ବଳରାମପୁର ଝିଙ୍କରଗଡ଼ିରେ ପ୍ରସ୍ତାବିତ ବିୟର୍ ଫ୍ୟାକ୍ଟ୍ରି ନିଷ୍ପତ୍ତି ବାତିଲ

ଭୁବନେଶ୍ୱର : ଜିତିଲେ ଜନତା । ହାରିଲା ଶାସନ କଳ । ଚାରିଆଡ଼ୁ ବିରୋଧର ସମ୍ମୁଖୀନ ହେବା ପରେ ଢେଙ୍କାନାଳ ଓଡ଼ାପଡ଼ା ବ୍ଲକ ଅନ୍ତର୍ଗତ ବଳରାମପୁର ଝିଙ୍କରଗଡ଼ିରେ ପ୍ରସ୍ତାବିତ ବିୟର ବଟଲିଂ କାରଖାନାକୁ ବାତିଲ କରିଛନ୍ତି ରାଜ୍ୟ ସରକାର । ନିଜେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ବାତିଲ ନିର୍ଦ୍ଦେଶ ଦେଇଛନ୍ତି । ତେବେ ଗଛକାଟିବା ପାଇଁ ଢେଙ୍କାନାଳ ଜିଲ୍ଲାପାଳଙ୍କୁ କିଏ ବାଧ୍ୟ କରିଥିଲା ତାହା ତଦନ୍ତ କରାଯାଉଛି । ଉତ୍ତରାଞ୍ଚଳ ଆର୍ଡିସି ଡିଭି ସ୍ୱାମୀ ଅଧିକ ତଦନ୍ତ ପାଇଁ ଆସନ୍ତାକାଲି ଘଟଣାସ୍ଥଳ ପରିଦର୍ଶନ କରିବେ ବୋଲି ଜଣାପଡ଼ିଛି । ଅନ୍ୟପକ୍ଷରେ ଏନ୍ଜିଟିରେ ଏହି ଘଟଣା ନେଇ ଏକ ମାମଲା ରୁଜୁ ହେବା ପରେ ଆସନ୍ତା ୨୭ ତାରିଖରେ ତାହାର ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରାଯାଇଛି ।

ରାଜ୍ୟ ସରକାରଙ୍କୁ ଏ ସଂପର୍କରେ ଏନ୍ଜିଟି ପକ୍ଷରୁ ନୋଟିସ୍ କରାଯାଇଛି । ବିଜୟ କୁମାର ମାଝୀ ନାମକ ଜଣେ ବ୍ୟକ୍ତି ଏନ୍ଜିଟିରେ ଗଛକଟା ନେଇ ଏକ ମାମଲା ରୁଜୁ କରିଛନ୍ତି । ମିଳିଥିବା ସୂଚନା ଅନୁସାରେ ରାଜସ୍ୱ ଡିଭିଜନ କମିଶନରଙ୍କ ପ୍ରାଥମିକ ତଦନ୍ତ ରିପୋର୍ଟ ଭିତ୍ତିରେ ମୁଖ୍ୟମନ୍ତ୍ରୀ ଏହି ନିଷ୍ପତ୍ତି ଗ୍ରହଣ କରିଛନ୍ତି । ସ୍ଥାନୀୟ ଲୋକମାନଙ୍କ ବିରୋଧକୁ ଦମନ କରି ଶାସନ କଳ ବିୟର ଫ୍ୟାକ୍ଟ୍ରି ପାଇଁ ପ୍ରାୟ ୯୫୮ ଗଛ କାଟିବା ପରେ ସରକାର ଚାରିଆଡ଼ୁ ବିରୋଧର ସମ୍ମୁଖୀନ ହୋଇଥିଲେ । ବିରୋଧୀ କଂଗ୍ରେସ ଓ ବିଜେପି ସମେତ ପରିବେଶବିତ୍ ଓ ମଦ ବିରୋଧୀ ଆନ୍ଦୋଳନର କର୍ମକର୍ତ୍ତାମାନେ ଘଟଣାସ୍ଥଳ ପରିଦର୍ଶନ କରି ରାଜ୍ୟ ସରକାରଙ୍କୁ ତୀବ୍ର ସମାଲୋଚନା କରିଥିଲେ ।

ସାମାଜିକ ଗଣମାଧ୍ୟମରେ ମଦ ଫ୍ୟାକ୍ଟ୍ରି ପାଇଁ ଜଙ୍ଗଲ ଉଚ୍ଛେଦ ଘଟଣା ଭାଇରାଲା ହୋଇଥିଲା । ବିଧାନସଭାରେ ଏହି ପ୍ରସଙ୍ଗ ଉଠାଇ ବିରୋଧୀ ଦଳ ନେତା ନରସିଂହ ମିଶ୍ର ଓ ବିଜେପି ବିଧାୟକ ଦଳ ନେତା କନକ ବର୍ଦ୍ଧନ ସିଂହଦେଓ ରାଜ୍ୟ ସରକାର ଓ ମୁଖ୍ୟମନ୍ତ୍ରୀଙ୍କୁ ତୀବ୍ର ସମାଲୋଚନା କରିଥିଲେ । ସେମାନେ କହିଥିଲେ ଯେ ମୁଖ୍ୟମନ୍ତ୍ରୀ ନିଜେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ନଭେମ୍ବର ୩ରେ ଏହି ମଦ ଫ୍ୟାକ୍ଟ୍ରିର ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ । ମଦ ଫ୍ୟାକ୍ଟ୍ରି ପାଇଁ ଗଛକଟାକୁ ଲୋକେ ବିରୋଧ କରିବା ପରେ ମୁଖ୍ୟମନ୍ତ୍ରୀ ତଦନ୍ତ ନିର୍ଦ୍ଦେଶ ଦେବା ଘଟଣାରୁ ଜଣାପଡ଼ୁଛି ଯେ ମୁଖ୍ୟମନ୍ତ୍ରୀ ନିଜେ ଏହି ନିଷ୍ପତ୍ତି ସଂପର୍କରେ କିଛି ଜାଣି ନାହାନ୍ତି । ତାଙ୍କୁ ଅନ୍ଧାରରେ ରଖି କିଏ ମଦ ଫ୍ୟାକ୍ଟ୍ରି ନିର୍ମାଣ ନିଷ୍ପତ୍ତି ନେଇଛି । ତାଙ୍କୁ ଅନ୍ଧାରରେ ରଖି କିଏ ଗଛ କାଟିବାକୁ କହିଥିଲା । ସେହିପରି ତାଙ୍କୁ ଅନ୍ଧାରରେ ରଖି କିଏ ଲୋକଙ୍କ ଆନ୍ଦୋଳନକୁ ଦମନ କରିବାକୁ ଏବଂ ମଦ ଫ୍ୟାକ୍ଟ୍ରି ପାଇଁ ଗଛକଟା ଅଭିଯାନକୁ ସୁରକ୍ଷା ଦେବାକୁ ପୁଲିସକୁ ନିର୍ଦ୍ଦେଶ ଦେଇଛି ।

