ନକ୍ସଲଙ୍କୁ ମିଳୁଥିବା ଆର୍ଥିକ ସହାୟତା ବନ୍ଦ କରାଗଲେ ଓଡ଼ିଶାରେ ଆତଙ୍କବାଦ କମିବ : ଏନଆଇଏ ଡିଜି

ଭୁବନେଶ୍ୱର:ଆଜି ରାଜଧାନୀ ଭୁବନେଶ୍ୱରରେ ଆତଙ୍କବାଦ ଦମନ ନେଇ ଦିନିକିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଚାଲିଛି । ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ଆତଙ୍କବାଦୀଙ୍କୁ ମିଳୁଥିବା ଫଣ୍ଡିଂ କମିଲେ ଆତଙ୍କବାଦ କମିବ ବୋଲି ନ୍ୟାସନାଲ ଇନଭେଷ୍ଟିଗେସନ ଏଜେନ୍ସି (ଏନଆଇଏ) ଡିଜି ଯୋଗେଣ ଚନ୍ଦ୍ର ମୋଦୀ ପ୍ରତିକ୍ରିୟା ଦେଇଛନ୍ତି ।

ଭୁବନେଶ୍ୱର ପୋଲିସ ଭବନରେ ଆତଙ୍କବାଦୀ ଆକ୍ରମଣ ମାମଲାରେ ତଦନ୍ତ ସମ୍ପର୍କରେ ପୋଲିସକୁ ପ୍ରଶିକ୍ଷଣ ଦିଆଯିବା କାର୍ଯ୍ୟକ୍ରମ ଚାଲିଛି । ଦେଶରେ ବର୍ତ୍ତମାନ ସବୁଠାରୁ ବଡ଼ ସମସ୍ୟା ହେଉଛି ଆତଙ୍କବାଦୀ ଆକ୍ରମଣ । ଓଡ଼ିଶା ମଧ୍ୟ ଅନେକ ସମୟରେ ଆତଙ୍କବାଦୀ ଆକ୍ରମଣର ଟାର୍ଗେଟରେ ରହିଛି । ତେଣୁ ଆତଙ୍କବାଦୀ ଆକ୍ରମଣକୁ  ପ୍ରତିହତ କରିବା ପାଇଁ ତାଲିମ ଦିଆଯାଉଛି । ଆତଙ୍କବାଦୀଙ୍କ କାର୍ଯ୍ୟକଳାପକୁ ଦୃଷ୍ଟିରେ ରଖି ଆଜି ନ୍ୟାସନାଲ ଇନଭେଷ୍ଟିଗେସନ ଏଜେନ୍ସି ଡିଜି ଯୋଗେଶ ଚନ୍ଦ୍ର ମୋଦୀ ଓଡ଼ିଶା ଗସ୍ତ କରି କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି । ଫଣ୍ଡିଂ କମିଲେ ଆତଙ୍କବାଦ କମିବ । ନକ୍ସଲଙ୍କୁ ମିଳୁଥିବା ଆର୍ଥିକ ସହାୟତା ବନ୍ଦ କରାଯିବା ଆବଶ୍ୟକ ବୋଲି ସେ ପ୍ରତିକ୍ରିୟା ଦେଇଛନ୍ତି ।  ଏହା ସହ ସେ କହିଛନ୍ତି ଯେ, ଆତଙ୍କବାଦୀଙ୍କ ବିରୋଧରେ ନୂଆ ଟେକ୍ନୋଲୋଜୀର ବ୍ୟବହାର କରାଯିବ । ବିଭିନ୍ନ ରାଜ୍ୟର ଆତଙ୍କୀ ମାମଲା ଏନଆଇଏକୁ ହସ୍ତାନ୍ତର କରିବା ଉପରେ ଡିଜି ଗୁରତ୍ୱାରୋପ କରିଛନ୍ତି । ଓଡ଼ିଶା ପୋଲିସ ଅଧିକାରୀଙ୍କୁ ଏନଆଏକୁ ଡେପୁଟେସନରେ ପଠାଇବାକୁ ପରାମର୍ଶ ଦେଇଛନ୍ତି ।

ଆଜି ବରିଷ୍ଠ ଅଭିଜ୍ଞ ପୋଲିସ ଅଧିକାରୀଙ୍କୁ ଆତଙ୍କୀ ଅନୁପ୍ରବେଶ କରିବା ଫଳରେ କିପରି ତାହାର ମୁକାବିଲା ଓ କେଉଁ ଦିଗ ପ୍ରତି ଅଧିକ ଗୁରୁତ୍ୱ ଦିଆଯିବ, ତଦନ୍ତ ବେଳେ ଦଫା , ଆଇନ ବ୍ୟବସ୍ଥା କଣ ରହିଛି ଏହି ସବୁ ଦିଗ ଉପରେ ତଦନ୍ତ କରାଯିବ ସେନେଇ ପୋଲିସ ତାଲିମ ଦିଆଯିବ । ଏହି କର୍ମଶାଳାରେ ପୋଲିସ ଡିଜି ବି.କେ ଶର୍ମା, ପୋଲିସ କମିଶନର ସୁଧାଂଷୁ ଷଡ଼ଙ୍ଗୀ, ଏନଆଇଏ ଆଇଜି ଜି.ପି ସିଂହ ଓ ଡିଆଇଜି ଓ କ୍ରାଇମବ୍ରାଞ୍ଚ ଏଡିଜି ଉପସ୍ଥିତ ଅଛନ୍ତି ।