ଜେଏନ୍‌ୟୁ ଫି’ ବୃଦ୍ଧି ନିଷ୍ପତ୍ତି ବଦଳିଲା, ଏଣିକି ଏତିକି ଟଙ୍କା ଦେବାକୁ ପଡ଼ିବ

ନୂଆଦିଲ୍ଲୀ: ଜବାହାର ଲାଲ ନେହରୁ ବିଶ୍ୱବିଦ୍ୟାଳୟ(ଜେଏନ୍‌ୟୁ)ର ଛାତ୍ର ବିରୋଧ ଆଗରେ ମୁଣ୍ଡ ନୁଆଁଛନ୍ତି ସରକାର। ହଷ୍ଟେଲ ଠାରୁ ଆରମ୍ଭ କରି ଅନ୍ୟାନ୍ୟ ଫି’କୁ ୩୦୦ ଗୁଣା ବୃଦ୍ଧି କରିବାକୁ ସରକାର ନିଷ୍ପତ୍ତି ନେଇଥିଲେ। ଦିନକୁ ଦିନ ଛାତ୍ର ଅଶାନ୍ତ ଉଗ୍ର ରୂପ ଧାରଣ କରୁଥିବାରୁ ଜେଏନ୍‌ୟୁ କର୍ତ୍ତୃପକ୍ଷ ହଷ୍ଟେଲ ଫି’ ବୃଦ୍ଧିରେ କିଛିଟା ପରିବର୍ତ୍ତନ କରିଛନ୍ତି।

ଏ ସମ୍ପର୍କରେ ମାନବ ସମ୍ବଳ ମନ୍ତ୍ରଣାଳୟର ଅଧିକାରୀ ଆର ସୁବ୍ରମଣିୟମ ଟ୍ୱିଟ ଯୋଗେ ସୂଚନା ଦେଇଛନ୍ତି। ସେ କହିଛନ୍ତି, “ଜେଏନ୍‌ୟୁ କାର୍ଯ୍ୟନିର୍ବାହୀ କମିଟି ଆଜି ହଷ୍ଟେଲ ଫି’ ଏବଂ ଅନ୍ୟ କିଛି ଫି’ ବାବଦରେ ବ୍ୟାପକ ପରିବର୍ତ୍ତନ କରିଛି। ଏଥିସହ ଆର୍ଥିକ ପଛୁଆ ବର୍ଗର ଛାତ୍ରଛାତ୍ରୀଙ୍କୁ ଆର୍ଥିକ ସହାୟତା ପାଇଁ ନୂଆ ଯୋଜନା ମଧ୍ୟ ପ୍ରଣୟନ କରିବାକୁ ନିଷ୍ପତ୍ତି ନିଆଯାଇଛି। ତେଣୁ ଏବେ ଆନ୍ଦୋଳନରତ ଛାତ୍ରଛାତ୍ରୀମାନେ ପାଠ ପଢ଼ିବା ପାଇଁ କ୍ଲାସକୁ ଯିବା ଉଚିତ।”

ପୂର୍ବରୁ ଜେଏନ୍‌ୟୁର ଗୋଟିକିଆ ରୁମ ପାଇଁ ୨୦ ଟଙ୍କା ଫି’ ଆଦାୟ କରାଯାଉଥିବା ବେଳେ ଏହାକୁ ସରକାର ୬୦୦ ଟଙ୍କା କରିଥିଲେ। ବର୍ତ୍ତମାନ ନୂଆ ଫି’କୁ ୨୦୦ ଟଙ୍କା କରାଯାଇଛି। ସେହିପରି ଦୁଇ ଜଣ ରହିବା ଭଳି ରୁମ ବାବଦକୁ ୧୦ ଟଙ୍କା ରହିଥିବା ବେଳେ ଏହାକୁ ୩୦୦ ଟଙ୍କା କରାଯାଇଥିଲା। ହେଲେ ଏବେ ଏହାକୁ ୧୦୦ ଟଙ୍କା କରାଯାଇଛି।

ମେସ ସିକ୍ୟୁରିଟି ପାଇଁ ପୂର୍ବରୁ ଜଣେ ଶିକ୍ଷାର୍ଥୀଙ୍କ ଠାରୁ ୫,୫୦୦ ଟଙ୍କା ଲେଖାଏ ଆଦାୟ ହେଉଥିଲା। ହେଲେ ନୂଆ ଫି’ ଆଦାୟ ନିଷ୍ପିତ୍ତିରେ ଏହାକୁ ୧୨ ହଜାର କରାଯାଇଥିଲା। ତେବେ ବିରୋଧ ପରେ ସରକାର ପୁଣି ଏହାକୁ ୫,୫୦୦ ଟଙ୍କା କରିଛନ୍ତି।

ୟୁଟିଲିଟି ଚାର୍ଜ ବାବଦରେ ପୂର୍ବରୁ ଛାତ୍ରଛାତ୍ରୀମାନଙ୍କୁ କୌଣସି ଟଙ୍କା ଦେବାକୁ ପଡ଼ୁ ନଥିଲା। ତେବେ ନୂଆ ନିୟମ ଅନୁଯାୟୀ, ଏହାକୁ ୧୭ ଶହ ଟଙ୍କା ଲେଖାଏ କରାଯାଇଥିଲା। ବିରୋଧ ସତ୍ତ୍ୱେ ଏହା ପୂର୍ବବତ କାଏମ ରହିଛି।

ସରକାର ଜେଏନ୍‌ୟୁ ଫି’ ବୃଦ୍ଧି କରିବାରୁ ଏହାକୁ ଏବିଭିପି ଓ ବାମପନ୍ଥୀ ସମର୍ଥିତ ଛାତ୍ର ସଂଗଠନଗୁଡ଼ିକ ବିରୋଧ କରିଥିଲେ। ଏପରି ଦୁଇ ଦିନ ତଳେ ଏହି ଆନ୍ଦୋଳନ ଭୟଙ୍କର ରୂପ ନେଇଥିଲା। ଉପ ରାଷ୍ଟ୍ରପତି ଭେଙ୍କିୟା ନାଇଡୁଙ୍କ ଉପସ୍ଥିତିରେ ପୁଲିସ୍‌ ଓ ବିକ୍ଷୋଭକାରୀ ମୁହାଁମୁହିଁ ହୋଇଥିଲେ। ଆଜି ମଧ୍ୟ ବିକ୍ଷୋଭରତ ଛାତ୍ରଛାତ୍ରୀମାନେ ଭିସିଙ୍କ ଅଫିସ ଘେରାଉ କରିଥିଲେ।