ଘାଜି ହାଇଦର କଶ୍ମୀର ଘାଟିରେ ହିଜବୁଲ ମୁଜାହିଦ୍ଦିନର ନୂଆ କମାଣ୍ଡର ନିଯୁକ୍ତ

ଶ୍ରୀନଗର : କୁଖ୍ୟାତ ଆତଙ୍କବାଦୀ ସଇଫୁଲ୍ଲା ମୀର ଓରଫ ଘାଜି ହାଇଦର କଶ୍ମୀର ଘାଟିରେ ହିଜବୁଲ ମୁଜାହିଦ୍ଦିନର ନୂଆ କମାଣ୍ଡର ନିଯୁକ୍ତ ହୋଇଛି । ଏହା ସହିତ ଜଫରୁଲ ଇସଲାମକୁ ଘାଟିରେ ସଂଗଠନର ଡେପୁଟି କମାଣ୍ଡର ନିଯୁକ୍ତ କରାଯାଇଛି ।

ଗତ ୬ ତାରିଖରେ ରିଆଜ ନାଇକୋ ସୁରକ୍ଷା ବାହିନୀ ଗୁଳିରେ ନିହତ ହେବା ପରେ ହିଜବୁଲ ପକ୍ଷରୁ ଘାଜିକୁ ନାଇକୋ ସ୍ଥାନରେ ନିଯୁକ୍ତ କରାଯାଇଛି ବୋଲି ଭାରତୀୟ ସେନା ଜାଣିବାକୁ ପାଇଛି । ଘାଜିର ନିଯୁକ୍ତି ସଂପର୍କରେ ହିଜବୁଲର ମୁଖପାତ୍ର ସଲିମ ହାସମି ସୂଚନା ଦେଇଥିବା ଜଣାପଡ଼ିଛି ।

୨୬ ବର୍ଷୀୟ ଘାଜି ହିଜବୁଲରେ ଡକଫର ସୈଫ ଭାବେ ମଧ୍ୟ ଜଣାଶୁଣା । କାରଣ ସେ ସଂଗଠନର ଆହତ ସଦସ୍ୟମାନଙ୍କର ଚିକିତ୍ସା କରିଥାଏ । ସେ ଶ୍ରୀନଗରସ୍ଥିତ ସରକାରୀ ଆଇଟିଆଇରୁ ବାୟୋ ମେଡିକାଲ କୋର୍ସ କରିଛି । ଏଣୁ ତାକୁ ସାଧାରଣ ଚିକିତ୍ସା ସଂପର୍କରେ ଜ୍ଞାନ ରହିଛି । ସେ ମଧ୍ୟ ଶ୍ରୀନଗରର ନାସନାଲ ଇନଷ୍ଟିଚ୍ୟୁଟ ଅଫ ଇଲେକ୍ଟ୍ରୋନିକ୍ସ ଏଣ୍ଡ ଇନଫରମେସନ ଟେକନଲୋଜୀରେ ପ୍ରାୟ ତିନିବର୍ଷ ଧରି ଚାକିରି କରୁଥିଲା । କିନ୍ତୁ ସେ ରିଆଜ ନାଇକୋ ପ୍ରରୋଚନାରେ ପଡ଼ି ଆତଙ୍କବାଦୀ ହୋଇଯାଇଥିଲା ।

ଗତ ୬ ତାରିଖରେ ରିଆଜ ନାଇକୋ ରାଷ୍ଟ୍ରୀୟ ରାଇଫଲ୍ସ ଓ ଜମ୍ମୁ ଓ କଶ୍ମୀର ପୁଲିସର ମିଳିତ ଅପରେସନ ବେଳେ ନିହତ ହୋଇଥିଲା । ତାକୁ ଗତ ୮ ବର୍ଷ ହେଲେ ତାକୁ ଭାରତୀୟ ସୁରକ୍ଷା ବାହିନୀ ଖୋଜୁଥିଲା । ସେ ଜମ୍ମୁ ଓ କଶ୍ମୀରରେ ହିଜବୁଲ ମୁଜାହିଦ୍ଦିନର ମୁଖ୍ୟ ଥିଲା । ଘାଟିରେ ହୋଇଥିବା ଅନେକ ଆତଙ୍କବାଦୀ ଘଟଣାରେ ତାହାର ହାତଥିଲା ।