ଏସବୁ ପ୍ରଶ୍ନ ଉଠାଇ ବିରୋଧୀ ନେତାମାନେ କହିଥିଲେ ଯେ ଏବେ ରାଜ୍ୟରେ ମୁଖ୍ୟମନ୍ତ୍ରୀ କିଛି କରୁ ନାହାନ୍ତି । ତାଙ୍କ ନାଁ ନେଇ ଅନ୍ୟ କେହି ଶାସନ କରୁଛି । ଜିଲ୍ଲା ପ୍ରଶାସନ କାହା ନିର୍ଦ୍ଦେଶରେ ଗଛକାଟିଛି ତାହା ଜାଣିବାକୁ ବିରୋଧୀ ସଦସ୍ୟମାନେ ବିଧାନସଭାରେ ଦାବି କରିଥିଲେ । ବିରୋଧ ଓ ଆନ୍ଦୋଳନ ତୀବ୍ର ରୂପ ଧାରଣ କରୁଥିବା ଦେଖି ମୁଖ୍ୟମନ୍ତ୍ରୀ ଗଛକଟା ବନ୍ଦ କରିବାକୁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ । ସେହିପରି ଗଛକଟା ଘଟଣା ସଂପର୍କରେ ରିପୋର୍ଟ ଦେବାକୁ ରାଜସ୍ୱ ଡିଭିଜନ କମିଶନରଙ୍କୁ ନିର୍ଦ୍ଦେଶ ଦେଇଥିଲେ । ରାଜସ୍ୱ ଡିଭିଜନ କମିଶନର ଦିନକ ମଧ୍ୟରେ ଶିଳ୍ପ ବିଭାଗକୁ ଏକ ଚିଠି ଲେଖି ଅନାବଶ୍ୟକ ଭାବେ ଗଛକଟା ବନ୍ଦ କରିବା ସହ କଟା ଯାଇଥିବା ସ୍ଥାନରେ ନୂତନ ବୃକ୍ଷ ରୋପଣ ପାଇଁ ପରାମର୍ଶ ଦେଇଛନ୍ତି । ସେହିପରି ବିୟର ଫ୍ୟାକ୍ଟ୍ରିକୁ ଅନ୍ୟ କୌଣସି ସ୍ଥାନକୁ ସ୍ଥାନାନ୍ତର କରିବାକୁ ସେ କହିଛନ୍ତି । ଝିଙ୍କରଗଡ଼ି ଅଞ୍ଚଳରେ ଗଛକାଟି ବିୟର ଫ୍ୟାକ୍ଟ୍ରି ବସାଇବାକୁ ଲୋକେ କାହିଁକି ବିରୋଧ କରୁଛନ୍ତି ସେ ସଂପର୍କରେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଏକ ରିପୋର୍ଟ ମିଳିଛି । ଏହି ରିପୋର୍ଟ ଭିତ୍ତିରେ ମୁଖ୍ୟମନ୍ତ୍ରୀ ସେହି ସ୍ଥାନରେ ବିୟର ଫ୍ୟାକ୍ଟ୍ରି ନିର୍ମାଣ ନିଷ୍ପତ୍ତିକୁ ରଦ୍ଦ କରିଦେଇଛନ୍ତି । ତେବେ ଏହି ଫ୍ୟାକ୍ଟ୍ରି ଅନ୍ୟ କେଉଁ ସ୍ଥାନରେ ହେବ ନା ପ୍ରକଳ୍ପ ସଂପୂର୍ଣ୍ଣ ବାତିଲ ହେଲା ତାହା ସ୍ପଷ୍ଟ ହୋଇନାହିଁ । ଝିଙ୍କରଗଡ଼ିରେ ବିୟର ଫ୍ୟାକ୍ଟ୍ରି ନିଷ୍ପତ୍ତି ବାତିଲକୁ ଟୁଇଟ୍ କରି ସ୍ୱାଗତ କରିଛନ୍ତି ଢେଙ୍କାନାଳ ସାଂସଦ ତଥାଗତ ସତପଥୀ । ସେ କହିଛନ୍ତି ଯେ ସବୁଠାରେ ଗଛ କାଟି ଶିଳ୍ପ ସ୍ଥାପନ କରିବା ନିଷ୍ପତ୍ତିର ପୁନର୍ବିଚାର ହେବା ଦରକାର ।