ଓଡ଼ିଶା ମୋ ପରିବାର ଆନୁକୁଲ୍ୟରେ ସପ୍ତାହବ୍ୟାପୀ ରକ୍ତଦାନ କାର୍ଯ୍ୟକ୍ରମରେ ୧୪,୮୩୯ ୟୁନିଟ୍ ରକ୍ତ ସଂଗୃହୀତ; ସାଧୁବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ

କଟକ ଜିଲ୍ଲାରେ ସର୍ବାଧିକ ୧୧୬୬ ୟୁନିଟ୍‌

ଭୁବନେଶ୍ୱର: ଓଡ଼ିଶା ମୋ ପରିବାର ଜୀବନ ବିନ୍ଦୁ ପକ୍ଷରୁ ରାଜ୍ୟରେ ଯେଉଁ ସପ୍ତାହବ୍ୟାପୀ ରକ୍ତଦାନ କାର୍ଯ୍ୟକ୍ରମ ଚାଲିଥିଲା ସେଥିରେ ୧୪,୮୩୯ ୟୁନିଟ୍ ରକ୍ତ ସଂଗୃହୀତ ହୋଇଥିଲା । ଗତ ଅଗଷ୍ଟ କ୍ରାନ୍ତି ଦିବସ(ଅଗଷ୍ଟ୯)ରୁ ସ୍ୱାଧୀନତା ଦିବସ(ଅଗଷ୍ଟ୧୫)ପର୍ଯ୍ୟନ୍ତ ଏକ ସପ୍ତାହ ଧରି ରାଜ୍ୟର ସମସ୍ତ ଜିଲ୍ଲା ସଦର ମହକୁମା ଓ ଅନ୍ୟାନ୍ୟ ସ୍ଥାନରେ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । କୋଭିଡ କଟକଣା ଯୋଗୁଁ ରାଜ୍ୟରେ ଯେଉଁ ରକ୍ତ ସଙ୍କଟ ଦେଖାଦେଇଥିଲା ତାହାର ଭରଣା ପାଇଁ ଏହି ଅଭିଯାନ ଅଭିପ୍ରୀତ ଥିଲା ବୋଲି ଓଡ଼ିଶା ମୋ ପରିବାର ପକ୍ଷରୁ କୁହାଯାଇଛି ।

ଅନ୍ୟପଟେ ଓଡ଼ିଶା ମୋ ପରିବାର ଆନୁକୁଲ୍ୟରେ ସପ୍ତାହବ୍ୟାପୀ ରକ୍ତଦାନ କାର୍ଯ୍ୟକ୍ରମ ସଠିକ୍ ଭାବେ ସଫଳ ହୋଇଥିବା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ୱିଟ କରି ସାଧୁବାଦ ଜଣାଇଛନ୍ତି । ସେ ଟ୍ୱିଟ କରି କହିଛନ୍ତି ଯେ, ଲୋକଙ୍କ ଜୀବନ ବଂଚେଇବାଠାରୁ ଅଧିକ ପୁଣ୍ୟ ଆଉ କିଛି ନାହିଁ, କୋଭିଡ ସଙ୍କଟରେ ରକ୍ତଦାନ ପରି ମହତ କାର୍ଯ୍ୟ କରିଥିବା ସମସ୍ତ ଯୁବଗୋଷ୍ଠୀଙ୍କୁ ମୋର ସାଧୁବାଦ । ଅଗଷ୍ଟ କ୍ରାନ୍ତି ଦିବସରୁ ସପ୍ତାହବ୍ୟାପି ଆୟୋଜିତ ଜୀବନ ବିନ୍ଦୁ କାର୍ଯ୍ୟକ୍ରମରୁ ୧୪,୮୩୯ୟୁନିଟ୍ ରକ୍ତ ସଂଗ୍ରହ କରି ଓଡ଼ିଶା ମୋ ପରିବାର ନୂଆ ମାଇଲଖୁଂଟ ସ୍ଥାପନ କରିଛି ।

