କ ଦାବି ପୂରଣ କରାଯିବାକୁ ସେ ଦାବି କରିଥିଲେ । ସେହିପରି ବିଜେପିର ରବିନାରାୟଣ ନାୟକ, ବିଜେଡିର ମହେଶ ସାହୁ ଓ ପ୍ରଭାତ ରଞ୍ଜନ ବିଶ୍ୱାଳ ଏହି ପ୍ରସଙ୍ଗରେ ସମର୍ଥନ ଜଣାଇ ସାମ୍ବାଦିକମାନଙ୍କ ଦାବି ପୂରଣ କରାଯିବାକୁ କହିଥିଲେ । ଶେଷରେ ବାଚସ୍ପତି ପ୍ରଦୀପ କୁମାର ଅମାତ ଏହି ପ୍ରସଙ୍ଗରେ ସରକାର ତୁରନ୍ତ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିଲେ ।