ଗୋଟିଏ ଦିନ ପାଇଁ ବ୍ରିଟିଶ ଉପ-ଉଚ୍ଚାୟୁକ୍ତ ହେଲେ ବାଙ୍ଗାଲୋରର ସାମ୍ବାଦିକତା ଛାତ୍ରୀ

ବାଙ୍ଗାଲୋର:ବାଙ୍ଗାଲୋରର ଜଣେ ସାମ୍ବାଦିକତା ଛାତ୍ରୀଙ୍କୁ ଗୋଟିଏ ଦିନ ପାଇଁ ବ୍ରିଟିଶ ଉପ-ଉଚ୍ଚାୟୁକ୍ତ ହେବା ପାଇଁ ସୁଯୋଗ ମିଳିଛି । ଅନ୍ତରାଷ୍ଟ୍ରୀୟ ବାଳିକା ଦିବସରେ ମିଳିଥିବା ଏହି ଦୁର୍ଲଭ ଅବସରରେ ୨୪ ବର୍ଷିୟା ବାଳିକା ଅମ୍ବିକା ବାନାର୍ଜୀ ବ୍ରିଟେନ ଓ ଭାରତ ମଧ୍ୟରେ ଥିବା ରାଜନୈତିକ ସମ୍ପର୍କ ବାବଦରେ ଜାଣିଥିଲେ ।

ସଂଯୁକ୍ତ ରାଷ୍ଟ୍ରଦ୍ୱାରା ଘୋଷିତ ଅନ୍ତରାଷ୍ଟ୍ରୀୟ ବାଳିକା ଦିବସରେ ଅମ୍ବିକାଙ୍କୁ ଏହି ସୁଯୋଗ ମିଳିଛି । ସେ ଶୁକ୍ରବାର ଗୋଟିଏ ଦିନ ପାଇଁ ଜେରେମି ପିଲ୍ମୋର ୱେଡଫୋର୍ଡଙ୍କ ଠାରୁ ଦାୟିତ୍ୱ ନେଇ ବ୍ରିଟିଶ ଉପ-ଉଚ୍ଚାୟୁକ୍ତର ଭୂମିକା ନିର୍ବାହନ କରିଥିଲେ । ଯାହା ଭାରତରେ ବ୍ରିଟେନର ତୃତୀୟ ବୃହତ ପଦବୀ । ଅମ୍ବିକା ଏହି ସମୟରେ ବାଙ୍ଗାଲୋର ସ୍ଥିତ ବ୍ରିଟଶ ଉଚ୍ଚାୟୋଗରେ ସରକାର ଓ ଶିଳ୍ପପତିଙ୍କର ଏକ ବୈଠକରେ ଅଧ୍ୟକ୍ଷତା କରିଥିଲେ ।

ଏନେଇ ଅମ୍ବିକା କହିଛନ୍ତି ଯେ, ତାଙ୍କୁ ବାଙ୍ଗାଲୋରରେ ବ୍ରିଟିଶ ଉପ-ଉଚ୍ଚାୟୁକ୍ତ ହେବାର ସୁଯୋଗ ମିଳିଲା । ସେହି ଦିନ ତାଙ୍କ ପାଇଁ ଉତ୍ସାହ ଓ ଉଲ୍ଲାସରେ ଭରିଥିଲା । କିପରି କାର୍ଯ୍ୟ କରାଯାଏ ତାହା ଶିଖିବାକୁ ମିଳିଥିଲା । ଏହା ଏକ ଅବିସ୍ମରଣୀୟ ଅନୁଭବ । ଭାରତ ଓ ବ୍ରଟିଶ ରାଜନୈତିକ ସମ୍ପର୍କ ବାବଦରେ ବହୁତ କିଛି ଶିଖିବାକୁ ମିଳିଥିବା ସେ କହିଛନ୍ତି ।