ଏଠାରେ ସୂଚନାଯୋଗ୍ୟ, ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ସମଗ୍ର ରାଜ୍ୟରେ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ଜରିଆରେ ସ୍ୱେଚ୍ଛାକୃତ ରକ୍ତଦାନ ଭଳି ଏକ ଗୁରୁତ୍ୱପୂର୍ଣ୍ଣ ସାମାଜିକ କାର୍ଯ୍ୟକ୍ରମ ୨୦୧୫ ମସିହାରୁ ସାରା ରାଜ୍ୟରେ ଚାଲୁଛି ।

କୋଭିଡ ସମୟରେ ରକ୍ତର ଯେଉଁ ଉତ୍କଟ ଅଭାବ ଦେଖା ଦେଇଥିଲା ତାହାର ଦୂରୀକରଣ ପାଇଁ କୋଭିଡ ନିୟମାବଳୀର ଅନୁପାଳନ କରାଯାଇ ରାଜ୍ୟର ବିଭିନ୍ନ ସଦରମହକୁମା ସମେତ ଅନ୍ୟ କେତେକ ସ୍ଥାନରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା । ସଂଗୃହୀତ ତଥ୍ୟ ଅନୁସାରେ କଟକ ସହରରେ ସର୍ବାଧିକ ୧୧୬୬ ୟୁନିଟ୍ , କଳାହାଣ୍ଡିରେ ୧୦୮୨ ୟୁନିଟ୍‌, ବଲାଙ୍ଗୀରରେ ୧୦୫୨ ୟୁନିଟ୍‌, ମୟୁରଭଞ୍ଜରେ ୯୮୭ ୟୁନିଟ୍‌, ବାଲେଶ୍ୱରରେ ୮୭୮ ୟୁନିଟ୍‌, କେନ୍ଦୁଝରରେ ୬୫୦ ୟୁନିଟ୍‌, ବରଗଡରେ ୬୨୭ ୟୁନିଟ୍ ରକ୍ତ ସଂଗୃହୀତ ହୋଇଥିଲା । ଗଞ୍ଜାମ ଭଳି ସମ୍ବେଦନଶୀଳ ଅଂଚଳରେ କୋଭିଡ ନିୟମ ଅନୁପାଳନ କରି ୩୫୪ ୟୁନିଟ୍ ରକ୍ତ ସଂଗ୍ରହ ଉଲ୍ଲେଖନୀୟ ବିଷୟ ।

ଓଡ଼ିଶା ମୋ ପରିବାରର ଆବାହକ ଶ୍ରୀ ଅରୁପ ପଟ୍ଟନାୟକ, ମୁଖ୍ୟ ସଂଯୋଜକ ଶ୍ରୀ ଦେବୀ ପ୍ରସାଦ ମିଶ୍ର ପ୍ରମୁଖ ଏହି କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ । ରାଜ୍ୟର ବିଭିନ୍ନ ସ୍ଥାନରେ ମନ୍ତ୍ରୀ, ସାଂସଦ, ବିଧାୟକ ଓ ଜନପ୍ରତିନିଧିମାନେ ଉପସ୍ଥିତ ରହି ଏହି ମହତ୍ କାର୍ଯ୍ୟକୁ ପ୍ରୋତ୍ସାହିତ କରିଥିଲେ । ସମସ୍ତ ରକ୍ତଦାତା, ଶିବିର ଆୟୋଜନକାରୀ ଏବଂ ଜିଲ୍ଲା ସଂଯୋଜକମାନଙ୍କୁ ଓଡ଼ିଶା ମୋ ପରିବାର କୃତଜ୍ଞତା ଜଣାଉଛି । ଆଗାମୀ ଦିନରେ ଆବଶ୍ୟକ ମୁତାବକ ରକ୍ତ ସଂଗ୍ରହ କାର୍ଯ୍ୟକ୍ରମ ଜାରି ରହିବ ବୋଲି ଆବାହକ ଶ୍ରୀ ପଟ୍ଟନାୟକ ମତ ରଖିଛନ୍ତି ।