ରିଲାଏନ୍ସ ଲଂଚ କଲା ଜିଓମାର୍ଟ; ଆମାଜନ ଓ ଫ୍ଲିପକାର୍ଟକୁ ଦେବ ଟକ୍କର

ନୂଆଦିଲ୍ଲୀ: ରିଲାଏନ୍ସ ଇଣ୍ଡଷ୍ଟ୍ରୀର ମୁଖ୍ୟ ମୁକେଶ ଅମ୍ବାନି ଏବେ ଇ-କମର୍ସରେ ପାଦ ରଖିଛନ୍ତି । ଇ-କମର୍ସରେ ରାଜ୍ କରୁଥିବା ଆମାଜନ ଓ ଫ୍ଲିପକାର୍ଟକୁ ଟକ୍କର ଦେବା ପାଇଁ ମୁକେଶ ଅମ୍ବାନୀ ଲଂଚ କରିଛନ୍ତି ଜିଓମାର୍ଟ ।

ସୋମବାର ଜିଓ ପକ୍ଷରୁ ଏହାର ଉପଭୋକ୍ତାମାନଙ୍କୁ ଜିଓମାର୍ଟରେ ନିଜ ନମ୍ବର ରେଜିଷ୍ଟର କରିବାକୁ ମେସେଜ ପଠାଯାଇଛି | ‘ଦେଶର ନୂଆ ଦୋକାନ’ ନାରା ଦେଇ ଖୁବ ଶୀଘ୍ର ମୁମ୍ବାଇ ଓ ଏହାର ଆଖପାଖ ଅଂଚଳରେ ସେବା ଆରମ୍ଭ କରିବାକୁ ଜୋରସୋରରେ ପ୍ରସ୍ତୁତି ଚଳାଇଛି |

ସୂଚନା ଥାଉ କି ଚଳିତବର୍ଷ ଅଗଷ୍ଟ ୧୨ ତାରିଖରେ ମୁକେଶ ଅମ୍ବାନୀ ରିଲାଏନ୍ସର ବୈଠକର ଜିଓମାର୍ଟ ବାବଦରେ ସୂଚନା ଦେଇଥିଲେ | ସେ କହିଥିଲେ ଯେ ଜିଓମାର୍ଟ ଦ୍ୱାରା ଦେଶର ୩ କୋଟି କ୍ଷୁଦ୍ର ବ୍ୟବସାୟୀଙ୍କୁ ଯୋଡ଼ାଯିବ | ରିଲାଏନ୍ସର ଜଣେ ଅଧିକାରୀ କହିଛନ୍ତି ଯେ ଖୁବ ଶୀଘ୍ର ଜିଓମାର୍ଟର ଆପ ଲଂଚ କରାଯିବାକୁ ଥିବାବେଳେ ଏବେ ଜିଓ ଗ୍ରାହକମାନଙ୍କୁ ନିଜ ନାମ ଓ ନମ୍ବର ରେଜିଷ୍ଟର କରାଯିବାକୁ ଆମନ୍ତ୍ରଣ ଦିଆଯାଉଛି |

ଜିଓମାର୍ଟରେ ଗ୍ରାହକଙ୍କୁ କ’ଣ ସୁବିଧା ମିଳିବ ସେ ନେଇ ସ୍ପଷ୍ଟ ସୂଚନା ମିଳି ନଥିଲେ ବି ଏଥିରେ ୫୦ ହଜାରରୁ ଅଧିକ ତେଜରାତି ସାମଗ୍ରୀ ମିଳିବାକୁ ଥିବାବେଳେ ମାଗଣାରେ ଘରେ ପହଂଚାଇବାର ବ୍ୟବସ୍ଥା କରାଯିବା ନେଇ ଚର୍ଚ୍ଚା ଜୋର ଧରିଛି | ତେବେ ମାଗଣାରେ ସାମଗ୍ରୀ ଡେଲିଭରି ପାଇଁ କୌଣସି ନ୍ୟୂନତମ କ୍ରୟ ରାଶି ରହିବ ନାହିଁ |